ନନ୍ଦନକାନନରେ ରଜ: ପ୍ରଥମଦିନ ଗୁଳୁଗୁଳି, ସଂକ୍ରାନ୍ତିରେ ଗହଳି

ବାରଙ୍ଗ: କୋଭିଡ୍‌ କଟକଣା ପାଇଁ ଗତ ଦୁଇ ବର୍ଷ ହେଲା ରଜ ପର୍ବ ଅବସରରେ ବନ୍ଦ ରହିଥିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଏଥର କଟକଣା ହଟିଛି। ତେଣୁ ଚଳିତ ବର୍ଷ ରଜ ଅବସରରେ ନନ୍ଦନକାନନ‌ରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ତେବେ ପ୍ରବଳ ଗୁଳୁଗୁଳି ପାଇଁ ପହିଲି ରଜରେ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇଥିବା ବେଳେ ବୁଧବାର ରଜ ସଂକ୍ରାନ୍ତି ଅବସରରେ ରେକର୍ଡ ଭାଙ୍ଗିଛି ପର୍ଯ୍ୟଟକଙ୍କ ସଂଖ୍ୟା। ସେହିଭଳି ପହିଲି ରଜ ଦିନ ପ୍ରାୟ ୧୦ ଜଣ ଗୁଳୁଗୁଳି କାରଣରୁ ବେହୋସ୍ ହୋଇପଡ଼ିଥିବା ବେଳେ ସଂକ୍ରାନ୍ତି ଦିନ ଭିଡ଼ରେ କିଛି ପର୍ଯ୍ୟଟକ ମାଙ୍କଡ଼ କାମୁଡ଼ାର ଶିକାର ହୋଇଛନ୍ତି।

ପ୍ରଥମ ରଜରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅଫ୍‌ଲାଇନ୍‌ରେ ୨୦,୭୧୬ ଓ ଅନ୍‌ଲାଇନ୍‌ରେ ୪୧୦ ଟିକେଟ୍‌କୁ ମିଶାଇ ମୋଟ ୨୧,୧୨୬ ଟିକେଟ୍‌ ବିକ୍ରି ହୋଇଥିଲା। ସେହଭଳି ରାଜ୍ୟ ଉଦ୍ଭିଦ ଉଦ୍ୟାନ ପାଇଁ ମାତ୍ର ୬୪୯ ଟିକେଟ୍‌ ବିକ୍ରି ହୋଇଥିଲା। କିଛି ପର୍ଯ୍ୟଟଙ୍କ କହିବା କଥା ଶିଶୁ ଦୋଳି ଉଦ୍ୟାନ, ବ୍ୟାଟେରି ଚାଳିତ ଗାଡ଼ି ଓ ରୋପ୍‌ୱେ ଭଳି ମନୋରଞ୍ଜନ ବ୍ୟବସ୍ଥା ବନ୍ଦ ଥିବାରୁ ନନ୍ଦନକାନନ ଆକର୍ଷଣ ହରାଇଛି। ଏଥିସହିତ ଚଳିତ ବର୍ଷର ଗରମ ବେଶ୍ ଅସହ୍ୟ। ‌ଏଥିପାଇଁ ପର୍ଯ୍ୟଟକଙ୍କ ସଂଖ୍ୟା କମିଛି।

କିନ୍ତୁ ବୁଧବାର ସଂକ୍ରାନ୍ତି ଅବସରରେ ଏଠାରେ ପହିଲି ରଜର ଚିତ୍ର ବଦଳିଯାଇଥିଲା। ରେକର୍ଡ ୩୪ ହଜାର ୮୧୭ ଟିକେଟ୍‌ ବିକ୍ରି ହୋଇଥିଲା। ଅଫ୍‌ଲାଇନ୍‌ରେ ୩୪,୦୮୯ ଓ ଅନ୍‌ଲାଇନ୍‌ରେ ୭୨୮ ଟିକେଟ୍‌ ବିକ୍ରି ହୋଇଛି। ଗତ ୨୦୧୭ ମସିହାରେ ରଜ ଅବସରରେ ୩୨,୨୧୪ ଟିକେଟ୍‌ ବିକ୍ରି ହୋଇଥିଲା ଓ ଏହି ରେକର୍ଡ ଚଳିତ ବର୍ଷ ଭାଙ୍ଗିଛି। ତେବେ ରାଜ୍ୟ ଭଦ୍ଭିଦ ଉଦ୍ୟାନରେ ମାତ୍ର ୯୦୫ ଟିକେଟ ବିକ୍ରି ହୋଇଥିବା ଜଣାପଡିଛି। ବିଗତ ବର୍ଷମାନଙ୍କରେ ଏଠାରେ ଟିକେଟ୍‌ ବିକ୍ରି ସଂଖ୍ୟା ଏକ ହଜାର ଟପିଥିବା ବେଳେ ଚଳିତ ବର୍ଷ ସେଭଳି ହୋଇପାରିନାହିଁ। ଆଜି ଭିଡ଼ ଭିତରେ ମାଙ୍କଡ଼ ଆକ୍ରମଣ ପର୍ଯ୍ୟଟକଙ୍କୁ ସମସ୍ୟାରେ ପକାଇଥିଲା। କଟକ ଜିଲ୍ଲା ଅଡ଼ଶପୁରର ବି. ରମେଶ(୬୦), ୩ ବର୍ଷର ଏକ ଶିଶୁ ଓ ୨୦ ବର୍ଷ ବୟସ୍କ ଜଣେ ଯୁବକ ମାଙ୍କଡ଼ କାମୁଡ଼ାରେ ଆହତ ହୋଇଥିଲେ। ସମ‌ସ୍ତଙ୍କୁ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ ଚିକିତ୍ସା କରି ଛଡ଼ାଯାଇଥିଲା।

ସମ୍ବନ୍ଧିତ ଖବର