ମାର୍କେଟରେ ଭିଡ ଅସମ୍ଭାଳ, ମାନୁନାହାନ୍ତି ଶାରୀରିକ ଦୂରତା

ଭୁବନେଶ୍ୱର : କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ସାବଧାନ ଅବଲମ୍ବନ କରିବାକୁ ବାରମ୍ବାର ଚେତାବନୀ ଦିଆଯାଉଛି। କିନ୍ତୁ ବାସ୍ତବରେ ଏହାକୁ ଗୁରୁତ୍ବର ସହ ନିଆଯାଉନାହିଁ। ମାର୍କେଟ୍‌ ବିଲ୍‌ଡିଂରେ ଜମୁଥିବା ଭିଡ଼ର ଚିତ୍ର ଏହା ସ୍ପଷ୍ଟ କରିଦେଉଛି। ଆଜି ରବିବାର ଛୁଟି ଦିନରେ ମାର୍କେଟ୍‌ ବିଲ୍‌ଡିଂରେ ବାଲିଯାତ୍ରା ଭଳି ଭିଡ଼ ପରିଲକ୍ଷିତ ହୋଇଥିବା ଦେଖିବାକୁ ମିଳିଛି। ଆଗକୁ ଦୀପାବଳି ଥିବାରୁ ଧୀରେଧୀରେ ମାର୍କେଟ୍‌ରେ ଭିଡ଼ ବଢ଼ି ଚାଲିଛି। ଏହା ଯେ ଆଗାମୀ ଦିନରେ କରୋନା ସଂକ୍ରମଣକୁ ବ୍ୟାପକ ନ କରିବ, ତାହା କହି ହେବ ନାହିଁ।

ପୂଜା ବଜାରରେ ଯେମିତି ଭିଡ଼ ଜମୁଛି, ଏହା ଗୋଷ୍ଠୀ ସଂକ୍ରମଣକୁ ପ୍ରୋତ୍ସାହିତ କରୁଛି। କଟକଣା କୋହଳ ହେବାର ଫାଇଦା ନେଇ ଅନେକ ମାର୍କେଟ୍‌କୁ ଆସୁଛନ୍ତି। ତେଣୁ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ବିନା ଅନ୍ୟ କୌଣସି ବାଟ ନାହିଁ। କିଛି ଦିନ ତଳେ ହୁ’ ହୁ’ ହୋଇ ବଢ଼ୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ହ୍ରାସ ପାଇଛି। ତେବେ ଏହାର ମଉକା ନେଇ ପୁଣି ବଜାରରେ ଭିଡ଼ ଜମାଇବା କେତେ ନିରାପଦ, ତାହା ଚିନ୍ତା କରିବାର ବିଷୟ। ଗତ ଶନିବାର ମଧ୍ୟ ରାଜଧାନୀର ଦୁଇ ପ୍ରମୁଖ ବଜାର ଏକ ନମ୍ବର ଓ ଦୁଇ ନମ୍ବର ମାର୍କେଟ୍‌ରେ ପ୍ରବଳ ଭିଡ଼ ଜମିଥିଲା। ଆଗକୁ ଦୀପାବଳି ଥିବାରୁ ବଜାରରେ ଭିଡ଼ ଶାନ୍ତ ପଡ଼ିବା ଭଳି ମନେ ହେଉନାହିଁ। ଯଦି ଏବେଠୁ ପ୍ରଶାସନ କଟକଣାକୁ କଡ଼ାକଡ଼ି ନ କରେ, ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ ବୋଲି ଡାକ୍ତର ଓ ବିଶେଷଜ୍ଞମାନେ ଆଶଙ୍କା କଲେଣି।

ସମ୍ବନ୍ଧିତ ଖବର