ହୋ-ହଲ୍ଲାରେ ସରିଗଲା ବିଏମ୍‌ସି କର୍ପୋରେସନ୍‌ ବୈଠକ

ଭୁବନେଶ୍ଵର: କମିସନର୍‌ଙ୍କ ପାଖରେ ବିଏମ୍‌ସିର ପୂରା ଆର୍ଥିକ କ୍ଷମତା କେନ୍ଦ୍ରୀଭୂତ ରହିବା ଘଟଣାକୁ କେନ୍ଦ୍ର କରି ଆଜି ବିଏମ୍‌ସି କର୍ପୋରେସନ୍‌ ବୈଠକରେ ପ୍ରବଳ ହୋ-ହଲ୍ଲା ହୋଇଛି। କରୋନା ସମୟରେ ସରକାର ନେଇଥିବା ଏହି ନିଷ୍ପତ୍ତିକୁ ବଦଳାଇବା ଦାବିରେ କର୍ପୋରେଟର୍‌ମାନେ ପାଟିତୁଣ୍ଡ କରିବାରୁ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ବିଶୃଙ୍ଖଳା ଏତେ ବଢ଼ିଯାଇଥିଲା ଯେ ଶେଷକୁ ମେୟର୍‌ ସୁଲୋଚନା ଦାସ ଓ କମିସନର୍‌ ବିଜୟ ଅମୃତା କୁଲାଙ୍ଗେ ମଧ୍ୟ ହାତ ଟେକି ଦେଇଥିଲେ। ତେବ‌େ କୌଣସି କଥାକୁ ନେଇ ଦୁଇଜଣ କର୍ପୋରେଟର୍‌ଙ୍କ ମଧ୍ୟରେ ଉଚ୍ଚବାଚ୍ଚ ହେବାରୁ ଉତ୍ତେଜନା ଆହୁରି ବଢ଼ି ଯାଇଥିଲା।

ଅପରପକ୍ଷେ, ଗୋଟିଏ ପଟେ କର୍ପୋରେଟର୍‌ମାନେ ହୋ-ହଲ୍ଲାରେ ମାତିଥିବା ବେଳେ କଙ୍କଡ଼ାକୁ ଗୋଳି ପାଣି ସୁହାଇଲା ଭଳି ବିଏମ୍‌ସି ଅଧିକାରୀମାନେ ଅନେକ ବେଆଇନ ପ୍ରସ୍ତାବ ଉପରେ କର୍ପୋରେଟର୍‌ଙ୍କ ମୋହର ମାରି ନେଇଥିଲେ। ମଲ୍ଟି ଟାସ୍କିଂ ସାନିଟାରି ଆସିଷ୍ଟାଣ୍ଟ ନିଯୁକ୍ତି, ଫଳ ବଜାରରେ ଅଯୋଗ୍ୟ ହିତାଧିକାରୀଙ୍କୁ ଥଇଥାନ, ଏସ୍‌ଆଇଙ୍କ ଦରମା ବୃଦ୍ଧି ସବୁ ନିୟମିତ ହୋଇଯାଇଥିଲା। କର୍ପୋରେଟର୍‌ମାନେ ପାଟିତୁଣ୍ଡ‌ରେ ମାତି ଥିବାରୁ କେହି ଏସବୁ ଅନିୟମିତତା ଉପରେ ମୁହଁ ଖୋଲି ନଥିଲେ।

ସୂଚନାନୁଯାୟୀ, ଆଜି ପୂର୍ବାହ୍ନରେ କର୍ପୋରେସନ୍‌ ବୈଠକ ବସିଥିଲା। ଏଥିରେ କର୍ପୋରେଟର୍‌ମାନଙ୍କର ୧୨ଟି ପ୍ରଶ୍ନ ଓ ପ୍ରସ୍ତାବ ରହିଥିବା ବେଳେ ବିଏମ୍‌ସିର ୧୫ଟି ପ୍ରସ୍ତାବ ରହିଥିଲା। କିନ୍ତୁ କମିସନର୍‌ଙ୍କ ପାଖରେ ସବୁ ଆର୍ଥିକ କ୍ଷମତା ରହିବାକୁ ବିରୋଧ କରି କର୍ପୋରେଟର୍‌ମାନେ ପାଟିତୁଣ୍ଡ, ହୋ-ହଲ୍ଲାରେ ମାତି ଯାଇଥିଲେ। ସେମାନଙ୍କ କହିବା କଥା, ମେୟର୍‌ କଣ୍ଟ୍ରାକ୍ଟସ୍‌ କମିଟି ଅଧ୍ୟକ୍ଷ। ସେ ସବୁ ଟେଣ୍ଡର୍‌ର ନିଷ୍ପତ୍ତି ଓ ଯାଞ୍ଚ କରିବା କଥା। ହେଲେ ଦାୟିତ୍ବ ନେବା ପରଠାରୁ ତାଙ୍କ ପାଖକୁ କିମ୍ବା ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷଙ୍କ ପାଖକୁ କୌଣସି ଫାଇଲ୍‌ ଆସୁନାହିଁ। ସବୁ କାରବାର ଅଧିକାରୀମାନେ କରୁଛନ୍ତି।

ବିଏମ୍‌ସି ପ୍ରଶାସକଙ୍କୁ ଯେଉଁ ସବୁ କ୍ଷମତା ଦିଆଯାଇଥିଲା, ନିର୍ବାଚିତ ପରିଷଦ ଗଠନ ହେବା ପରେ ସେ ସବୁ କ୍ଷମତା‌ ମେୟର୍‌ଙ୍କ ହାତକୁ ଆସିଯିବା କଥା। କିନ୍ତୁ ଅଧିକାରୀମାନେ ଏହାକୁ ସରକାରୀ ନିଷ୍ପତ୍ତି କହି ହାତରୁ କ୍ଷମତା ଛାଡ଼ୁନାହାନ୍ତି। ଏମିତି ଅଭିଯୋଗ କରି କର୍ପୋରେଟର୍‌ମାନେ ହୋ-ହଲ୍ଲା କରିବାରୁ କମିସନର୍‌ ଶ୍ରୀ କୁଲାଙ୍ଗେ ପ୍ରତିଶ୍ରୁତି ଦେଇଥିଲେ। ସରକାରଙ୍କଠାରୁ ଏ ସଂପର୍କରେ ସ୍ପଷ୍ଟୀକରଣ ଲୋଡ଼ାଯିବ ବୋଲି କହିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ସେହିପରି କର୍ପୋରେଟର୍‌ ପ୍ରୀତିନନ୍ଦା ରାଉତ ବୈଠକରେ ଗୁରୁତର ଅଭିଯୋଗ ଆଣିଥିଲେ। ତିନିବର୍ଷ ଧରି ଅଫିସର୍‌ମାନେ ଦାୟିତ୍ବରେ ଥିଲା ବେଳେ ଯେଉଁ ସବୁ କାମ କରାଯାଇଛି, ସେଥିରେ ଦୁର୍ନୀତି ହୋଇଛି। ତେଣୁ ସେଗୁଡ଼ିକର ଫାଇଲ୍‌ କର୍ପୋରେଟରଙ୍କୁ ଦେଖାଯାଉ ବୋଲି କହିଥିଲେ। ସେହିଭଳି ଦିବଂଗତ ସମୀର ପ୍ରଧାନଙ୍କ ନାମରେ ରାସ୍ତା, ଉଚ୍ଛେଦ ପୂର୍ବରୁ ସ୍ଥାନୀୟ କର୍ପୋରେଟରଙ୍କୁ ସୂଚନା ଦେବା, ନୂଆ ପରିମଳ ପ୍ୟାକେଜ୍‌‌ରେ ରହିଥିବା ସମସ୍ୟା ଉପସ୍ଥାପନ କରିଥିଲେ କର୍ପୋରେଟର୍‌ ଅମରେଶ ଜେନା। ବୈଠକ ସରିବା ବେଳକୁ ୩ଟା ବାଜିଥିଲା। ଏଣୁ ବିଏମ୍‌ସି ରଖିଥିବା ୧୫ଟି ପ୍ରସ୍ତାବ ଆଲୋଚନ‌ାକୁ ଆସିପାରିନଥିଲା। ବିନା ଆଲୋଚନା‌ରେ ସେ ସବୁ ଉପରେ ମୋହର ବାଜିଥିଲା।

ସମ୍ବନ୍ଧିତ ଖବର