ସଟ୍‌ଡାଉନ୍‌ ପୂର୍ବରୁ ହାଟରେ ହାଉଜାଉ

ଭୁବନେଶ୍ବର : ଶନିବାରଠାରୁ ଆରମ୍ଭ ହେଉଛି ଦୁଇ ଦିନିଆ ସଟ୍‌ଡାଉନ୍‌। ତା’ପୂର୍ବରୁ ଆଜି ରାଜଧାନୀର ହାଟବଜାରରେ ନାହିଁ ନ ଥିବା ଭିଡ଼ ପରିଲକ୍ଷିତ ହୋଇଥିଲା। ହଠାତ୍‌ ରଜ ବଜାରର ଭ୍ରମ ସୃଷ୍ଟି ହୋଇଥିଲା। ସକାଳୁ ସକାଳୁ ଆମିଷ ବଜାରରେ ଗ୍ରାହକ ହାଉଜାଉ ହୋଇଥିଲେ। ଯିଏ ଯୁଆଡ଼େ ପାରିଲେ ଚାଲିଲେ। ସ୍ଥିତି ଏମିତି ହେଲା ଯେ ବ୍ୟବସାୟୀମାନେ କେଉଁଠି ବସିବେ ଓ କେମିତି ସାମାଜିକ ଦୂରତା ରକ୍ଷା କରିବେ ଜାଣିପାରିଲେ ନାହିଁ। ମାଛ, ମାଂସ ଦୋକାନରେ ଅସମ୍ଭାଳ ଭିଡ଼ ହୋଇଥିଲେ ମଧ୍ୟ ଜଗିବାକୁ ବିଏମ୍‌ସି ଅଧିକାରୀ କିମ୍ବା ପୁଲିସ କେହି ନ ଥିଲେ।

କେବଳ ଯେ ଆମିଷ ବଜାର ନୁହେଁ, ନିରାମିଷ ତଥା‌ ପରିବା ମାର୍କେଟ୍‌ରେ ବି ସମାନ ସ୍ଥିତି ଥିଲା। ଦୁଇ ଦିନ ଧରି ସହରରେ ହାଟ, ଦୋକାନ ‌ବନ୍ଦ ହେବାକୁ ଥିବାରୁ ଗ୍ରାହକମାନେ ସାମଗ୍ରୀ କିଣିବାକୁ ଲମ୍ବା ଲାଇନ୍‌ ଲଗାଇଥିଲେ। କିଏ ପରିବାର ସହ ହାଟକୁ ଆସିଥିଲେ ତ ଆଉ କିଏ କାର୍‌ ନେଇ ଆସିଥିଲେ। ‌ଦୃଶ୍ୟ ଦେଖିଲେ ଲାଗୁଥିଲା ‌ସତେ ଯେମିତି ଆଗକୁ କିଛି ଖାଇବାକୁ ମିଳିବନି, ସବୁ ସାମଗ୍ରୀ ଦର ବଢ଼ିଯିବ। ଏହାର ସୁଯୋଗ ନେଇ ବ୍ୟବସାୟୀମାନେ ମଧ୍ୟ କେତେକ ନିର୍ଦ୍ଦିଷ୍ଟ ସାମଗ୍ରୀ ଉପରେ ୨ରୁ ୫ ଟଙ୍କା ପର୍ଯ୍ୟନ୍ତ ଅଧିକ ନେଉଥିବା ପରିଲକ୍ଷିତ ହୋଇଥିଲା। ୟୁନିଟ୍‌-୧ ସମେତ ନୀଳାଦ୍ରିବିହାର, ୟୁନିଟ୍‌-୪, ଇନ୍ଦ୍ରଧନୁ ମାର୍କେଟରେ ଏଭଳି ସ୍ଥିତି ଉପୁଜିଥିଲା। ଭିଡ଼ ହୋଇଥିଲେ ମଧ୍ୟ କେତେକ ସ୍ଥାନରେ ଗ୍ରା‌ହକ ଓ ଦୋକାନୀଙ୍କ ମଧ୍ୟରେ ସାମାଜିକ ଦୂରତା ନ ଥିଲା। ଯିଏ ଯେମିତି ପାରିଲେ ବଜାରରେ ବୁଲୁଥିଲେ। ଅଧିକାଂଶ ଲୋକଙ୍କ ମୁହଁରେ ମାସ୍କ ନ ଥିଲା।

 

୬ ଲକ୍ଷ ୫୬ ହଜାର ଟଙ୍କାର ଜରିମାନା ଆଦାୟ, ୯ ଦିନରେ ଧରାପଡ଼ିଲେଣି ୬୪୭୧ ଅମାନିଆ
ଭୁବନେଶ୍ବର : ରାଜଧାନୀରେ ଅମାନିଆଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। କିଏ ମାସ୍କ ପିନ୍ଧୁନି ତ ଆଉ କିଏ ସାମାଜିକ ଦୂରତା ନିୟମକୁ ଭାଙ୍ଗୁଛି। କେଉଁଠି ଦୋକାନରେ ଭିଡ଼ ଲାଗୁଛି ତ ଆଉ କିଏ ଅମାନିଆ ହୋଇ ବୁଲିବା ସମୟରେ ଧରାପଡ଼ୁଛି। ୧୪ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଗତ ୯ ଦିନ ଭିତରେ ଏଭଳି ୬୪୭୧ ଜଣ ଅମାନିଆ ଆଇନ ଭାଙ୍ଗି ଦଣ୍ଡିତ ହୋଇଛନ୍ତି। ସାମାଜିକ ଦୂରତା ନିୟମ ଭାଙ୍ଗି ୪ ହଜାର ୪୨୦ ଓ ମାସ୍କ ନିୟମ ଭାଙ୍ଗି ୨୦୫୧ ଜଣ ଧରା ପଡ଼ିଛନ୍ତି। ସେମାନଙ୍କଠାରୁ ୬ ଲକ୍ଷ ୫୬ ହଜାର ୩ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି।

ସମ୍ବନ୍ଧିତ ଖବର