ଭୁବନେଶ୍ବର: ଜାଗା ମିସନ୍କୁ ବିବାଦ ବିଏମ୍ସି ପିଛା ଛାଡ଼ୁନି। ଭୂମି ଅଧିକାର ପ୍ରମାଣପତ୍ର ବାଣ୍ଟିବା ତାରିଖ ଯେତିକି ପାଖେଇ ଆସୁଛି, ବିବାଦ ସେତିକି ବଢ଼ୁଛି। ଏବେ ଆପତ୍ତି ଓ ପ୍ରସ୍ତାବ ଗ୍ରହଣ କରିବାର ଶେଷ ତାରିଖକୁ ନେଇ ବିବାଦ ଦେଖାଦେଇଛି। ପ୍ରସ୍ତାବ ଦାଖଲ କରିବାର ଶେଷ ତାରିଖ ଏପ୍ରିଲ ୨୯ ରଖାଯାଇଛି। ମାତ୍ର ରୁକୁଣା ରଥଯାତ୍ରା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ ୨୯କୁ ସ୍ଥାନୀୟ ଛୁଟି ଘୋଷଣା କରାଯାଇଥିବାରୁ ବିଏମ୍ସି କାର୍ଯ୍ୟାଳୟ ବନ୍ଦ ରହିବ। କେହି ବି ଆପତ୍ତି କିମ୍ବା ପ୍ରସ୍ତାବ ଦାଖଲ କରିପାରିବେ ନାହିଁ। ଧାର୍ଯ୍ୟ ସମୟ ବୃଦ୍ଧି କରାଯିବ କି ନାହିଁ, ବିଏମ୍ସି ପକ୍ଷରୁ କୌଣସି ସୂଚନା ଦିଆଯାଇ ନଥିବାରୁ ଆଜି ବିଏମ୍ସି କାର୍ଯ୍ୟାଳୟରେ ଭୟଙ୍କର ଭିଡ଼ ଦେଖିବାକୁ ମିଳିଥିଲା।
ପୂର୍ବାହ୍ନରୁ ହିଁ ଲମ୍ବା ତାଲିକା ଧରି ଅଭିଯୋଗକାରୀମାନେ ପହଞ୍ଚି ଯାଇଥିଲେ। ଗୋଟିଏ ସମୟରେ ୪୦୦ରୁ ଅଧିକ ଲୋକ ହାତରେ ଆପ୍ଲିକେସନ୍ ଧରି ବିଏମ୍ସି କାର୍ଯ୍ୟାଳୟରେ ପହଞ୍ଚିବାରୁ ଅସମ୍ଭାଳ ଭିଡ଼ ହୋଇଥିଲା। କିଏ ପ୍ରଥମ ମହଲାକୁ ପଶି ଯାଇଥିଲେ ତ ଆଉ କିଏ ତୃତୀୟ ମହଲା। କେହି କେହି ଅଫିସରଙ୍କ କାର୍ଯ୍ୟାଳୟ ଭିତରେ ଧସେଇ ପଶି ଅଭିଯୋଗ ଦାଖଲ କରିଥିଲେ। ପ୍ରସ୍ତାବଗୁଡ଼ିକ ଦାଖଲ ଲାଗି କାର୍ଯ୍ୟାଳୟରେ ସ୍ବତନ୍ତ୍ର ବାକ୍ସ ହୋଇଥିଲେ ମଧ୍ୟ ତାହା ଉପରେ କେହି ଭରସା କରି ନ ଥିଲେ। ସିଧାସଳଖ ଅଫିସର୍ଙ୍କୁ ଭେଟିବାକୁ ଯାଉଥିଲେ। ବାକ୍ସ ଭିତରେ ଅଭିଯୋଗପତ୍ର ପକାଇଲେ, ତାହା ଅଫିସରଙ୍କ ନିକଟକୁ ଯିବ କି ନାହିଁ, ସେନେଇ ବହୁ ଲୋକ ଦ୍ବନ୍ଦ୍ବରେ ପଡ଼ିଥିଲେ। ତେଣୁ ଅଫିସର୍ଙ୍କ ହାତରେ ଅଭିଯୋଗପତ୍ର ପ୍ରଦାନ କରିଥିଲେ।