ଭୁବନେଶ୍ବର : ସକାଳୁ ସହରରେ ଲୋକ ହାଉଯାଉ। ଯୁଆଡ଼େ ଚାହିଁଲେ ସିଆଡ଼େ ଗଡ଼ୁଛି ଗାଡ଼ି। ହଜାର ହଜାର ବାଇକ୍, କାର, ଅଟୋ, ଟ୍ରକ୍ ରାସ୍ତାରେ ଚାଲୁଥିବା ବେଳେ ଟ୍ରାଫିକ୍ ଅବସ୍ଥା ନ କହିବା ଭଲ। ଲାଗୁଥିଲା ଭୁବନେଶ୍ବରରେ ସତେ ଯେମିତି କରୋନା ଭୟ ବୋଲି କିଛି ନାହିଁ। ଜୁନ୍ ପହିଲାରୁ ସବୁ କିଛି ଦୂରେଇ ଯାଇଛି। ସହର ପୁଣିଥରେ ପୂର୍ବ ସ୍ଥିତିକୁ ଫେରି ଆସିଛି। ଲକ୍ଡାଉନ୍-୪ ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ କଟକଣା ସାମାନ୍ୟ କୋହଳ ହେବା କ୍ଷଣି ଆଜି ରାଜଧାନୀର ଚିତ୍ର ଥିଲା ଏମିତି। ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଥିବା ବେଳେ କଳ୍ପନା ଟ୍ରାଫିକ୍ ଛକ ସ୍ଥିତି ତଦ। କେବଳ ବିମାନବନ୍ଦରରୁ ଆଚାର୍ଯ୍ୟ ବିହାର ପର୍ଯ୍ୟନ୍ତ ରାସ୍ତାକୁ ଛାଡ଼ି ଦେଲେ ରାଜଧାନୀର ଅନ୍ୟ ସମସ୍ତ ଅଞ୍ଚଳରେ ଗହଳି ଦେଖିବାକୁ ମିଳିଥିଲା। ପୂର୍ବାହ୍ନ ସାଢ଼େ ୯ଟାରୁ ସାଢ଼େ ୧୧ଟା ଓ ଅପରାହ୍ନ ୪ଟାରୁ ୬ ଯାଏ ସବୁ ଛକରେ ଟ୍ରାଫିକ୍ ପରିଚାଳନା କରିବା ପୁଲିସ ପାଇଁ ନାକେଦମ ହୋଇପଡ଼ିଥିଲା।
ମୁହଁରେ ନାହିଁ ମାସ୍କ
ମାସ୍କ ପିନ୍ଧିବାକୁ କଟକଣା ବଳବତ୍ତର ରହିଛି। ଯିଏ ନ ପିନ୍ଧିବ ତା’ଠାରୁ ଫାଇନ୍ ଆଦାୟ କରାଯିବ ବୋଲି ନିୟମ ରହିଛି। ତେବେ ଆଜି ସହରରେ ଲୋକ ହାଉଯାଉ ହେଉଥିଲେ ମଧ୍ୟ ଅଧିକାଂଶଙ୍କ ମୁହଁରେ ମାସ୍କ ନ ଥିଲା। ବାଇକ୍ ଚାଳକ ହେଲ୍ମେଣ୍ଟ ପିନ୍ଧିଥିବାରୁ ମାସ୍କକୁ ଓହ୍ଲାଇ ଦେଉଥିଲେ। କାର୍ ଚାଳକଙ୍କ କଥା ନ କହିବା ଭଲ। ସେମାନେ କାଚ ଦେଇ ଭିତରେ ବସିଥିବାରୁ ମୁହଁରେ ମାସ୍କ ଦେବାକୁ ଉଚିତ୍ ମଣି ନ ଥିଲେ। ଦୋକାନକୁ ଯାଉଥିବା କେତେକ ଗ୍ରାହକ ମାସ୍କ ପିନ୍ଧୁଥିଲେ ମଧ୍ୟ ତାହା ନାକ ଓ ପାଟି ତଳକୁ ରହିଥିଲା। କେବଳ ଦେଖାଇ ହେବା ଲାଗି ମାସ୍କ ପିନ୍ଧିଥିବା ସ୍ପଷ୍ଟ ଜଣାପଡ଼ୁଥିଲା। ଅଧିକାଂଶ ଦୋକାନୀ ବି ମାସ୍କ ବ୍ୟବହାର କରୁ ନଥିବା ନଜରକୁ ଆସିଥିଲା।
ଗାଡ଼ି ପାର୍କିଂ ପାଇଁ ଜାଗା ନାହିଁ
ଲକ୍ଡାଉନ୍ ପୂର୍ବରୁ ତଥା ମାର୍ଚ୍ଚ ୨୧ ପୂର୍ବରୁ ବାପୁଜୀ ନଗରର ଚିତ୍ର ଯାହା ଥିଲା ଆଜି ଅନ୍ଲକ୍-୧ରେ ସେଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଖଚାଖଚ୍ ଭିଡ଼। ଗାଡ଼ି ଥୋଇବାକୁ ବି ଜାଗା ନାହିଁ। ପ୍ରବେଶ ପଥରୁ ପସ୍ଥାନ ପର୍ଯ୍ୟନ୍ତ ସବୁଠି ବାଇକ୍, କାର ପାର୍କିଂ। ଲୋକଙ୍କ ସଂଖ୍ୟା ବି ସେମିତି। ପୂର୍ବାହ୍ନରେ ଇଲୋକ୍ଟ୍ରୋନିକ୍ସ, ମୋବାଇଲ୍ ଦୋକାନରେ ସବୁଠାରୁ ଅଧିକ ଭିଡ଼ ଲାଗିଥିଲା। ଗ୍ରାହକମାନେ ମୁହଁରେ ମାସ୍କ ପିନ୍ଧିଥିଲେ ମଧ୍ୟ ପରସ୍ପର ମଧ୍ୟରେ ସାମାଜିକ ଦୂରତା ନ ଥିଲା। କିଛି ଦୋକାନରେ ଏକାଥରେ ୬ରୁ ଅଧିକ ଗ୍ରାହକ ପ୍ରବେଶ କରୁଥିଲେ। ସେହିପରି ବାପୁଜୀ ନଗର ମାର୍କେଟ ବାହାର ତଥା ରାଜମହଲ ଛକରୁ ଶିଶୁ ଭବନ ଛକ ରାସ୍ତା ପାର୍ଶ୍ବରେ ଶତାଧିକ କାର୍ ପାର୍କିଂ ହୋଇଥିବା ଦେଖିବାକୁ ମିଳିଥିଲା।
ଟ୍ରାଫିକ୍ ଛକରେ ଭିଡ଼
ପୂର୍ବାହ୍ନରେ ସହରର ସମସ୍ତ ଟ୍ରାଫିକ୍ ଛକରେ ଅସମ୍ଭାଳ ଭିଡ଼ ରହିଥିଲା। ଗାଡ଼ି ଚାଳକ ସିଗ୍ନାଲ ଡେଇଁବା ପାଇଁ ବହୁ ସମୟ ଧରି ଅପେକ୍ଷା କରି ରହିଥିଲେ। ବିଶେଷକରି ସହରର ଡମଣା, ନାଲକୋ, ଜୟଦେବ ବିହାର, କଳ୍ପନା ଛକ, ରସୁଲଗଡ଼, ସିଆରପି ଛକ, ମାଉସୀ ମା’ ଛକ, ରବି ଟକିଜ୍ ଛକ, ହଂସପାଳ ଛକରେ ନାହିଁ ନ ଥିବା ଜାମ୍ ହୋଇଥିଲା। ପୂର୍ବାହ୍ନରେ ଅଫିସ୍ ସମୟ ହୋଇଥିବାରୁ ବହୁ ଲୋକ ଗାଡ଼ିରେ ଯିବା ଆସିବା କରୁଥିବାରୁ ଦୁଇ ଘଣ୍ଟା ଧରି ସବୁଠି ଏଭଳି ଭିଡ଼ ପରିଲକ୍ଷିତ ହୋଇଥିଲା। ଗତକାଲି ପର୍ଯ୍ୟନ୍ତ ତଥା ଲକ୍ଡାଉନ୍ ସମୟରେ ଟ୍ରାଫିକ୍ ଛକରେ ଜଣେ ଲେଖାଏ ପୁଲିସ ରହୁଥିବା ବେଳେ ଆଜି ସମସ୍ତ ଟ୍ରାଫିକ୍ ଛକରେ ଦୁଇରୁ ତିନି ଜଣଙ୍କୁ ଦେଖିବାକୁ ମିଳିଥିଲା।
ଭୁଲିଗଲେ ସାମାଜିକ ଦୂରତ୍ବ
କରୋନା ମୁକାବିଲା ପାଇଁ ସାମାଜିକ ଦୂରତ୍ବ ଏକ ବଡ଼ ମାଧ୍ୟମ। ଏହାକୁ କଡ଼ାକଡ଼ି ପାଳନ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିୟମ କରିଛନ୍ତି। ତେବେ ଅନ୍ଲକ୍-୧ରେ ସହରବାସୀ ସବୁ କିଛି ଭୁଲିଗଲେ। ସାମାଜିକ ଦୂରତ୍ବ ବୋଲି କିଛି ରହୁ ନ ଥିବା ଦେଖିବାକୁ ମିଳିଥିଲା। ବିଶେଷକରି ଦୋକାନଗୁଡ଼ିକରେ ଗ୍ରାହକମାନେ ପାଖକୁ ପାଖ ଛିଡ଼ା ହୋଇ ରହିଥିଲେ। ବାପୁଜୀ ନଗର, ୟୁନିଟ୍-୨ ମାର୍କେଟ ସମେତ ସତ୍ସଙ୍ଗ ବିହାର, ଚନ୍ଦ୍ରଶେଖରପୁର, ଡମଣା-ଶୈଳଶ୍ରୀବିହାର ରାସ୍ତା, କିଟ୍ ରୋଡ, କଳ୍ପନା ଛକରୁ ଏଜି ଛକ, ଜନପଥ ନିକଟରେ ଥିବା ଦୋକାନରେ ସାମାଜିକ ଦୂରତ୍ବ ରହି ନ ଥିଲା। ଜଣଙ୍କୁ ଧକ୍କା ଦେଇ ଆଉ ଜଣେ ଆଗକୁ ଯାଇ ସାମଗ୍ରୀ କିଣିବାକୁ ଲାଗିପଡ଼ିଥିଲେ।
ସନ୍ଧ୍ୟା ସାଢ଼େ ୬ରୁ ସଟର୍
ରବିବାର କେନ୍ଦ୍ର ସରକାରଙ୍କ କଟକଣା କୋହଳ ହେବା ନେଇ ଘୋଷଣା ପରେ ବ୍ୟବସାୟୀ ଭାବିଥିଲେ ରାତି ୯ଟା ଯାଏ ବେପାର ଚାଲିବ। ତେବେ ପୂର୍ବ କଟକଣା କୋହଳ ହେବ ନାହିଁ ବୋଲି ଅପରାହ୍ନରେ ରାଜ୍ୟ ସରକାର ସ୍ପଷ୍ଟ କରିବା ପରେ ବେପାରୀଙ୍କ ହାଲ୍ ବେହାଲ ହୋଇଯାଇଥିଲା। ସନ୍ଧ୍ୟା ୭ଟାଠାରୁ କର୍ଫ୍ୟୁ ଲାଗୁ ହେବ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ କହିଥିଲେ। ତେଣୁ ବ୍ୟବସାୟୀ ସନ୍ଧ୍ୟା ସାଢ଼େ ୬ଟାରୁ ଦୋକାନ ସଟର୍ ଟାଣିଥିଲେ। ସହରର କେତେକ ସ୍ଥାନରେ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ଦୋକାନୀଙ୍କୁ ତାଗିଦ୍ କରୁଥିବାର ଦୃଶ୍ୟ ନଜରକୁ ଆସିଥିଲା।