ଭୁବନେଶ୍ବର: ଶ୍ରାବଣ ମାସ ସଂକ୍ରାନ୍ତିରେ ଆଜି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ନାହିଁ ନଥିବା ଭିଡ଼ ଲାଗି ରହିଥିଲା। ସକାଳ ପ୍ରାୟ ସାଢ଼େ ୫ଟାରେ ଦ୍ବାରଫିଟା ଯାଇ ନୀତିକାନ୍ତି କରାଯାଇଥିଲା। ସକାଳ ସାଢ଼େ ୬ଟାରୁ ମଧ୍ୟାହ୍ନ ୧୨ଟା ଯାଏ ସାହାଣମେଲା ଦର୍ଶନ ହୋଇଥିଲା। ହଜାର ହଜାର ଶ୍ରଦ୍ଧାଳୁ ଧାଡ଼ିରେ ରହି ଗର୍ଭଗୃହରେ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିଥିଲେ। ଏହାପରେ ଛାମୁ ପରିଷ୍କାର କରାଯାଇ ସକାଳ ଧୂପ କରାଯାଇଥିଲା। ଭୋଗ ମଣ୍ଡପ ପରେ ପୁଣି ଦିନ ୨ଟାରୁ ସନ୍ଧ୍ୟା ୫ଟା ସାହାଣମେଲା ଦର୍ଶନ ହୋଇଥିଲା।
ପୂର୍ବାହ୍ନରେ ଦିଅଁଙ୍କ ଦର୍ଶନ ପରେ ମଧ୍ୟାହ୍ନରେ ପ୍ରଭୁ ଲିଙ୍ଗରାଜ ଓ ଅନନ୍ତବାସୁଦେବଙ୍କ ଅବଢ଼ା ପାଇଁ ଭିଡ଼ ଲାଗିଥିଲା। ପ୍ରଥମେ ସକାଳ ପ୍ରାୟ ୧୧ଟା ବେଳକୁ ଅନନ୍ତବାସୁଦେବଙ୍କ ଅବଢ଼ା ନେବା ପାଇଁ ଭିଡ଼ ଜମିଥିଲା। ଲୋକଙ୍କ ଭିଡ଼ ଦେଖି ହଠାତ୍ ଅବଢ଼ା ଦର ଦୁଇ ଗୁଣା ହୋଇଯାଇଥିଲା। ଅନ୍ୟ ଦିନମାନଙ୍କରେ ଜଣେ ଲୋକ ପାଇଁ ଯେଉଁ ଅବଢ଼ା ଶହେ ଟଙ୍କାରେ ମିଳୁଥିଲା, ଆଜି ତାକୁ ଲୋକେ ଦୁଇ ଶହରେ କିଣିବାକୁ ବାଧ୍ୟ ହୋଇଥିଲେ। ଅବଢ଼ା ମଣ୍ଡପରେ ବସି ଖାଇବା ଅପେକ୍ଷା ଆଜି ଘରକୁ ଅଧିକାଂଶ ନେଇ ଯାଇଥିଲେ। ଦିନ ପ୍ରାୟ ସାଢ଼େ ଗୋଟାଏ ବେଳକୁ ଅନନ୍ତବାସୁଦେବଙ୍କ ମନ୍ଦିରରେ ଅବଢ଼ା ଶେଷ ହୋଇ ଯାଇଥିଲା। ଏହାପରେ ଲିଙ୍ଗରାଜଙ୍କ ଅବଢ଼ା ପାଇଁ ଲୋକେ ଭିଡ଼ ଜମାଇଥିଲେ। ଏଠି ମଧ୍ୟ କିଛି ସମୟ ଭିତରେ ଅବଢ଼ା ଶେଷ ହୋଇ ଯାଇଥିଲା।
ଏନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି କହିଛନ୍ତି, ପ୍ରତି ସଂକ୍ରାନ୍ତିରେ ପ୍ରାୟ ୧୦ରୁ ୧୫ ହଜାର ଲୋକଙ୍କ ପାଇଁ ଅବଢ଼ା ରନ୍ଧା ହୁଏ। କିନ୍ତୁ ଆଜି ବର୍ଷା ପାଗ ଏବଂ ଆସନ୍ତାକାଲି ଓଡ଼ିଶା ବନ୍ଦ ହେଉଥିବାରୁ ଲୋକଙ୍କ ସଂଖ୍ୟା କମିବ ବୋଲି ଆକଳନ କରିଥିଲୁ। ସେଥିପାଇଁ କମ୍ ଅବଢ଼ା ପ୍ରସ୍ତୁତ ହୋଇଥିଲା। ହେଲେ ଅଧିକ ଲୋକ ଆସିବାରୁ ଅବଢ଼ା ନିଅଣ୍ଟ ପଡ଼ିଲା। ତଥାପି ଅନନ୍ତବାସୁଦେବ ଓ ଲିଙ୍ଗରାଜଙ୍କ ପାଖରେ ୭ ହଜାର ଶ୍ରଦ୍ଧାଳୁ ଅବଢ଼ା ପାଇଛନ୍ତି। ଏଥିସହ କେଦାରଗୌରୀ, କପିଳେଶ୍ବର, ଭାସ୍କରେଶ୍ବର, ମେଘେଶ୍ବର, ଭୀମେଶ୍ବର ମନ୍ଦିରରେ ମଧ୍ୟ ଭିଡ଼ ଲାଗିଥିଲା।
ସଂକ୍ରାନ୍ତିରେ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପାଇଁ ଭିଡ଼
ଶ୍ରାବଣ ମାସ ସଂକ୍ରାନ୍ତିରେ ଆଜି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ନାହିଁ ନଥିବା ଭିଡ଼ ଲାଗି ରହିଥିଲା। ସକାଳ ପ୍ରାୟ ସାଢ଼େ ୫ଟାରେ ଦ୍ବାରଫିଟା ଯାଇ ନୀତିକାନ୍ତି କରାଯାଇଥିଲା। ସକାଳ ସାଢ଼େ ୬ଟାରୁ ମଧ୍ୟାହ୍ନ ୧୨ଟା ଯାଏ ସାହାଣମେଲା ଦର୍ଶନ...
/sambad/media/media_files/2025/07/17/lingaraj-2025-07-17-07-10-19.jpg)