ଭୁବନେଶ୍ବର: ପୂଜାରେ ଭିଡ଼ରେ ଫସି କଲବଲ ହୋଇଥିଲେ। ଭସାଣିରେ ବି ଭିଡ଼ ଯନ୍ତ୍ରଣାରେ ଦହଗଞ୍ଜ ହୋଇଛନ୍ତି। ଆଜି ସହିଦନଗର ଭସାଣି ଉତ୍ସବ, ନୟାପଲ୍ଲୀ ଭସାଣି ଉତ୍ସବ, ସବୁଠି ଟ୍ରାଫିକ୍ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଲୋକେ କମିସନରେଟ୍ ପୁଲିସ ଜାରି କରିଥିବା ମାର୍ଗଦର୍ଶିକାକୁ ମାନିନାହାନ୍ତି। ଯେଉଁଠି ପାରିଛନ୍ତି, ପାର୍କିଂ କରିଛନ୍ତି। ଫ୍ଲାଏଓଭର ତଳେ ଓ ଉପରେ ଗାଡ଼ି ପାର୍କିଂ ଲୋକଙ୍କୁ ଯା’ଆସ ବେଳେ ନାକେଦମ୍ କରିଛି। ପୁଲିସ ବି ଭିଡ଼ ଦେଖି ଅସହାୟ ହୋଇପଡ଼ିଥିଲା। ସ୍ଥିତି ଏପରି ହୋଇଥିଲା ଯେ ବଡ଼ ଗାଡ଼ି ତ ଦୂରର କଥା ଦୁଇଚକିଆ ବି ଯିବା କାଠିକର ପାଠ ହୋଇପଡ଼ିଥିଲା। ଆଜି ବିଳମ୍ବିତ ରାତି ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିଥିଲା।
ଭସାଣି ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ବଡ଼ ଗାଡ଼ି ଓ ଛୋଟ ଗାଡ଼ି କେଉଁ ବାଟ ଦେଇ ଯା’ଆସ କରିବେ, ସେଥିପାଇଁ ମାର୍ଗଦର୍ଶିକା ଜାରି କରାଯାଇଥିଲା। ବଡ଼ ଗାଡ଼ିଗୁଡ଼ିକର ଗତିପଥ ପରିବର୍ତ୍ତନ କରାଯାଇଥିଲା। ଭସାଣି ଭିଡ଼କୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ପୁଲିସ କେବଳ ମାର୍ଗଦର୍ଶିକା ଜାରି କରି ରହିଯାଇଥିଲା। ଏହା କିପରି କାର୍ଯ୍ୟକାରୀ ହେବ ସେ ନେଇ ଗୁରୁତ୍ବ ଦେଇ ନଥିଲା। ତେଣୁ ପୁଲିସର ଏହି ମାର୍ଗଦର୍ଶିକାକୁ କେହି ଅନୁପାଳନ କରିନାହାନ୍ତି। ମନଇଛା ଭିଡ଼ରେ ଫସିଛନ୍ତି ଓ ଟ୍ରାଫିକ୍ ସମସ୍ୟା ସୃଷ୍ଟି କରିଛନ୍ତି। ସେପଟେ ପୁଲିସ କେବଳ ଦେଖଣାହାରୀ ସାଜିଥିଲା। ଭିଡ଼ ନିୟନ୍ତ୍ରଣ ପାଇଁ ବିକଳ୍ପ ବ୍ୟବସ୍ଥା କରି ନଥିଲା। ନୟାପଲ୍ଲୀ ସ୍ଥିତି ଅସମ୍ଭାଳ ହୋଇପଡ଼ିଥିଲା। ଫ୍ଲାଏଓଭର ଉପରେ ଓ ତଳେ ଲୋକେ ଗାଡ଼ି ପାର୍କିଂ କରି ଭସାଣି ଦେଖିଥିଲେ। ଅପରପକ୍ଷେ ସବୁ ପୂଜା କମିଟି ଭସାଣି ଉତ୍ସବ ସ୍ଥଳରେ ଏକାଠି ହେବା ପରେ ଯାଇ ଭସାଣି ଯାତ୍ରା ଆରମ୍ଭ କରିବେ ବୋଲି ନିଷ୍ପତ୍ତି ହୋଇଥିଲା। କିନ୍ତୁ ଯେଉଁ ପୂଜା କମିଟି ଯେଉଁଠୁ ବାହାରିଥିଲେ, ସେଠାରୁ ଶୋଭାଯାତ୍ରା କରି ବାହାରିଥିଲେ। ଯାହା ଭିଡ଼ର ଅନ୍ୟତମ କାରଣ ସାଜିଥିଲା।
୩୫୦ରୁ ଅଧିକ ମୋବାଇଲ୍ ଚୋରି
ଦଶହରା ଓ ରାବଣପୋଡ଼ି ଉତ୍ସବ ବେଳେ ରାଜଧାନୀରେ ମୋବାଇଲ୍ ଚୋରଙ୍କ ଉତ୍ପାତ ଦେଖିବାକୁ ମିଳିଛି। ଚଳିତ ବର୍ଷ ରାଜଧାନୀରେ ମୋଟ ୭ଟି ସ୍ଥାନରେ ରାବଣପୋଡ଼ି ଉତ୍ସବ ପାଳନ କରାଯାଇଥିଲା। ବର୍ଷା ସତ୍ତ୍ବେ ରାବଣପୋଡ଼ି ଦେଖିବାକୁ ହଜାର ହଜାର ସଂଖ୍ୟାରେ ଦେଖଣାହାରୀଙ୍କ ଭିଡ଼ ଜମିଥିଲା। ଗୋଟିଏ ପଟେ ରାବଣପୋଡ଼ି ଚାଲିଥିବା ବେଳେ ଅନ୍ୟପଟେ ଦେଖଣାହାରୀଙ୍କ ପ୍ରାୟ ୩୫୦ରୁ ଅଧିକ ମୋବାଇଲ୍ ଚୋରି ହେବା ନେଇ ବିଭିନ୍ନ ଥାନାରେ ଅଭିଯୋଗ ହୋଇଛି। କେବଳ ବରମୁଣ୍ଡାସ୍ଥିତ ପଡିଆରୁ ୧୦୦ରୁ ଅଧିକ ମୋବାଇଲ୍ ଚୋରି ହୋଇଥିବା ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି। ମୋବାଇଲ୍ ଚୋରି ପରେ ଥାନାରେ ଅଭିଯୋଗକାରୀଙ୍କ ଲମ୍ବା ଲାଇନ୍ ଦେଖବାକୁ ମିଳିଥିଲା। ପୁଲିସ ତିନିଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।
ଗତକାଲି ଦିନ ତମାମ ପୂଜାମଣ୍ଡପଗୁଡ଼ିକ ନିକଟରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ସନ୍ଧ୍ୟାରେ ଏହି ଗହଳି ନିୟନ୍ତ୍ରଣ କରିବାକୁ ପୁଲିସକୁ ଅଣାୟତ୍ତ ହେବାକୁ ପଡ଼ିଥିଲା। ଏହାର ଫାଇଦା ଉଠାଇ ବିଭିନ୍ନ ପୂଜାମଣ୍ଡପ ଓ ମେଳଣ ପଡ଼ିଆରେ ଚୋରମାନେ ସକ୍ରିୟ ହୋଇଉଠିଥିଲେ। ବରମୁଣ୍ଡା, ନୂଆପଲ୍ଲୀ, ବଡ଼ଗଡ଼, ଏୟାର୍ଫିଲ୍ଡ ଆଦି ଅଞ୍ଚଳରେ ହୋଇଥିବା ରାବଣପୋଡ଼ି ଉତ୍ସବରେ ହଠାତ୍ ଭିଡ଼ ବଢ଼ିବାରେ ଲାଗିଥିଲା। ଏହି ସମୟରେ ଚୋରମାନେ ବାଣଶବ୍ଦ ଓ ଲୋକମାନଙ୍କ ଅସାବଧନତାକୁ ଦେଖି ମୋବାଇଲ୍, ଭ୍ୟାନିଟି ବ୍ୟାଗ୍, ମନିପର୍ସ ଆଦି ଚୋରାଇ ନେଇଥିଲେ। ପୂଜାମଣ୍ଡପ ନିକଟରେ ସିସି କ୍ୟାମେରା ଲାଗିଥିଲେ ମଧ୍ୟ ପଡ଼ିଆଗୁଡ଼ିକରେ ଚୋରି ରୋକିବା ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା। ଏତେ ପରିମାଣରୁ ଚୋରି ପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।