ଭିଡ଼ ପରେ ଚେତିଲା ବିଏମ୍‌ସି
୨ଦିନ ଖଣ୍ଡଗିରି, ଉଦୟଗିରି, ରାଜାରାଣୀ ମନ୍ଦିର ସିଲ୍‌
ବନ୍ଦ ପାଇଁ ଅର୍ଡର୍‌ ଆସି ନାହିଁ: ଏଏସ୍‌ଆଇ
ସଂକ୍ରମଣ ଆଶଙ୍କାରୁ ବନ୍ଦ ହେଲା: ବିଏମ୍‌ସି
Advertisment

ଭୁବନେଶ୍ୱର : କରୋନା ସଂକ୍ରମଣ ପାଇଁ ଡିସେମ୍ବର ୩୧, ଜାନୁଆରି୧ ଓ ୨ ତାରିଖ, ଏହି ୩ ଦିନ ପାଇଁ କଟକଣା ଲଗାଇଛି ବିଏମ୍‌ସି। ମନ୍ଦିର, ମସ୍‌ଜିଦ୍‌, ଚର୍ଚ୍ଚ, ଗୁରୁଦ୍ବାରକୁ ଭକ୍ତଙ୍କ ପ୍ରବେଶ ବାରଣ କରାଯାଇଛି। ଗତକାଲି ପିକ୍‌ନିକ୍‌ ଉପରେ ରାଜ୍ୟ ସରକାର କଟକଣା ଲଗାଇବା ପରେ ବିଏମ୍‌ସି ମଧ୍ୟ ନୂଆ ଗାଇଡ୍‌ଲାଇନ୍‌ କରିଥିଲା। କିନ୍ତୁ ବିଏମ୍‌ସିର କଟକଣାକୁ ଖଣ୍ଡଗିରି ଓ ଉଦୟଗିରିରେ ପର୍ଯ୍ୟଟକମାନେ ଫୁ’ କରି ଦେଇଥିଲେ। ଶୁକବ୍ରାର ଦିନତମାମ ଏହି ୨ ଐତିହ୍ୟସ୍ଥଳରେ ହଜାର ହଜାର ଦର୍ଶକଙ୍କ ପାଇଁ ସାହାଣମେଲା ହୋଇଥିଲା। ସକାଳ ୧୦ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ହଜାର ହଜାର ପର୍ଯ୍ୟଟକ ଏଠାରେ ବୁଲିବୁଲି ମଜା ନେଇଥିଲେ।

ଯଦିଓ ପର୍ଯ୍ୟଟନସ୍ଥଳରେ କଟକଣା ଲଗାଇବା ପାଇଁ କୌଣସି ନିର୍ଦ୍ଦେଶ ନଥିଲା, ଭିଡ଼ ହେଲେ ବା କରୋନା ସଂକ୍ରମଣ ନେଇ ଆଶଙ୍କା ଉପୁଜିଲେ ସ୍ଥାନୀୟ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଇପାରିବ ବୋଲି ସରକାରୀ ନିର୍ଦ୍ଦେଶ ରହିଛି। ବିଗତ ବର୍ଷର ରେକର୍ଡ ଦେଖି ଭିଡ଼ ଏଡ଼ାଇବାକୁ ଆଗୁଆ ଧଉଳି ଶାନ୍ତିସ୍ତୂପକୁ ବନ୍ଦ କରିଦିଆଯାଇଥିଲା। କିନ୍ତୁ ଖଣ୍ଡଗିରି, ଉଦୟଗିରି କଥାକୁ ଭୁଲି ଯାଇଥିଲା ବିଏମ୍‌ସି। ଏହି ଦୁଇ ସ୍ଥାନରେ ମାସ୍କ ଓ ସାମାଜିକ ଦୂରତା ନିୟମକୁ ଫୁ’ କରି ପର୍ଯ୍ୟଟକମାନେ ବୁଲିଥିଲେ। ସାରା ଦିନ ଏଭଳି ଭିଡ଼ ଜମିବା ପରେ ରାତିରେ ବିଏମ୍‌ସିର ଚେତା ପଶିଛି। ଏହି ୨ ଐତିହ୍ୟସ୍ଥଳ ସମେତ ରାଜାରାଣୀ ମନ୍ଦିରକୁ ୧ ଓ ୨ ତାରିଖ ବନ୍ଦ ରଖିବାକୁ ବିଏମ୍‌ସି ନିର୍ଦ୍ଦେଶ ଦେଇଛି। ଏହି ତିନୋଟି ସ୍ଥଳ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ(ଏଏସ୍‌ଆଇ) ଅଧୀନରେ ରହିଛି। ପ୍ରବଳ ଭିଡ଼ ପରେ ମଧ୍ୟ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ ପ୍ରଶ୍ନର ଉତ୍ତରରେ ଏଏସ୍‌ଆଇ ସୁପରିନ୍‌ଟେଣ୍ଡେଣ୍ଟ ଅରୁଣ ମଲ୍ଲିକ କହିଛନ୍ତି, ଏହି ସବୁ ସ୍ଥାନଗୁଡ଼ିକୁ ବନ୍ଦ ରଖିବାକୁ ହେଲେ ଏଏସ୍‌ଆଇ ଡିଜିଙ୍କର ଅନୁମତି ଆବଶ୍ୟକ ପଡ଼ିଥାଏ। ବନ୍ଦ କିମ୍ବା କଟକଣା କରିବାକୁ ହେଲେ ପୂର୍ବରୁ ଆଗୁଆ ଜିଳ୍ଲାପାଳ ଚିଠି ଲେଖିବା କଥା। ଚିଠି ପାଇବା ପରେ ଆମେ ଡିଜିଙ୍କ ଅନୁମତି ଆଣିଥାନ୍ତୁ। କିନ୍ତୁ ଆମ ପାଖକୁ କୌଣସ ଚିଠି ଆସିନଥିଲା। ଏଣୁ ବନ୍ଦ କିମ୍ବା କଟକଣା ନେଇ ଆମେ ଚିନ୍ତା କରିନଥିଲୁ।

publive-image

ଏ ନେଇ ଜେଡ୍‌ଡିସି ରବିନାରାୟଣ ଜେଠୀ କହିଛନ୍ତି, ଏଠାରେ ପ୍ରବଳ ଭିଡ଼ ଥିବା ଖବର ପାଇବା ପରେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛୁ। ଏଥିପାଇଁ ଚିଠି ଲେଖିବାର ଆବଶ୍ୟକତା ନାହିଁ। କୋଭିଡ ସଂକ୍ରମଣ ନେଇ ଆଶଙ୍କା ଉପୁଜିଲେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କ୍ଷମତାପ୍ରାପ୍ତ ହୋଇଛୁ। ଆସନ୍ତା ଦୁଇଦିନ ଏହି ସ୍ଥଳଗୁଡ଼ିକ ସମେତ ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳ ଉପରେ ବିଏମ୍‌ସିର କଡ଼ା ନଜର ରହିବ। କଟକଣା ଉଲ୍ଲଘନ ହେଲେ କାର୍ଯ୍ୟାନୁଷ୍ଠାନ ହେବ।

ଅପରପକ୍ଷେ ଭିଡ଼ ଏଡ଼ାଇବା ପାଇଁ ବିଏମ୍‌ସି ପକ୍ଷରୁ ଶୁକ୍ରବାର ଦିନ ରାଜଧାନୀର ବିଭିନ୍ନ ସ୍ଥାନରେ ଜୋରଦାର ଚଢ଼ଉ ହୋଇଛି। ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ଚଢ଼ଉରେ ୫୦ରୁ ଊର୍ଦ୍ଧ୍ବ ଖାଇବା ଦୋକାନ ଓ କିଛି ବାର୍‌କୁ ସିଲ୍‌ କରାଯାଇଛି। ବିଏମ୍‌ସିର ୩ଟି ଟିମ୍‌ ଓ କମିସନରେଟ୍‌ ପୁଲିସର ସବୁ ଥାନା ପକ୍ଷରୁ ସ୍ବତନ୍ତ୍ର ଟିମ୍‌ ଚଢ଼ଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।