ଭୁବନେଶ୍ବର: ପାନର ଲାଲିମା ପୁଣି କୁଆଁରୀ ମନକୁ ଆନମନା କରିବ। ମଥାରେ ଟିପିଟିପି ଚନ୍ଦନକୁ ପାଦରେ ଅଳତା ଓ ହାତରେ ମେହେନ୍ଦି ଲଗାଇ ଝିଅମାନେ ସଜେଇ ହେବେ। ଘରୁ ଭାସି ଆସିବ ପୋଡ଼ ପିଠା ମହକ। ଦୋଳିରେ କୁଆଁରୀ ଝୁଲିବେ। ସମବେତ ସ୍ବରରେ ଭାସି ଆସିବ ପାରମ୍ପରିକ ରଜଗୀତ ‘ବନସ୍ତେ ଡାକିଲା ଗଜ.. ବରଷକେ ଥରେ ଆସିଛି ରଜ…’। ଏଥିପାଇଁ ଏବେଠାରୁ ଉତ୍ସବମୁଖର ହୋଇଉଠିଲାଣି ରାଜଧାନୀ।

Advertisment

ଗତ କିଛି ଦିନ ହେଲା ପ୍ରବଳ ଖରା ଓ ଗରମରେ ରାଜଧାନୀ ଅସ୍ତବ୍ୟସ୍ତ ହେଉଥିବା ବେଳେ ରାତିରେ ଜମୁଛି କିଣାବିକା ଆସର। ସଂଧ୍ୟାରେ ମାର୍କେଟ୍‌ ବିଲ୍ଡିଂଠାରୁ ଜନପଥ ଯାଏ, ସବୁଠି ଅସମ୍ଭାଳ ଭିଡ଼। କିଏ ନିଜ ମନ ପସନ୍ଦର ପୋଷାକ କିଣି ନେଉଛି ତ’ କିଏ ନିଜ ପୋଷାକ ସହ ମ୍ୟାଚ୍‌ କରୁଥିବା କାନ ଫୁଲ, ଚୁଡ଼ି ଓ ଅଳଙ୍କାର ବାଛି ନେଉଛି। ବିଭନ୍ନ ମଲ୍‌, ମାର୍କେଟ୍‌ ବିଲ୍ଡିଂ, ବିଉଟି ପାର୍ଲରରେ ମେହେନ୍ଦି ଆର୍ଟିଷ୍ଟ୍‌ମାନେ ବୁକିଂ ଆରମ୍ଭ କରି ଦେଲେଣି। ଆଜିଠାରୁ ବିଭିନ୍ନ ପାର୍ଲରରେ ଗହଳି ଆରମ୍ଭ ହୋଇଗଲାଣି। ରଜକୁ ନଜରରେ ରଖି ପାର୍ଲରଗୁଡ଼ିକ ଆକର୍ଷଣୀୟ ଅଫର୍‌ ଦେଉଛନ୍ତି। ବିଭିନ୍ନ ଅନ୍‌ଲାଇନ୍‌ ସପିଂ ସାଇଟ୍‌ରେ ଅଫର୍‌ ଧମାକା ‌ସହରିଆଙ୍କୁ ଘରେ ବସି ଜିନିଷ ଅର୍ଡର କରିବାକୁ ବାଧ୍ୟ କରୁଛି। ବିଭିନ୍ନ ସାଂସ୍କୃତିକ, ସାମାଜିକ ଅନୁଷ୍ଠାନ ପକ୍ଷରୁ ରଜ ଉତ୍ସବ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟ‌ରେ ପହଞ୍ଚିଲାଣି। ବାସ୍‌, ଆଉ ତିନି ଦିନର ଅପେକ୍ଷା। ରାଜଧାନୀରେ ଜମିବ ରଜ ଉତ୍ସବ।

ପାତ୍ରପଡ଼ାରେ ୧୫୦ ଦୋଳିରେ ଝୁଲିବେ କୁଆଁରୀ

publive-image The Indian Express

ଗୋଟିଏ କି ଦୁଇଟି ନୁହେଁ ପାତ୍ରପଡ଼ାରେ ଏଥର ଝୁଲିବ ୧୫୦ ଦୋଳି। ପ୍ରତିବର୍ଷ ପାତ୍ରପଡ଼ା ମହାରାଜା କ୍ରିକେଟ୍‌ ଆସୋସିଏସନ୍‌ ପକ୍ଷରୁ ଗାଁ ଖେଳପଡ଼ିଆରେ ଦେଢ଼ଶହରୁ ଅଧିକ ଦୋଳି ଲାଗୁଥିବା ବେଳେ କରୋନା ଯୋଗୁଁ ଏହି ସଂଖ୍ୟା କମିଥିଲା। ଆସୋସିଏସନ୍ ପକ୍ଷରୁ ଚଳିତ ଥର ତ୍ରୟୋଦଶ ବର୍ଷ ପାଇଁ ରଜ ପର୍ବ ଅନୁଷ୍ଠିତ ହେବ। ଏଥର ୧୪ରୁ ୧୭ ତାରିଖ ୪ ଦିନ ପର୍ଯ୍ୟନ୍ତ ଏହି ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ବୁଧବାରଠାରୁ ଏଠାରେ ରଜ ମଉଜ ଆରମ୍ଭ ହୋଇଯିବ। ଝିଅମାନେ ୪ ଦିନ ଧରି ଏଠାରେ ଦୋଳି ଖେଳିବା ସହ ମୀନାବଜାର ବୁଲିବା, ରାମ‌ଦୋଳି ଖେଳିବାର ସୁଯୋଗ ପାଇବେ। ଖାଦ୍ୟର ବିଶାଳ ପସରା ମଧ୍ୟ ଉତ୍ସବ ପରିସରରେ ଖୋଲିବ। ଏଥିସହ କୁଆଁରୀମାନଙ୍କୁ ଆକର୍ଷିତ କରିବା ପାଇଁ ଏଠାରେ ପୁଚି, ଝୋଟି, ହୁଳହୁଳି, ଶଙ୍ଖ ଫୁଙ୍କା ଓ ଦଉଡ଼ି ଡିଆଁ ଭଳି ପ୍ରତିଯୋଗିତା ଆୟୋଜିତ ହେବ। ବୋହୂମାନଙ୍କୁ ନେଇ ପୋଡ଼ ପିଠା ପ୍ରତିଯୋଗିତା ଅନୁଷ୍ଠିତ ହେବ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ। ଉତ୍ସବର ଆକର୍ଷଣ ପୋଡ଼ପିଠା ଓ ଏଠିକାର ପ୍ରସିଦ୍ଧ ରଜପାନ ମିଳିବ ବୋଲି ମହାରାଜା କ୍ରିକେଟ୍‌ ଆସୋସିଏସନ୍‌ ଉପସଭାପତି ରବୀନ୍ଦ୍ରନାଥ ସାହୁ କହିଛନ୍ତି।

ସେହିଭଳି ତ୍ରିଶକ୍ତି ମହିଳା ପରିଷଦ ପକ୍ଷରୁ ବରମୁଣ୍ଡା ଗ୍ରାମ ବିଜୁ ପଟ୍ଟନାୟକ ପଡ଼ିଆରେ ରଜ ‌ମହୋତ୍ସବ ଅନୁଷ୍ଠିତ ହେବ। ଏଠାରେ ଓଡ଼ିଶାର ସମସ୍ତ ପାରମ୍ପରିକ ପିଠା ସହ ପୋଡ଼ ପିଠାର ବିଶାଳ ପସରା ଖୋଲିବ। ଏଥିସହ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ମଧ୍ୟ ଉପଲବ୍ଧ ହେବ। ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ଉତ୍ସବର ପ୍ରଥମ ଦିନରେ ପରିଷଦର ମହିଳାମାନଙ୍କ ଦ୍ବାରା ‘ତୋ ସା‌ଥେ ବନ୍ଧା ମୋ ଜୀବନ ଡୋରି’ ନାଟକ ପରିବେଷିତ ହେବ। ଏଥିସହ ବହୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ।

ରଘୁନାଥପୁରରେ ଜମିବ ରଜ ମହୋତ୍ସବ

ଚନ୍ଦ୍ରଶେଖରପୁର: ରାଜଧାନୀ ଉପକଣ୍ଠ ରଘୁନାଥପୁର ଗ୍ରାମରେ ଅନୁଷ୍ଠିତ ହେବ ରଜ ମହୋତ୍ସବ- ୨୦୧୩। ଚଳିତବର୍ଷ ୧୦ ତମ ରଜ ମହୋତ୍ସବରେ ଭଳିକି ଭଳି ୭ ପ୍ରକାର ଦୋଳି ଏଠାରେ ଦେଖିବାକୁ ମିଳିବ। ଏହା ସହିତ ବିଭିନ୍ନ ପ୍ରକାର ଦେଶୀ ଖାଦ୍ୟ ଷ୍ଟଲ ଖୋଲିବ। ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ ସକାଳେ ଯୁବତୀମାନଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାର ପିଠା, ମିଠା ଓ ପାନ ଆୟୋଜକ ଅନୁଷ୍ଠାନ ପକ୍ଷରୁ ପ୍ରଦାନ କରାଯିବ। ଏହି ସମୟରେ ଗୋଟିଏ ସ୍ବତନ୍ତ୍ର କ୍ୟାମ୍ପରେ ରଜ ସଜବାଜ ପାଇଁ ବନ୍ଦୋବସ୍ତ କରାଯିବ ବୋଲି ରଘୁନାଥପୁର ରଜ ମହୋତ୍ସବ ପରିଚାଳନା କମିଟିର ମୁଖ୍ୟ ତଥା ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଶ୍ରୀନିବାସ ପଢ଼ିହାରୀ ସୂଚନା ଦେଇଛନ୍ତି। ଏହି ସମୟରେ ଯୁବତୀମାନଙ୍କ ଦୋଳି ଖେଳ ବ୍ୟତୀତ ଯୁବକମାନଙ୍କ ପଶା ପାଲି, ତାସ ଓ କବାଡ଼ି ଖେଳ ଅନୁଷ୍ଠିତ ହେବ।

ଯାତ୍ରା ପଡ଼ିଆରେ ଥିବା ଶତାଧିକ ଗଛରେ ରଶିଦୋଳି, ବାଉଁଶ ପେଙ୍ଗା, ଚକ ଦୋଳି ଏବଂ ଶଗଡ଼ ଦୋଳି ଲାଗିବ। ପ୍ରତେକ ଦିନ ସଂଧ୍ୟାରେ ସ୍ଥାନୀୟ କଳାକାରମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ‌ ବୋଲି ପ୍ରସ୍ତୁତି ହୋଇଛି। ସ୍ଥାନୀୟ ମୁରବି, ବରିଷ୍ଠ ନାଗରିକ, ସମାଜସେବୀ, ମହିଳା ଓ କୃତୀ ଛାତ୍ରଛାତ୍ରୀମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ। ପହିଲି ରଜରେ ଜନଗହଳି ହେବାର ସମ୍ଭାବନା ଥିବାରୁ ଆଇନ ଶୃଙ୍ଖଳା ପାଇଁ ନନ୍ଦନକାନନ ଥାନା ଓ କମିଟି ପକ୍ଷରୁ ସୁବିଧା ସୁଯୋଗ ବନ୍ଦୋବସ୍ତ କରାଯିବ ବୋଲି ଆୟୋଜକ କମିଟି ପକ୍ଷରୁ କୁହାଯାଇଛି।

ପୋଡ଼ ପିଠାଠୁ ଚନ୍ଦ୍ରକଳା ଯାଏ...

publive-image Wikimedia Commons

ଏଥର ରାଜଧାନୀରେ ରଜ ଅବସରରେ ପୋଡ଼ ପିଠାଠାରୁ ଆରମ୍ଭ କରି ଛେନା ମାଲପୁଆ, କରଞ୍ଜି, ଚନ୍ଦ୍ରକଳା, ମଣ୍ଡା, କାକରା, ଆରିସା, ଗଜା ଓ ଛେନା ଝିଲ୍ଲୀ ଭଳି ବହୁ ପିଠା, ମିଠାର ଆସର ଜମିବ। ଗୁଡ଼, ଚିନି ପୋଡ଼ ପିଠା ପୁଣି ଚାଉଳ ଓ ବିରିର ଅଲଗା ଅଲଗା ସାମଗ୍ରୀକୁ ନେଇ ପ୍ରସ୍ତୁତ ହେବ ମନମତାଣିଆ ପୋଡ଼ ପିଠା। ଏଥିପାଇଁ ପ୍ରସ୍ତୁତ ହେଲେଣି ସହରର ସମସ୍ତ ତାରକା ହୋଟେଲ ସହ ବହୁ ପିଠା ବ୍ୟବସାୟୀ। ଏଥିସହ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ମଧ୍ୟ ରାଜଧାନୀର ବିଭିନ୍ନ ସ୍ଥାନରେ ପିଠା ଷ୍ଟଲ୍‌ ଖୋଲିବ। ଓଟିଡିସି ପକ୍ଷରୁ ପାନ୍ଥନିବାସରେ ରଜ ୩ ଦିନ ପିଠାର ବିକ୍ରିବଟା ହେବ। ଏକାମ୍ର ହାଟସ୍ଥିତ ‘ପେଟ ପୂଜା ହୋଟେଲ’ ପକ୍ଷରୁ କାଜୁ, ଗୋଲମରିଚ ପଡ଼ିଥିବା ଆଣକୁ ଝାଉଁ କାଠରେ ପୋଡ଼ି ‘ଆମ୍ବ ପୋଡ଼ ପିଠା’ ଓ ‘ସପୁରୀ ପୋଡ଼ ପିଠା’ ପ୍ରସ୍ତୁତ କରାଯାଉଛି। ଗତବର୍ଷ ଏହି ପୋଡ଼ ପିଠା ପରୀକ୍ଷାମୂଳକ ଭାବେ ପ୍ରସ୍ତୁତ କରାଯାଇଥିଲା। ଗ୍ରାହକ ଏହାକୁ ଖୁବ୍‌ ପସନ୍ଦ କରିଥିବାରୁ ଏଥର ମଧ୍ୟ ଏହି ପିଠା ପ୍ରସ୍ତୁତ ହେବ ବୋଲି ପେଟ ପୂଜା ହୋଟେଲ ମାଲିକ ପ୍ରକାଶ ବେହେରା କହିଛନ୍ତି। ଏଥିସହ ‘ଝାଉଁ କାଠ ପୋଡ଼ା ପୋଡ଼ପିଠା’ ସହ ଛେନା ମାଲପୁଆ, କରଞ୍ଜି, ଚନ୍ଦ୍ରକଳା, ମଣ୍ଡା, କାକରା ଓ ଛେନା ଝିଲ୍ଲୀ ଆଦି ଏଠାରେ ଉପଲବ୍ଧ ହେବ। ପୋଡ଼ପିଠା କେଜିକୁ ୩୦୦ ଟଙ୍କା ରହିବ ଓ ଅଲଗା ପିଠା ଆକାର ଅନୁସାରେ ୨୦ ଟଙ୍କା ମଧ୍ୟରେ ରହିବ। ୧୩ ତାରିଖଠାରୁ ଏଠାରେ ପିଠା ବିକ୍ରି ଆରମ୍ଭ ହୋଇଯିବ।

ବୁଲାବୁଲି ଆସର

ରଜରେ ୩ ଦିନ ଧରି ଛୁଟି ପଡ଼ୁଥିବାରୁ ବୁଲାବୁଲି ଆସର ଜମିବ। ପ୍ରତିବର୍ଷ ରଜରେ ନନ୍ଦନକାନନ, ଧଉଳି, ଖଣ୍ଡଗିରି, ଉଦୟଗିରି, ପଠାଣୀ ସାମନ୍ତ ପ୍ଲାନେଟୋରିୟମ ଓ ରାଜ୍ୟ ସଂଗ୍ରହାଳୟ ପ୍ରମୁଖ ମୁଖ୍ୟ ଆକର୍ଷଣର ସ୍ଥାନ ପାଲଟେ। ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଏଠାରେ ବୁଲାବୁଲି କରନ୍ତି। ଏଥିସହ ଜୟଦେବ ବାଟିକା, ନନ୍ଦନକାନନ, ଶିଖରଚଣ୍ଡୀ, ଧଉଳି ପାଦଦେଶ, ଡେରାସ ଓ ଝୁମୁକା ଆଦି ସ୍ଥାନରେ ଭୋଜିଭାତର ଆସର ଜମେ। ତେବେ ରାଜ୍ୟରେ ପ୍ରବଳ ଗରମ ଓ ଗୁଳୁଗୁଳି ଜାରି ରହିଥିବାରୁ ରଜ ମଉଜ କେତେ ଜମିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ମଞ୍ଜୁଆତି ବଦଳରେ ମେହେନ୍ଦି

publive-image OdishaTV

ପୂର୍ବରୁ ରଜ ଆସିଲେ ମା’ ମାନେ ବାଡ଼ିରେ ହୋଇଥିବା ମଞ୍ଜୁଆତି ଗଛରୁ ପତ୍ର ତୋଳି ଆଣି, ବାଟି ଝିଅ ହାତରେ ଲଗାଇ ଦିଅନ୍ତି। ଏବେ ସେ ଯୁଗ ନାହିଁ। ‌ମଞ୍ଜୁଆତିର ସ୍ଥାନ ନେଇଛି ମେହେନ୍ଦି। ଏଣୁ ରଜ ଆସିଲେ ମେହେନ୍ଦି ଚାହିଦା କାହିଁରେ କେତେ ବଢ଼ିଯାଏ। ଭଳିକି ଭଳି ମେହେନ୍ଦି ଡିଜାଇନ୍‌ରେ ହାତକୁ ସଜେଇବା ପାଇଁ ଏବେଠାରୁ ବିଭିନ୍ନ ବିୟୁଟି ପାର୍ଲର ଓ ମାର୍କେଟ୍‌ରେ ମେହେନ୍ଦି ଆର୍ଟିଷ୍ଟଙ୍କ ଚାହିଦା ବଢ଼ିଯାଇଛି। ଗୋଟେ ହାତର ମେହେନ୍ଦି କହୁଣୀଠାରୁ ହାତ ପାପୁଲି ଓ ଆଙ୍ଗୁଠି ସବୁ କରିବାକୁ ୭୫୦ରୁ ୧୦୦୦ ଟଙ୍କା ପଡ଼ୁଛି। ସେହିଭଳି ୨୦୦ରୁ ଆରମ୍ଭ କରି ୨୦୦୦ଟଙ୍କା ପର୍ଯ୍ୟନ୍ତ ମେହେନ୍ଦି ଡିଜାଇନ୍‌ ପକାଯାଉଛି। ମେହେନ୍ଦି ଆର୍ଟିଷ୍ଟ ଗୀତା ମଣ୍ଡଳ କହିଛନ୍ତି, ବିବାହ ଋତୁ ପରେ ମେହେନ୍ଦିର ଅଧିକ ଚାହିଦା ସାବିତ୍ରୀ ଓ ରଜ ସମୟରେ ରହିଥାଏ। ଏଣୁ ଏହି ସମୟରେ ପାର୍ଲରରେ ନାହିଁ ନଥିବା ଭିଡ଼ ହୁଏ।