ସାବିତ୍ରୀ ବଜାରରେ ଭିଡ଼, ବ୍ୟବସାୟୀଙ୍କୁ ଫୁରୁସତ ନାହିଁ

ଭୁବନେଶ୍ବର: ଆଉ ଦିନ ଦୁଇଟା ପରେ ସାବିତ୍ରୀ ବ୍ରତ। ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ବଜାର। ଶାଢ଼ି ବ୍ୟବସାୟୀଙ୍କୁ ଫୁରୁସତ୍‌ ନାହିଁ। ଫଳ ବ୍ୟବସାୟୀ ଆସନ୍ତା ୨ଦିନର ବେପାର ପାଇଁ ଅଣ୍ଟା ଭିଡ଼ିଲେଣି। ସାରା ସହରରେ ସିଲେଇ ଦୋକାନରେ ଅସମ୍ଭାଳ ଭିଡ଼। ଏଥିସହ ସାବିତ୍ରୀ ବ୍ରତରେ ଆବଶ୍ୟକ ହେଉଥିବା କାଠ ପାନିଆ, ପାଟଫୁଲି, ସିନ୍ଦୂର, ନାଲି ଶଙ୍ଖା ଓ ଦର୍ପଣ ଆଦିକୁ ପ୍ୟାକେଟ କରିବାରେ ପଥପ୍ରାନ୍ତ ବ୍ୟବସାୟୀ ବ୍ୟସ୍ତ। ଅନ୍ୟପଟେ ସପ୍ତାହାନ୍ତ ଯୋଗୁଁ ବଜାରରେ ହାଉଯାଉ ଭିଡ଼। ମୋଟ୍‌ ଉପରେ ସାବିତ୍ରୀ ପୂଜା ପୂର୍ବରୁ ଏଭଳି ଭାବେ ଏକ ଉତ୍ସବ ଓ ବ୍ୟସ୍ତତାର ପରିବେଶ ଏବେ ରାଜଧାନୀରେ ଦେଖିବାକୁ ମିଳୁଛି।

୪୦ ଟଙ୍କାରେ ସାବିତ୍ରୀ ପୁଟୁଳି

ସାବିତ୍ରୀ ବ୍ରତ ପାଇଁ ପୂଜା ଥାଳିରେ ଫଳ ସହ ସଜା ହୁଏ ଶାଢ଼ି ଓ ସାବିତ୍ରୀ ସାମଗ୍ରୀ। ଏଥିରେ ଥାଏ ସଧବା ମହିଳାଙ୍କ ସମସ୍ତ ଶୃଙ୍ଗାର। ସିନ୍ଦୂର, ଶଙ୍ଖା, ଚୁଡ଼ି, ପାଟ ଫୁଲି, କାଠ ପାନିଆ, କଳାମାଳି, ଛିଟ କନା, କଳା ଶଙ୍ଖା, ଅଳତା ଓ ଗୁଆ ଆଦିକୁ ନେଇ ବେପାରୀମାନେ ପୁଟୁଳି କରି ଏବେ ରାଜଧାନୀ ବଜାରରେ ବିକ୍ରି କରୁଛନ୍ତି। ଲିଙ୍ଗରାଜ ମନ୍ଦିର ପାର୍ଶ୍ବର ଅସ୍ଥାୟୀ ବେପାରୀ ଗଙ୍ଗାଧର ସାହୁ କହିଛନ୍ତି, ସାବିତ୍ରୀ ପୂଜାରେ ବ୍ୟବହାର ହେଉଥିବା ସମସ୍ତ ସାମଗ୍ରୀକୁ ନେଇ ଆମେ ପ୍ୟା‌କେଟ୍‌ କରି ଦେଇଛୁ। ପ୍ରାୟ ଗ୍ରାହକ ଏହି ପ୍ୟାକେଟ୍‌ ନେଉଥିବା ବେଳେ କିଛି ଲୋକ ଖୋଲାରେ ବି ସାମଗ୍ରୀ ମାଗି ନେଉଛନ୍ତି। ପ୍ରତିଟି ସାମଗ୍ରୀ ପିଛା ଅଲଗା ଅଲଗା ଟଙ୍କା ରହିଥିବା ‌ବେଳେ ସେ ସବୁ ୫ରୁ ୧୦ ଟଙ୍କା ମଧ୍ୟରେ ମିଳିଯାଏ। କିନ୍ତୁ ସବୁ ସାମଗ୍ରୀକୁ ମିଶାଇ ହୋଇଥିବା ସାବିତ୍ରୀ ପୁଟୁଳି ଦାମ୍‌ ୪୦ ଟଙ୍କା ରହିଛି। ଗତବର୍ଷ ଏହା ୨୦ରୁ ୩୦ ଟଙ୍କା ମଧ୍ୟରେ ମିଳି ଯାଉଥିବା ବେଳେ ଏବେ ଦରଦାମ୍‌ ବଢ଼ି ଥିବାରୁ ଏହି ପୁଟୁଳି ପିଛା ୧୦ ଟଙ୍କା ବୃଦ୍ଧି ପାଇଥିବା ସେ କହିଛନ୍ତି।

ଫଳ ବଜାରରେ ନିଆଁ

ସାବିତ୍ରୀ ପୂଜାରେ ଆମ୍ବ, ପଣସ, ସପୁରୀ, ଖଜୁରି କୋଳି, କଦଳୀ ଓ ନଡ଼ିଆର ଆବଶ୍ୟକତା ଥିବା ବେଳେ ସେଓ, ଅଙ୍ଗୁର ଓ କମଳା ଆଦି ମଧ୍ୟ ପୂଜାରେ ଲାଗେ। ଏଣୁ ଫଳ ବ୍ୟବସାୟୀମାନେ ପର୍ଯ୍ୟାପ୍ତ ପରିମାଣର ଫଳ ଆଣି ଦୋକାନରେ ଗଚ୍ଛିତ ରଖିଲେଣି। ଆଜିଠାରୁ ସୋମବାର ସକାଳ ପର୍ଯ୍ୟନ୍ତ ଭଲ ବେପାର ଆଶାରେ ତାଜା ଫଳ ଦୋକାନରେ ସଜାଇଲେଣି। ତେବେ ଫଳ ବଜାରର ଦରଦାମ୍‌ ସାଧାରଣଙ୍କୁ ତାଜୁବ କରୁଛି। ଆମ୍ବ ଦର ତ’ ଖସିବାର ନାମ ନେଉନି। ଆମ୍ବ କେଜି ୧୦୦ରୁ ୧୪୦ ଟଙ୍କା ରହିଥିବା ବେଳେ ପଣସ ଦାମ୍‌ ଆକାର ଅନୁଯାୟୀ ୫୦ରୁ ୧୦୦ ଓ ୨୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ସେହିଭଳି ସପୁରୀ ଗୋଟା ୩୦ରୁ ୪୦ ଟଙ୍କା, ନଡ଼ିଆ ଗୋଟା (ଛୋଟ) ୩୦ ଟଙ୍କା ଓ (ବଡ଼) ୪୦ଟଙ୍କା, ଖଜୁରୀ କୋଳି ପେନ୍ଥା ୧୦ଟଙ୍କା, ଦେଶୀ କଦଳୀ ଡଜନକୁ ୮୦ ଟଙ୍କା ଓ ଚମ୍ପା କଦଳୀ ୬୦ ଟଙ୍କା, ତାଳ ଗୋଟା ୩୦ ଟଙ୍କା, ସେଓ ୧୮୦ରୁ ୨୫୦ ଟଙ୍କା, କମଳା ୧୪୦ ଟଙ୍କା, ଲିଚି ୧୩୦ଟଙ୍କା ଓ ଅଙ୍ଗୁର କେଜି ୧୫୦ ଟଙ୍କା ରହିଛି। ବିବେକାନନ୍ଦ ମାର୍ଗର ଫଳ ବେପାରୀ ସୁମନ ପ୍ରଧାନ କହିଛନ୍ତି, ଗତବର୍ଷ ଏହି ସମୟରେ ଆମ୍ବ ୬୦ରୁ ୮୦ ଟଙ୍କାରେ ମିଳିଯାଉଥିଲା। କିନ୍ତୁ ଏବର୍ଷ କୌଣସି ଫଳର ଦାମ୍‌ କମ୍‌ ନାହିଁ।

ଶାଢ଼ି ବଜାରରେ ଅସମ୍ଭାଳ ଭିଡ଼

ସହରର ସମସ୍ତ ଶାଢ଼ି ଦୋକାନରେ ଏବେ ଅସମ୍ଭାଳ ଭିଡ଼। ମାର୍କେଟ ବିଲ୍ଡିଂ ହେଉ ବା ଜନପଥ, ସବୁ ଶାଢ଼ି ଦୋକାନରେ ପ୍ରବଳ ଗହଳି। ଗତ ୧୫ ଦିନ ହେଲା ବେପାର ବେଶ୍‌ ଜମୁଥିବା ବେଳେ ଆଜି ଶନିବାର ଓ ଆସନ୍ତାକାଲି ରବିବାର ବେପାର ଶୀର୍ଷରେ ପହଞ୍ଚିବ। ସାବିତ୍ରୀରେ ବାପଘରୁ ଝିଅ ଘରକୁ ଭାର ଓ ଶାଢ଼ି, ଚୁଡ଼ି ଯିବାର ନିୟମ ଥିବାରୁ ସମସ୍ତେ ଏବେ ନିଜ ପସନ୍ଦର ଶାଢ଼ିଟିଏ ବାଛି ନେବାକୁ ବ୍ୟସ୍ତ। ଏଥିପାଇଁ ସହରରେ ବିଭିନ୍ନ ସୋ’ ରୁମ୍‌ରେ ରିହାତି ଓ ଅଫର୍‌ ମଧ୍ୟ ଲାଗିଥିବା ଦେଖିବାକୁ ମିଳୁଛି। କିଏ ୧୦% ତ’ କିଏ ୭% ଓ କେହି କେହି ୨୦% ରିହାତି ଦେଇ ଗ୍ରାହକଙ୍କୁ ଆକର୍ଷିତ କରୁଛନ୍ତି। ସମ୍ବଲପୁରୀ କଟନ ଓ ପାଟ ଶାଢ଼ିର ଚାହିଦା ସବୁବେଳେ ରହିଥିବା ‌ବେଳେ ଏବେ ସାବିତ୍ରୀ ଫ୍ୟାସନ୍‌ରେ ରହିଛି ଅର୍ଗେଞ୍ଜା ଶାଢ଼ି, ଚନ୍ଦେରୀ ସିଲ୍କ, ବଗଲପୁରୀ ଓ ଟସର ସିଲ୍କ, ବାଲୁଚାରି ସିଲ୍କ, ଧର୍ମଗଡ଼ ସିଲ୍କ, ମହୀଶୂର ସିଲ୍କ ଶାଢ଼ି ଇତ୍ୟାଦି।

ସମ୍ବନ୍ଧିତ ଖବର