ପିତୃପକ୍ଷରେ ପିଣ୍ଡଦାନ ପାଇଁ ବିନ୍ଦୁସାଗରରେ ଭିଡ଼

ପୁରୁଣା ଭୁବନେଶ୍ୱର: ମଙ୍ଗଳବାରଠୁ ଆରମ୍ଭ ହୋଇଛି ଆଶ୍ୱିନ କୃଷ୍ଣପକ୍ଷ। ଅପର ପକ୍ଷ ବା ପିତୃପକ୍ଷ ଭାବେ ସର୍ବବିଦିତ ଏହି ପନ୍ଦର ଦିନରେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଅର୍ପଣ କରାଯାଏ। ଏଥିପାଇଁ ଏକାମ୍ର କ୍ଷେତ୍ର ବିନ୍ଦୁସାଗର କୂଳରେ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ତିଳ ତର୍ପଣ ଅର୍ପଣ କରିବା ଆରମ୍ଭ ହୋଇଯାଇଛି। କୋଭିଡ୍‌ କଟକଣା ଭିତରେ ଶ୍ରଦ୍ଧାଳୁମାନେ ନିଜ ନିଜର ପିତୃ ପୁରୁଷଙ୍କୁ ପିଣ୍ଡଦାନ ଦେଉଛନ୍ତି। ଏହି ମହାଳୟା ଶ୍ରାଦ୍ଧ ପାଇଁ ଶ୍ରଦ୍ଧାଳୁମାନେ ଆଜି ବିନ୍ଦୁସାଗର କୂଳରେ ଲମ୍ବା ଧାଡ଼ି ଲାଗିଥିବା ଦେଖିବାକୁ ମିଳିଛି। ସେହିଭଳି ସାମନ୍ତରାପୁର ସୂକ୍ଷ୍ମେଶ୍ୱର ମନ୍ଦିର ନିକଟ ଗୟା କୁଣ୍ଡରେ ନିକଟରେ ମଧ୍ୟ ଏହି ପିତୃକର୍ମ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ବିନ୍ଦୁସାଗର ଘାଟ କୂଳରେ କେବଳ କ୍ଷେତ୍ରବାସୀ ବ୍ରାହ୍ମଣମାନେ ଶ୍ରାଦ୍ଧ କର୍ମ କରିବା ପାଇଁ ବ୍ୟବସ୍ଥା ଥିବା ବେଳେ ବିନ୍ଦୁସାଗରର ଉତ୍ତରେଶ୍ୱର ଘାଟଠାରୁ ପୂର୍ବ ଘାଟ ପର୍ଯ୍ୟନ୍ତ ଅନ୍ୟ ବ୍ରାହ୍ମଣମାନେ ପିଣ୍ଡଦାନ ପୂଜା କରୁଛନ୍ତି।

ହିନ୍ଦୁ ଧର୍ମାବଲମ୍ବୀଙ୍କ ବିଶ୍ବାସ ଓ ପରମ୍ପରା ଅନୁସାରେ ଆଶ୍ୱିନ ମାସ ପ୍ରଥମ ଦିନରୁ ଅମାବାସ୍ୟା ତିଥି ପର୍ଯ୍ୟନ୍ତ ପତୃ ପୁରଷଙ୍କୁ ପିଣ୍ଡଦାନ ଦେବା ବିଧି ରହିଛି। ମହାଳୟା ଶ୍ରାଦ୍ଧ ଭାବେ ଜଣାଶୁଣା ଏହି ଶ୍ରାଦ୍ଧ ‌ଦେବା ପାଇଁ ଶ୍ରୀକ୍ଷେତ୍ରରେ ତୀର୍ଥରାଜ ମହୋଦଧି, ଶ୍ୱେତଗଙ୍ଗା, ମାର୍କଣ୍ଡ ପୁଷ୍କରିଣୀ, ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ, ୨୨ ପାହାଚ ଓ ଯାଜପୁର ନାଭିଗୟା ପରି ପବିତ୍ର ସ୍ଥାନ ରହିଛି। ସେହିଭଳି ଏକାମ୍ର କ୍ଷେତ୍ରରେ ବିନ୍ଦୁସାଗର ଓ ସୂକ୍ଷ୍ମେଶ୍ୱର ମନ୍ଦିର ନିକଟରେ ଗୟାକୁଣ୍ଡରେ ଶ୍ରାଦ୍ଧ ଦେବା ବିଧି ରହିଛି। ଉଲ୍ଲେଖଯୋଗ୍ୟ, ଶ୍ରଦ୍ଧାଳୁମାନେ ପିତୃ ପୁରୁଷଙ୍କ ସହ ମାତୁଳ କୂଳର ତିନି ପୁରୁଷଙ୍କୁ ଏହି ଅବସରରେ ପିଣ୍ଡଦାନ କରନ୍ତି। ପୂଜକ ପଣ୍ଡିତ ଗୋପିନାଥ କରଙ୍କ ମତ ଅନୁଯାୟୀ ବର୍ତ୍ତମାନ ସମୟରେ ଚାରିମାସ ପର୍ଯ୍ୟନ୍ତ ମହାପ୍ରଭୁ ଶୟନ କାଳରେ ଥାଆନ୍ତି। ତେଣୁ ଏହି ଚତୁର୍ମାସ୍ୟା ଅବଧିରେ ବିବାହ, ବ୍ରତ, ଗୃହ ପ୍ରତିଷ୍ଠା ଭଳି ଶୁଭ କାର୍ଯ୍ୟ ହୁଏ ନାହିଁ। ଏହି ସମୟରେ ସୂର୍ଯ୍ୟଙ୍କ ଦକ୍ଷିଣାୟନ ଗତି ଥାଏ। ସୂର୍ଯ୍ୟଙ୍କ ଦକ୍ଷିଣାୟନ ଗତି ଓ ଦେବାଦେବୀଙ୍କ ଶୟନ କାଳରେ ପିତୃକାର୍ଯ୍ୟ କରିବା କର୍ମକାଣ୍ଡରେ ବିଧି ରହିଛି। ପିତୃ ପୁରୁଷଙ୍କ ମୃତ୍ୟୁ ତିଥିରେ ତାଙ୍କ ଉତ୍ତର ପୁରୁଷ ଶ୍ରାଦ୍ଧ ଦେଇଥାନ୍ତି। ଯେଉଁମାନେ ତିଥି ଅନୁସାରେ ପିଣ୍ଡଦାନ କରି ନପାରନ୍ତି, ସେମାନେ ମହାଳୟାରେ ପିଣ୍ଡଦାନ କରିଥାନ୍ତି। ସୂଚନାଯୋଗ୍ୟ, ଏହି ପିତୃପକ୍ଷରେ ଭାରତର ପୁରୁଷୋତ୍ତମ କ୍ଷେତ୍ର ମହୋଦଧି, ଗୟା, ଗଙ୍ଗା, ଯମୁନା ଓ ସରସ୍ୱତୀ ସଙ୍ଗମସ୍ଥଳ ଆଲ୍ଲାହାବାଦର ପ୍ରୟାଗଠାରେ ଅସ୍ଥି ବିସର୍ଜନ ଏବଂ ପିଣ୍ଡଦାନର ବ୍ୟବସ୍ଥା ରହିଛି।

ସମ୍ବନ୍ଧିତ ଖବର