ଭୁବନେଶ୍ବର: ଡଟ୍‌ ଫେଷ୍ଟରେ ଦୁଲୁକିଛି ପ୍ରଦର୍ଶନୀ ପଡ଼ିଆ। ଝୁମିଛନ୍ତି ଭୁବନେଶ୍ବରବାସୀ। ଜଲୱା ଦେଖାଇଛନ୍ତି ପଞ୍ଜାବୀ ଗାୟକ ଗୁରୁ ରନ୍ଧାୱା। ଚର୍ଚ୍ଚିତ ଗୀତ ‘ହାଏ ରେ ତେରା ନଖରା ତେରା ନି...’ ଗାଇ ଗାଇ ସେ ମଞ୍ଚକୁ ପ୍ରବେଶ କରିଥିଲେ। ଏହାପରେ ସେ ଗୋଟିଏ ପରେ ଗୋଟିଏ ଚର୍ଚ୍ଚିତ ଗୀତ ପରସି ଦେଇଥିଲେ। ‘ମୁଁ ମୋ ଗାର୍ଲଫ୍ରେଣ୍ଡ ପାଇଁ ଲେଖିଥିଲି ଆଜି ଆପଣଙ୍କ ପାଇଁ ଗାଇବି କହି ସେ ଗାଇଥିଲେ ‘ବନଜା ତୁ ମେରି ରାନୀ..’। ଏହି ଗୀତରେ ସେ ‘ମେ ଭୁବନେଶ୍ବର ଘୁମା ଦୁଙ୍ଗା’ ଯୋଡ଼ି ଦେଇଥିଲେ।

Advertisment

publive-image

ଯାହାପାଇଁ ତାଳିରେ ପ୍ରଦର୍ଶନୀ ପଡ଼ିଆ ଫାଟି ପଡ଼ିଥିଲା। ଆଉ ଦର୍ଶକ ମଧ୍ୟ ମଞ୍ଚ ପାଖକୁ ଉଠି ଆସିଥିଲେ। ଏହା ପରେ ଡାନ୍ସ ମେରୀ ରାନୀ ରାନୀ..., ଜିନ୍‌ହେ ମେରା ଦିଲ୍‌ ଲୁଟେୟା..., ଲଗ୍‌ଦି ଲାହୋର ଦିୟା... ଗୀତରେ ଦର୍ଶକ ମତୁଆଲା ହୋଇଥିଲେ। ଏହା ଛଡ଼ା ‘କଜରା ମହବତ ୱାଲା’ ଓ ‘ଗୁଲାବି ଆଖେଁ’ ଗୀତ ଦର୍ଶକ ଗୁରୁଙ୍କ ସହ ଗାଇଥିଲେ। ପ୍ରାୟ ଘଣ୍ଟାଏ କାଳ ଦର୍ଶକଙ୍କୁ ମଞ୍ଚ ନିକଟରେ ବାନ୍ଧି ରଖିଥିଲେ ରନ୍ଧାୱା।

ବିଦେଶୀ କଣ୍ଠରେ ରଙ୍ଗବତୀ

publive-image

ଗୁରୁ ରନ୍ଧାୱାଙ୍କ ପରେ ପରେ ଧୁମ୍‌ ମଚାଇଥିଲେ କୋରିଆନ୍‌ ଡାନ୍ସ ଗ୍ରୁପ୍‌ ‘ବ୍ଲାକ୍ ସ୍ବାନ୍‌’। ସେମାନେ ନୃତ୍ୟ ପରିବେଷଣ କରିଥିବା ପ୍ରାୟ ୫ଟି ଯାକ ଗୀତ ଇଂରାଜୀ ଥିଲା। ତେବେ ଏହି ଟିମ୍‌ ପ୍ରସିଦ୍ଧ ସମ୍ବଲପୁରୀ ଗୀତ ‘ରଙ୍ଗବତୀ’ ଗାଇଲା ବେଳେ ଦର୍ଶକମାନେ ତାଳି ମାରିବା ସହ ମଞ୍ଚ ତଳେ ନାଚିବା ଆରମ୍ଭ କରିଦେଇଥିଲେ। ଯଦିଓ ସେମାନେ କେବଳ ଗୀତର ମୁଖଡ଼ା ଗାଇଥିଲେ, ଦର୍ଶକ ତାହାକୁ ବେଶ୍‌ ଉପଭୋଗ କରିଥିଲେ। ‘ଜୟ ଜଗନ୍ନାଥ’ କହି ସେମାନେ ନିଜ ପରିବେଷଣ ଶେଷ କରିଥିଲେ।

ଶେଷରେ ନାଚିଲେ ଦିଶା

publive-image

ଶେଷରେ ଆସିଥିଲେ ବଲିଉଡ୍‌ ଅଭିନେତ୍ରୀ ଦିଶା ପଟାନୀ। ‘ତୁ ହି ତୋ ହୈ’ ଗୀତରେ ସାଥୀଙ୍କ ନାଚି ନାଚି ସେ ମଞ୍ଚ‌ରେ ପ୍ରବେଶ କରିଥିଲେ। ଏହା ପରେ ପରେ ତାଙ୍କ ‘କୋକା କୋକା କୋକା କଡ୍‌ତେ’ ଗୀତରେ ନାଚକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ସବୁ ଗ୍ୟାଲେରିରେ ଦର୍ଶକ ନାଚୁଥିବା ଦେଖାଯାଇଥିଲା। କିନ୍ତୁ ୧୩ ମିନିଟ୍‌ରେ ତାଙ୍କ ନାଚ ସରି ଯାଇଥିଲା। କଟକରେ ବିଶ୍ବକପ୍‌ ଉଦ୍‌ଘାଟନୀ ଉତ୍ସବରେ ଠିକ୍‌ ଏହି ଗୀତରେ ସେ ସମାନ ସମୟର ନାଚ କରିଥି‌ଲେ। ଲୋକ ଭାବିଥିଲେ ଉଦ୍‌ଘାଟନୀ ଉତ୍ସବ, ଏଣୁ ସମୟ ଅଭାବରୁ କମ୍‌ ସମୟ ପ୍ରଦର୍ଶନ କରାଯାଇଛି। ଏଣୁ ଲୋକମାନେ ଡଟ୍‌ଫେଷ୍ଟରେ ତାଙ୍କ ପ୍ରଦର୍ଶନକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ।

ଆରମ୍ଭରୁ ବିଶୃଙ୍ଖଳା

ଯେଉଁ ମହୋତ୍ସବ ପାଇଁ ଏତେ ପ୍ରସ୍ତୁତି, ଏତେ ଆୟୋଜନ, ଠିକ୍‌ ସେହି ମହୋତ୍ସବର ଆରମ୍ଭରୁ ବିଶୃଙ୍ଖଳା। ଆଜି ଡଟ୍‌ ଫେଷ୍ଟରେ ଏଭଳି ବିଶୃଙ୍ଖଳା ଦେଖିବାକୁ ମିଳିଥିଲା। ସିଲ୍‌ଭର ଟିକେଟ୍‌ ପାଇଥିବା ଦର୍ଶକ ପଛରେ ପ୍ଲାଷ୍ଟିକ୍‌ ଚଉକିରେ ବସିଥିଲେ। ସେଠାରୁ ମଞ୍ଚ ଦିଶୁ ନଥିଲା। ଯେତେ‌ବେଳେ ଗୁରୁ ରନ୍ଧାୱାଙ୍କ ସୋ’ ଆରମ୍ଭ ହେଲା ସେତେ‌ବେଳେ ଆଗରେ ଗୋଲ୍ଡ ଓ ପ୍ଲାଟିନମ୍‌ ସିଟ୍‌ରେ ବସିଥିବା ଦର୍ଶକ ସିଟ୍‌ରୁ ଉଠି ଛିଡ଼ା ହୋଇ ଯାଇଥିଲେ। ସେମାନଙ୍କ ମଧ୍ୟରୁ କିଛି ବାଡ଼ ଡେଇଁ ଆଗକୁ ଆଗକୁ ମାଡ଼ି ଯାଇଥିଲେ। କିନ୍ତୁ ସେମାନଙ୍କୁ ଅଟକାଇବା ପାଇଁ କେହି ନିଲେ। ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂଙ୍କଠାରୁ ଆରମ୍ଭ କରି ଅନ୍ୟ ବରିଷ୍ଠ ଅଧିକାରୀମାନେ ବି ଅସହାୟ ହୋଇ ପଡ଼ିଥିଲେ। ତେବେ କିଛି ସମୟ ପରେ ବାଡ଼ ଭାଙ୍ଗି ପଶିଥିବା ସମସ୍ତ ଦର୍ଶକଙ୍କୁ ପୁଲିସ ଘଉଡ଼ାଇଥିଲା।

ସିଲ୍‌ଭର୍‌ରେ ଗହଳି, ପ୍ରିମିୟମ୍‌ ଖାଲି

publive-image

ଡଟ୍‌ଫେଷ୍ଟରେ ଦର୍ଶକଙ୍କ ସଂଖ୍ୟାକୁ ନେଇ ଯାହା ଆଶା କରାଯାଉଥିଲା, ଆଜି ପ୍ରଥମ ଦିନରେ ତାହା ଦେଖିବାକୁ ମିଳି ନଥିଲା। ସେଭଳି ଗହଳି ଚହଳି ଦେଖିବାକୁ ମିଳି ନଥିଲା। ସିଲ୍‌ଭର୍‌ କାଟାଗୋରିରେ ଯଦିଓ ଭିଡ଼ ରହିଥିଲା, କିନ୍ତୁ ପ୍ରିମିୟମ୍‌ କାଟାଗୋରି ସିଟ୍‌ ଖାଲି ପଡ଼ିଥିଲା‌। ସୂଚନାନୁଯାୟୀ, ସର୍ବମୋଟ ୪ଟି କାଟାଗୋରିରେ ୭ ହଜାରରୁ ଊର୍ଦ୍ଧ୍ବ ଦର୍ଶକଙ୍କ ପାଇଁ ବସିବା ବ୍ୟବସ୍ଥା ହୋଇଥିଲା। କିନ୍ତୁ ସେଥିରେ ବହୁ ସିଟ୍‌ ଫାଙ୍କା ପଡ଼ିଥିଲା। ଏହାର ସୁଯୋଗ ନେଇ କେତେକ ଦର୍ଶକ ବିନା ପାସ୍‌ କିମ୍ବା ଟିକେଟ୍‌ରେ ଭିତରେ ପଶି ଯାଇଥିଲେ। ପ୍ରେସ୍‌ ପାସ୍‌ ନ ଥାଇ ବି କିଛି ଅମାନିଆ ପ୍ରେସ୍‌ ଗ୍ୟାଲେରିକୁ କବ୍‌ଜା କରିନେଇଥିଲେ। ସପରିବା‌ରେ ବସି ସୋ’ର ମଜା ଉଠାଇଥିଲେ। ତେବେ ଏ ସଂପର୍କରେ ଅଭିଯୋଗ ହେବା ପରେ ବିଡିଏର ଅଧିକାରୀ ସେମାନଙ୍କୁ ହଟାଇଥିଲେ। ତେବେ ଆଗକୁ ବହୁ ନାମୀଦାମୀ କଳାକାର ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର ଥିବାରୁ ଗହଳି ବଢ଼ିବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଡଟ୍‌ଫେଷ୍ଟରେ ବଲିଉଡ୍‌ ହାସ୍ୟାଭିନେତା ସୁନୀଲ ଗ୍ରୋଭର୍‌, କଣ୍ଠଶିଳ୍ପୀ ନିତିମୋହନ, ଅମିତ ତ୍ରିବେଦୀ, ଅଲକା ୟାଗ୍ନିକ୍‌ ଓ ଉଦିତ୍‌ ନାରାୟଣଙ୍କ ଭଳି କଳାକାର ନିଜର ଯାଦୁ ଦେଖାଇବେ।