ବାରଙ୍ଗ: ଆଜି ଥିଲା ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବର ତୃତୀୟ ସନ୍ଧ୍ୟା। ସଂଜ ନ ନଉଁଣୁ, କୁଆଖାଇ ନଦୀର ବରିମୁଣ୍ଡ ନଈପଠା ଲୋକାରଣ୍ୟ ହୋଇଯାଇଥିଲା। ବାରଙ୍ଗ ଓ ହଂସପାଳ ଉଭୟ ପଟୁ ହଜାର ହଜାର ଦର୍ଶକ ବାଲିଯାତ୍ରା ପଡ଼ିଆ ଆଡ଼କୁ ମାଡ଼ି ଚାଲିଥିଲେ। ନଦୀପଠା ଆଲୋକମାଳାରେ ଝଲସି ଉଠିବା ବେଳକୁ ପଡ଼ିଆରେ କଡ଼ ଆଡ଼େଇବାକୁ ଜାଗା ନଥିଲା। ବାରଙ୍ଗ-ହଂସପାଳ ରାସ୍ତାରେ ମଧ୍ୟ ଟ୍ରାଫିକ୍ ଜାମ୍ ହୋଇଯାଇଥିଲା। ବାଲିଯାତ୍ରା ପଡ଼ିଆରେ ସବୁଠୁ ବେଶି ଗହଳି ଥିଲା ଚଟ୍ପଟି ଖାଦ୍ୟ ଷ୍ଟଲ୍ଗୁଡ଼ିକରେ। ବିଶେଷକରି ଫାଷ୍ଟଫୁଡ୍ ଷ୍ଟଲ୍ ବେପାରୀଙ୍କ ହାତକୁ ଫୁରୁସତ ନଥିଲା। ତେଣୁ ବାଲିଯାତ୍ରାର ତୃତୀୟ ସନ୍ଧ୍ୟାର ଭିଡ଼ ଛାଡ଼ଖାଇ ପାଇଁ ହୋଇଥିଲା ବୋଲି ଚର୍ଚ୍ଚା ହେଉଥିଲା।
ବୁଧବାର କାର୍ତ୍ତିକ ପୂର୍ଣ୍ଣିମା ଓ ଗୁରୁବାର ମାଣବସା ଯୋଗୁ ବାଲିଯାତ୍ରାରେ ସେଭଳି ଭିଡ଼ ନଥିଲା। କିନ୍ତୁ ଆଜି ଶୁକ୍ରବାର ଓ ଛାଡ଼ଖାଇ ଯୋଗୁ ମେଳାରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଥିଲା। ବିଶେଷକରି ଫାଷ୍ଟଫୁଡ୍ ଦୋକାନୀଙ୍କ ପାଖରେ ଖଚାଖଚ୍ ଭିଡ଼। ଚିକେନ୍ ପକୋଡ଼ା, ମଟନ୍ ବିରିଆନି, ଅଣ୍ଡା ରୋଲ୍, ଅଣ୍ଡା ଚପ୍, ଚିଙ୍ଗୁଡ଼ି ଚପ୍, ବାଲି ପ୍ରନ୍ ଓ ଚିକେନ୍ ଚାଉମିନ୍ ଭଳି ଖାଦ୍ୟ ଖାଇବାକୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଛାଡ଼ଖାଇ ପଡ଼ୁଥିବାରୁ ବେପାରୀମାନେ ବି ପ୍ରସ୍ତୁତ ହୋଇ ରହିଥିଲେ। ତେଣୁ ସବୁ ଫାଷ୍ଟଫୁଡ୍ ଷ୍ଟଲ୍ ସମ୍ମୁଖରେ ଠିଆ ହେବାକୁ ଜାଗା ମିଳୁନଥିଲା। ପ୍ରାୟ ସବୁଠି ଠେଲାପେଲା, ଗୋଡ଼ କୁଦାକୁଦି ସ୍ଥିତି। ଗ୍ରାହକମାନେ ତେଲ କଡ଼େଇରୁ ଛଣାଛଣି ଜିନିଷ ଓହ୍ଲାଇବାକୁ ବି ତର ଦେଉ ନ ଥିଲେ। ଏତେ ବେପାର ଭିତରେ ବି ଦୋକାନୀମାନଙ୍କ ଡାକ ଛାଡ଼ିବା କମ୍ ନଥିଲା। କିଏ ପାଟିକରି ଡାକୁଥିଲା ତ କିଏ ଚାଉମିନ୍ ତାୱାକୁ ଟାଏଁ ଟାଏଁ ପିଟି ଗରାଖଙ୍କୁ ଆକୃଷ୍ଟ କରୁଥିଲା। ଲାଗୁଥିଲା ଯେମିତି ପୂରା ପଡ଼ିଆରେ ଆମିଷ ବାସ୍ନା ଖେଳିଯାଇଛି। ସେହିଭଳି ଗୁପ୍ଚୁପ୍, ଚାଟ୍ ଓ ଆଇସି୍କ୍ରିମ୍ ବେପାରୀଙ୍କ ହାତକୁ ବି ତର ମିଳୁ ନ ଥିଲା। ଆଜି ମେଳାରେ ସବୁ ବେପାରୀ ଖୁସ୍। ଛୋଟ ପିଲାଙ୍କ ମନୋରଞ୍ଜନ ପାଇଁ ଆସିଥିବା ବିଭିନ୍ନ ଦୋଳି, ଖସଡ଼ା, ଡିଆଁକୁଦା ବେପାରୀମାନେ ବି ବେଶ୍ ଭଲ ବେପାର କରିଥିବା ଦେଖିବାକୁ ମିଳିଛି।
ଭିଡ଼ର ଅନ୍ୟ କାରଣ ଥିଲା କୁମାର ବାପିଙ୍କ ପରିବେଷଣ। ଖିଆପିଆ ବଜାରରେ ଗହଳି ଲାଗିଥିବା ବେଳେ ଆରମ୍ଭ ହୋଇଥିଲା କୁମାର ବାପିଙ୍କ ସୋ’। ବିରହ ସଂଗୀତରୁ ସେ ଆରମ୍ଭ କରିଥିଲେ ପ୍ରଦର୍ଶନ। ‘ଭୁଲି ମୁଁ ପାରୁନି ମୋ ପ୍ରଥମ ପ୍ରେମକୁ’, ‘ମାୟାବିନୀ ପ୍ରେମିକା ତୁ’, ‘ତୁ ଗଲା ପରେ ମୋ ରାତି ଦିନ’ ଓ ‘ତୋ ସିନ୍ଥିରେ ଆଉ କାହା ସିନ୍ଦୁର’ ଆଦି ମନଛୁଆଁ ଗୀତ ଗାଇ ସେ ଦର୍ଶକମାନଙ୍କୁ ଝୁମାଇଥିଲେ। ପ୍ରାରମ୍ଭରେ ସ୍ଥାନୀୟ କୁନିକୁନି ପିଲାମାନେ ଗୀତିନାଟ୍ୟ ପ୍ରଦର୍ଶନ କରି ଦର୍ଶକଙ୍କ ପ୍ରଶଂସା ସାଉଁଟିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/08/untitled-1-2025-11-08-06-18-03.jpg)