ପେଗ୍‌ ଫ୍ରି ଡ୍ରିଙ୍କ୍‌ସ ପାଇଁ ବାର୍‌ରେ ଭିଡ଼: ସରକାରୀ ଗାଇଡ୍‌ଲାଇନ୍‌କୁ ଫୁ’, ରାତି ବଢ଼ିଲେ ତାତି ବଢ଼ୁଛି

ଚନ୍ଦ୍ରଶେଖରପୁର: ‘ଦମ୍ ମାରୋ ଦମ୍, ୟେ ହେ ଡ୍ୟାନ୍ସ ବାର୍, ହୁକା ବାର୍, ସାତ ସମୁନ୍ଦର…’ ଭଳି ଧମାକାଦାର୍‌ ହିନ୍ଦୀ ଗୀତର ଧୂନ୍‌ରେ ମସ୍‌ଗୁଲ୍‌ ହୋଇଉଠୁଛି ବାର୍‌ ପରିସର। ମଦ ନିଶାରେ ଚୁର୍ ଯୁବକଯୁବତୀମାନେ ମତୁଆଲା ହୋଇ ନାଚୁଛନ୍ତି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଜମୁଛି ଏହି ଆସର। ରାତି ଯେତିକି ବଢ଼ୁଛି, ବାର୍‌ର ତାତି ସେତିକି ବଢ଼ୁଛି। ପେଗ୍‌ ଫ୍ରି ଡ୍ରିଙ୍କ୍‌ସ ଅଫର୍‌ ଯୁବତୀମାନଙ୍କୁ ବାର୍‌କୁ ଟାଣି ଆଣୁଛି। ସେମିତି କିଛି କିଛି ବାର୍‌ରେ ଯୁବତୀମାନଙ୍କ ପାଇଁ ରହିଛି ଏଣ୍ଟ୍ରି ଫ୍ରି ଅପର୍‌। ଏସବୁ ଆକର୍ଷଣ ଯୋଗୁଁ ବେଶି ମତୁଆଲା ହୋଇପଡ଼ୁଛି ବାର୍‌ମାନଙ୍କର ମ୍ୟୁଜିକ୍‌ ମଞ୍ଚ। ଗାୟିକା ଓ ନୃତ୍ୟାଙ୍ଗନାମାନଙ୍କ ମନ କିଣା ପରିବେଷଣ ସାଙ୍ଗକୁ ଝିଲିମିଲି ଲାଇଟ୍, ଫାୟାର୍ ସ୍ପ୍ରେ ଓ ହୁକା ଧୂଆଁ ପରିବେଶକୁ କୌଣସି ରେଭ୍‌ ପାର୍ଟିଠୁ କମ୍ ଅନୁଭବ ଦେଉନାହିଁ। ଭୁବନେଶ୍ବରର ବହୁ ବାର୍‌ରେ ଆଜି ବି ଏଭଳି ରଙ୍ଗିନ୍‌ ସନ୍ଧ୍ୟା ଜମୁଛି। କରୋନା କଟକଣାକୁ ଫୁ’ କରି ଚାଲିଛି ଏମିତି କା‌ର୍ଯ୍ୟକ୍ରମ। ଓମିକ୍ରନ୍ ସଂକ୍ରମଣର ଭୟ ବାର୍‌ର ଡିଜେ ଆଗରେ ଫିକା ପଡ଼ି ଯାଉଛି। ପୁଲିସ ଓ ଅବକାରୀ ବିଭାଗ ସବୁ ଦେଖି ନଦେଖିବାର ଅଭିନୟ କରୁଥିବା କୁହାଯାଉଛି।

କଟକଣା କୋହଳ ହେବା ପରେ ରାଜଧାନୀରେ ବାର୍‌ଗୁଡିକୁ ଖୋଲିବାକୁ ପ୍ରଶାସନ ପକ୍ଷରୁ ଅନୁମତି ମିଳିଛି। ତେବେ କଟକଣାରେ ବାର୍ ଚଲେଇବାକୁ କଡ଼ା ନିର୍ଦ୍ଦେଶ ରହିଛି। ୫୦ ପ୍ରତିଶତ ଗ୍ରାହକରେ ବାର୍‌ ଚଳାଇବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି। ମାତ୍ର ବହୁ ବାର୍‌ରେ କଟକଣାକୁ ଖାତିର୍ କରାଯାଉନାହିଁ। ବହୁ ବାର୍‌ରେ ଶହଶହ ଯୁବକଯୁବତୀ ମିଶି ଡ୍ୟାନ୍ସ କରୁଥିବା‌ ଦେଖିବାକୁ ମିଳୁଛି।

ବଡ଼ କଥା ହେଉଛି, ଗ୍ରାହକଙ୍କ ସଂଖ୍ୟା ବଢ଼ାଇବା ପାଇଁ ବିଭିନ୍ନ ଆକର୍ଷଣୀୟ ଅଫର୍‌ ଦିଆଯାଉଛି। ସୋସିଆଲ୍‌ ମିଡିଆ ମାଧ୍ୟମରେ ଗ୍ରାହକଙ୍କୁ ମେନୁ ବାବଦରେ ଅପଡେଟ୍ କରି ଜଣାଇ ଦିଆଯାଉଛି। କିଛି ବାର୍‌ରେ ବୁଧବାର ଓ ଶନିବାର ଯୁବତୀମାନଙ୍କ ପାଇଁ ଏଣ୍ଟ୍ରି ଫ୍ରି ରହୁଛି। ସେହିଭଳି କିଛି ସ୍ଥାନରେ ୨ ପେଗ୍ ଫ୍ରି ଡ୍ରିଙ୍କସ୍ ଅଫର୍ ମିଳୁଛି। କିଛି କିଛି ବାର୍‌ରେ ରବିବାର ଓ ଶୁକ୍ରବାର ଏଣ୍ଟ୍ରି ଫି’ରେ ବିଶେଷ ରିହାତି ଦିଆଯାଉଛି। ଏସବୁ କାରଣରୁ ଏବେ ପୁରୁଣା ବର୍ଷ ସରି ଆସୁଥିବା ବେଳେ ଅଧିକାଂଶ ବାର୍‌ଗୁଡିକରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳୁଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ରାତି ୧୦ଟା ପର୍ଯ୍ୟନ୍ତ ବାର୍‌ ଚାଲୁ ରହିବା ପାଇଁ ବିଏମ୍‌ସି ପକ୍ଷରୁ ନିର୍ଦ୍ଦେଶ ରହିଛି। ମାତ୍ର ଏବେ ପ୍ରାୟ ସବୁ ବାର୍‌ରେ ହିଁ ୧୦ଟା ପରେ ଭିଡ଼ ଜମୁଛି। ପୁଲିସ ଆଖିରେ ଧୂଳି ଦେବା ପାଇଁ ବାହାର ଲାଇଟ୍ ଲିଭାଇ ଦିଆଯାଉଛି। ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ବିଭିନ୍ନ ବାର୍‌ରେ ଏଭଳି ବେଆଇନ କାର୍ଯ୍ୟ ଚାଲୁଥିବା ଅଭିଯୋଗ ହେଉଛି। ଗତ ୨୪ତାରିଖ ରାତି ଓ ବଡ଼ଦିନ ରାତିରେ ଏହି ଅଞ୍ଚଳର ବିଭିନ୍ନ ବାର୍‌ରେ ପ୍ରବଳ ଭିଡ଼ ହୋଇଥିଲା ଓ ମଦ୍ୟପମାନଙ୍କ ଭିତରେ ଗଣ୍ଡଗୋଳ ବି ଘଟିଥିଲା। ମାତ୍ର ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସେମାନେ ଚମ୍ପଟ ମାରିଥିଲେ। ପୁଲିସ ଗଣ୍ଡ‌ଗୋଳର କାରଣ ଜାଣିଲା, ଅଥଚ ବାର୍‌ ଆଡ଼କୁ ସାମାନ୍ୟତମ ଦୃଷ୍ଟି ଦେଲା ନାହିଁ। ତେଣୁ ପୁଲିସ ଜ୍ଞାତସାରରେ ବାର୍‌ରେ ଏସବୁ ବେଆଇନ କାମ ହେଉଛି ବୋଲି ଅଭିଯୋଗ ହେଉଛି। ସେହିପରି ବାର୍‌ଗୁଡିକରେ ବାଉନ୍ସର୍ ରଖିବାକୁ ଅନୁମତି ନଥିବା ସତ୍ତ୍ବେ କିଛି ବାର୍ ବାଉନ୍ସର ନିଯୁକ୍ତ କରୁଛନ୍ତି।

ଆଉ ଦିନକ ପରେ ନୂଆ ବର୍ଷ। ଧର୍ମାନୁଷ୍ଠାନ ସବୁ ୪ଦିନ ପାଇଁ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଅଥଚ ବାର୍‌ଗୁଡ଼ିକ କ୍ଷେତ୍ରରେ ସେମିତି କଡ଼ା ନିୟମ କରାଯାଇନାହିଁ। କଟକଣାରେ ବାର୍‌ ଖୋଲା ରହିବ ବୋଲି କୁହାଯାଇଛି। ତେଣୁ କଟକଣା ଅଢ଼ୁଆଳରେ ପ୍ରଶାସନର ନିୟମକୁ ବାର୍‌ଗୁଡ଼ିକ ପୁଣି ମାନିବେ ନାହିଁ ବୋଲି କୁହାଯାଉଛି। ତେବେ ବିଏମ୍‌ସି ଓ ପୁଲିସ ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଏହି ଚାରି ଦିନ ରାଜଧାନୀର ବିଭିନ୍ନ ବାର୍‌ରେ ନିୟମିତ ଯାଞ୍ଚ କରାଯିବ। ଆଇନ ଉଲ୍ଲଘଂନ କରୁଥିବା ବାର୍‌ଗୁଡ଼ିକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର