ଭିତରେ, ବାହାରେ ସବୁଠି ଭିଡ଼; ‌ଦୋକାନରେ ଯେତିକି, ରାସ୍ତାରେ ସେତିକି, ନାକେଦମ୍‌ କଲା ଟ୍ରାଫିକ୍‌ ଜାମ୍‌

ଭୁବନେଶ୍ୱର : ଶୁକ୍ରବାର ଦିନତମାମ ରାଜଧାନୀର ସବୁଆଡ଼େ ଦେଖିବାକୁ ମିଳିଥିଲା ଅସମ୍ଭାଳ ଭିଡ଼। ହାଟ, ବଜାର, ରାଜପଥ ସବୁଠି ଜନସମୁଦ୍ର। ଦୋକାନ ଭିତରେ ଯେତିକି ଭିଡ଼, ରାଜପଥରେ ତା’ଠୁ ଅଧିକ। ଧନତେରାସ୍‌ ପାଇଁ ସୁନା ଦୋକାନରେ ସ୍ବାଭାବିକ ଭିଡ଼ ପରିଲକ୍ଷିତ ହୋଇଥିବା ବେଳେ ପୂଜା ସାମଗ୍ରୀ ଓ ଫଳ ଦୋକାନରେ ବି ଭିଡ଼ କମ୍ ନଥିଲା। ସେହିଭଳି ଡ୍ରେସ୍‌ ଦୋକାନଗୁଡ଼ିକ ମଧ୍ୟ ଗ୍ରାହକ ଭିଡ଼ରୁ ବର୍ତ୍ତିନଥିଲା। ଶନିବାର ଦୀପାବଳି ଓ ପରଦିନ ରବିବାର ଥିବାରୁ ବହୁ ଲୋକ ଗାଁମୁହାଁ ହୋଇଥିଲେ। ଦୁଇ ଦିନିଆ ଛୁଟି ପାଇ ଗାଁକୁ ଯାଉଥିବାରୁ ଲୋକେ ମାର୍କେଟିଂ କରୁଥିଲେ। ତେଣୁ ଆଜି ରାଜଧାନୀର ସବୁ ସ୍ଥାନରେ ଅହେତୁକ ଭିଡ଼ ଲାଗି ରହିଥିଲା।

ଭିଡ଼ ଦେଖି ଏମିତି ଲାଗୁଥିଲା ଯେପରି ଆଜି ଦିନକ ପାଇଁ ରାଜଧାନୀରେ କରୋନା କଟକଣାକୁ କୋହଳ କରି ଦିଆଯାଇଥିଲା। ବହୁ ସୁନା ଦୋକାନରେ କଟକଣାଜନିତ ଧାର୍ଯ୍ୟ ସଂଖ୍ୟାରୁ ଅଧିକ ଗ୍ରାହକ ଥିଲେ ହେଁ ଯାଞ୍ଚ କରାଯାଉ ନଥିଲା। ହାଟରେ ମଧ୍ୟ ଅନୁରୂପ ଅବସ୍ଥା। ପୂଜା ସାମଗ୍ରୀ ଦୋକାନରେ ଲୋକେ ଦୀପ, ମହମବତି ଓ ତେଲ ଆଦି କିଣୁଥିବା ବେଳେ ଠେଲାପେଲା ହେବା ସ୍ଥିତି ଉପୁଜିଥିଲା। କିନ୍ତୁ କେହି ବାରଣ କରିବାକୁ ନଥିଲେ। କାଳୀପୂଜା ପାଇଁ ମଧ୍ୟ ଭୋଗ ବଜାରରେ ବେଶ୍ ଜାମ୍‌ ହୋଇଥିଲା। ସନ୍ଧ୍ୟାରେ ଟ୍ରାଫିକ୍‌ ସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା। ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଯିବା ପାଇଁ ଗାଡ଼ି ଚାଳକଙ୍କୁ ନାକେଦମ୍ ହେବାକୁ ପଡ଼ିଥିଲା। ଘଣ୍ଟା ଘଣ୍ଟା ଭିଡ଼ ଭିତରେ ଫସି ରହି ଚାଳକମାନେ ଅଣନିଃଶ୍ବାସୀ ହୋଇପଡ଼ିଥିଲେ। ରାଜମହଲରୁ ଏଜି ଛକ, ଜନପଥ, କଟକରୋଡ୍, ଜାଗମରା, ଜୟଦେବ ବିହାରରୁ ପଟିଆ ଓ ଖଣ୍ଡଗିରି ଛକରେ ସାଂଘାତିକ ଭିଡ଼ ହୋଇଥିଲା। ଖଣ୍ଡଗିରି ଛକ, ଉତ୍ତରା ଛକ ଓ ପଳାଶୁଣୀ ଛକରେ ବି ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ତେବେ ପଳାଶୁଣୀ ଛକ ନିକଟରେ ଘଟିଥିବା ଏକ ଦୁର୍ଘଟଣା ପାଇଁ ସେଠାରେ ରାସ୍ତା କିଛି ସମୟ ପାଇଁ ଜାମ୍ ରହିଥିଲା। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଟ୍ରାଫିକ ପୁଲିସକୁ ନାକେଦମ୍ ହେବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର