‌‌କେଜିଏଫ୍‌ ପାଇଁ ରାତି ୨ଟାରୁ ଭିଡ଼

ଭୁବନେଶ୍ବର: ରାତି ପ୍ରାୟ ୨ଟା ହେବ। ପୂରା ରାଜଧାନୀ ଶୋଇ ସାରିଥାଏ। ସବୁଆଡ଼ ଶୂନ୍‌ଶାନ୍‌। ଜାତୀୟ ରାଜପଥରେ ଧାଡ଼ି ବାନ୍ଧି ଯାଉଥିବା ଟ୍ରକ୍‌ଗୁଡ଼ିକର ଖାଲି ଯାହା ସୋର୍‌ଶବ୍ଦ ଥିଲା। କିନ୍ତୁ ଠିକ୍‌ ଏତିକିବେଳେ ସିନେମା ହଲ୍‌ ‘ମହାରାଜା’ ଆଗ‌ରେ ଭିଡ଼ ଜମି ଯାଇଥିଲା। ରାତି ପ୍ରାୟ ସାଢ଼େ ୨ଟା ବେଳକୁ ପାଖାପାଖି ୨ଶହ ଲୋକ ଏକତ୍ରିତ ହୋଇଯାଇଥିଲା।

ଭୁବନେଶ୍ବରରେ ଚାଲୁଛି ‘କେଜିଏଫ୍-୨’ ଫିଲ୍ମ ସୋ
ଆସନ୍ତା ୩ଦିନ ପାଇଁ ସବୁ ସିନେମା ହଲରେ ଅଗ୍ରୀମ ଟିକେଟ୍ ବୁକିଂ
ଅଫ୍‌ଲାଇନ୍‌ ନ ପାଇ ଫେରୁଛନ୍ତି ଦର୍ଶକ

ବିଳମ୍ବିତ ରାତିରେ କର୍ମକ୍ଷେତ୍ରରୁ ଫେରୁଥିବା ଲୋକ ଏହି ଭିଡ଼ ଦେଖି ଘଡ଼ିଏ ଅଟକି ଯାଉଥା’ନ୍ତି। ଦୁର୍ଘଟଣା ଘଟିଛି ବୋଲି ଭାବି ଫ୍ଲାଏଓଭର୍‌ ଉପରୁ ନିରିଖେଇ ଦେଖୁଥା’ନ୍ତି। ପ୍ରକୃତ କଥା ବୁଝୁବୁଝୁ ଜଣାପଡ଼ିଲା ଯେ ଲୋକେ ସିନେମା ଦେଖିବାକୁ ହଲ୍‌ ଆଗରେ ରୁଣ୍ଡ ହୋଇଛନ୍ତି। ବହୁପ୍ରତୀକ୍ଷିତ ସିନେମା ‘କେଜିଏଫ୍‌-୨’ ବୁଧବାର ରାତି ୨ଟା ୫୦‌ରେ ରିଲିଜ୍‌ ହୋଇଥିବା ବେଳେ ମହାରାଜା ହଲ୍‌ ଆଗରେ ଏମିତି ରାତିଅଧିଆ ଭିଡ଼ ଜମିଥିବା ଦେଖାଯାଇଥିଲା। ଏହି ସିନେମାର ପ୍ରଥମ ସୋ’ ରାତି ୨ଟା.୫୦ରୁ ହୋଇ ୫ଟାରେ ସରିଥିଲା। ରାଜଧାନୀ ଇତିହାସରେ ଏହା ଏକ ନୂଆ ଘଟଣା। ଆଗରୁ ଏପରି କେବେ ଦେଖିବାକୁ ମିଳିନଥିଲା।

ମହାରାଜା ସହ ରାଜଧାନୀରେ ଥିବା ଶ୍ରୀୟା, ସ୍ତୁତି, ଆଇନକ୍ସ, ସିନେପଲିସ୍, କେଶରୀ ହଲ୍, ଆଇନକ୍ସ, ସିମ୍ଫୋନି ମଲ୍‌ରେ ଆଜି ଏହି ଚଳଚ୍ଚିତ୍ର ରିଲିଜ୍‌ ହୋଇଥିବା ବେଳେ ସବୁ ସୋ’ ହାଉସ୍‌ଫୁଲ୍‌ ଥିଲା। ସକାଳ ସାଢ଼େ ୬ଟାରୁ ରାତି ୧୦.୧୫ ପର୍ଯ୍ୟନ୍ତ ସବୁ ହଲ୍‌ ଆଗରେ ଭିଡ଼ ଜମିଥିବା ଦେଖାଯାଇଥିଲା। ଏପରିକି ଆସନ୍ତା ୩ ଦିନ ପାଇଁ ବି ସବୁ ସିଟ୍‌ ବୁକ୍‌ ହୋଇସାରିଥିବା ଜଣାପଡ଼ିଛି। ମହାରାଜାରେ ଆଜି ମଧ୍ୟ ରାତି ୨.୫୦ରେ ନାଇଟ୍ ସୋ’ ଚାଲିଥିବା ବେଳେ ତାହା ହାଉସଫୁଲ ରହିଛି। ଏ ସଂପର୍କରେ ମହାରାଜା ସିନେମା ହଲ୍‌ କର୍ତ୍ତୃପକ୍ଷଙ୍କ କହିବା କଥା, ଆସନ୍ତା ସୋମବାର ଯାଏ ଅଗ୍ରୀମ ଟିକେଟ ବୁକିଂ ସରିଛି।

ଆଜି ସବୁ ସୋ’ ହାଉସଫୁଲ୍‌ ଥିଲା। କେଜିଏଫ୍-୧ ସିନେମାଟି ଦର୍ଶକଙ୍କୁ ଭଲ ଲାଗିଥିବାରୁ ତାହାର ଦ୍ବିତୀୟ ସଂସ୍କରଣ ଦେଖିବାକୁ ଭିଡ଼ ଜମୁଛି। କେଜିଏଫ-୨ରେ କନ୍ନଡ଼ ସୁପରଷ୍ଟାର୍‌ ୟଶଙ୍କ ସହ ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ, ଶ୍ରୀନିଧି ସେଟ୍ଟୀ, ରବିନା ଟଣ୍ଡନ, ପ୍ରକାଶ ରାଜ୍‌ ପ୍ରମୁଖ ଅଭିନୟ କରିଛନ୍ତି। ସିନେମାଟି କନ୍ନଡ଼ ସମେତ ତେଲୁଗୁ, ହିନ୍ଦୀ, ତାମିଲ ଓ ମାଲାୟାଲମ ଭାଷାରେ ରିଲିଜ୍‌ ହୋଇଛି। ୨୦୧୮ରେ କେଜିଏଫ-୧ ରିଲିଜ୍‌ ହୋଇଥିବା ବେଳେ ଏହାକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ। ଦର୍ଶକ ମନୋଜ କୁମାର ପ୍ରଧାନ କହିବା କଥା, ଫିଲ୍ମଟି ‘ଆର୍‌ଆର୍‌ଆର୍‌’କୁ ପଛରେ ପକାଇଦେବ।

ସମ୍ବନ୍ଧିତ ଖବର