ଏଥର ଘରେ ସାବିତ୍ରୀ, ଲକ୍‌ଡାଉନ୍‌ ସତ୍ତ୍ବେ ବଜାରରେ ଅସମ୍ଭାଳ ଭିଡ଼

ଅଙ୍ଗୁର ଓ କମଳା ୧୨୦ଟଙ୍କା, ସେଓ ୨୦୦, ପୂଜା ସାମଗ୍ରୀ ପାଇଁ ଲମ୍ବା ଲାଇନ୍

ଭୁବନେଶ୍ୱର,: ଶୁକ୍ରବାର ସାବିତ୍ରୀ ବ୍ରତ। ଏହି ଦିନ ହିଁ ମହାସତୀ ସାବିତ୍ରୀ ମୃତ୍ୟୁର ଦେବତା ଯମଙ୍କ ସହ ଲଢ଼ି ନିଜ ସ୍ୱାମୀ ସତ୍ୟବାନଙ୍କୁ ଛଡ଼ାଇ ଆଣିଥିଲେ। ସେବେଠାରୁ ଏହି ଦିନଟିକୁ ହିନ୍ଦୁ ଧର୍ମରେ ସାବିତ୍ରୀ ବ୍ରତ ଭାବେ ପାଳନ କରାଯାଇ ଆସୁଛି। ବିଶ୍ୱାସ ଅଛି ଯେ ସାବିତ୍ରୀ ବ୍ରତ କଲେ ସ୍ୱାମୀ ଦୀର୍ଘାୟୁ ହେବେ। ଏହି ଦିନ ଶାଢ଼ି, ଚୁଡ଼ି, ସିନ୍ଦୂର ସହ ବିଭିନ୍ନ ରକମର ଫଳମୂଳ ଭୋଗ କରାଯାଏ। ଏଥିପାଇଁ ମହିଳାମାନଙ୍କ ମନରେ ବେଶ୍‌ ଉତ୍ସାହ ପରିଲକ୍ଷିତ ‌ହେଉଛି।

ନାଲି ଶଙ୍ଖା, ସିନ୍ଦୂର, ଚୁଡ଼ି ସବୁ ପୂଜା ହେବ, ମହିଳାମାନେ ଉପବାସ ରହି ସ୍ବାମୀଙ୍କ ଦୀର୍ଘାୟୁ ପ୍ରାର୍ଥନା କରିବେ। କିନ୍ତୁ ଚଳିତ ବର୍ଷ ମନ୍ଦିରରେ ନୁହେଁ, ନିଜ ଘରେ ରହି ଏସବୁ କରିବେ। ଘରେ ଘରେ ପବିତ୍ର ସାବିତ୍ରୀ ପୁରାଣର ଗୁଞ୍ଜରଣ ଶୁଣିବାକୁ ମିଳିବ। ଲକ୍‌ଡାଉନ୍‌ ଯୋଗୁଁ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିଛି। ଚଳିତ ବର୍ଷ ରାଜଧାନୀରେ ବି ଗାଁ ଗହଳି ଭଳି ଘରେ ଘରେ ମହିଳାମାନେ ଏକାଠି ହୋଇ ପୂଜା କରୁଥିବାର ଦେଖିବାକୁ ମିଳିବ। କରୋନା ମହାମାରୀର କଟକଣା ଓ ସାମାଜିକ ଦୂରତା ରକ୍ଷାକୁ ନଜରରେ ରଖି ଏଭଳି ନିଷ୍ପତ୍ତି ହୋଇଥିବା ମନ୍ଦିର ପରିଚାଳନା କମିଟିଗୁଡ଼ିକ ପକ୍ଷରୁ କୁହାଯାଇଛି।

ଫଳ ବଜାରରେ ତାତି
ଓଡ଼ିଆ ଘରର ନିୟମ ଅନୁଯାୟୀ, ବିବାହିତ ଝିଅ ଘରକୁ ବାପ ଘରୁ ଭାର ସହ ନୂଆ ଶାଢ଼ି ଯାଇଥାଏ। ଏହାର ସୁଯୋଗ ନେଇ ଦୋକାନୀ ବଜାରରେ ଫଳ ଦର ଚଢ଼ା କରି ଦେଇଥାନ୍ତି। ପ୍ରତିବର୍ଷ ପରି ଏଥର ବି ଫଳ ବଜାରରେ ନିଆଁ ଲାଗିଛି। ଏଭଳି ଚଢ଼ା ଦର ଦେଖି ସତ୍ୟବାନ ଓ ବାପାମାନଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ଏହା ସତ୍ତ୍ବେ କିଏ ସ୍ବାମୀଙ୍କ ଦୀର୍ଘାୟୁ ଲୋଭରେ ତ’ କିଏ ପରମ୍ପରା ଡରରେ ମହଙ୍ଗା ମାଡ଼ ସତ୍ତ୍ବେ ଫଳ କିଣିବାକୁ ବାଧ୍ୟ ହେଉଛି। ବର୍ତ୍ତମାନ ସବୁ ଫଳର ଦର ୨୦ରୁ ୩୦ ଟଙ୍କା ବୃଦ୍ଧିପାଇଛି। ନଡ଼ିଆର ଦାମ୍‌ ଏବେ ୩୦ରୁ ୩୫ ଟଙ୍କା ରହିଥିବା ବେଳେ ଦେଶୀ କଦଳୀ ୬୦ ଟଙ୍କାରୁ ୮୦ ଟଙ୍କା ରହିଛି। ସାବିତ୍ରୀ ପୂଜା ପାଇଁ ଆବଶ୍ୟକ ସପୁରୀର ଦାମ୍‌ ୩୦ -୫୦ଟଙ୍କା, ପଣସ ୭୦ରୁ ଯାଇ ୮୦ଟଙ୍କା, ଖଜୁରୀ ଗୋଟିଏ ଛୋଟ ଡେମ୍ଫ ୫/୧୦ ଟଙ୍କା, ସପେଟା ୫୦/୬୦ଟଙ୍କା, ଆମ୍ବ ଦେଢ଼ କିଲୋକୁ ୧୦୦ ଟଙ୍କା, ଛୋଟ ଲିଚୁ ୧୦୦ରୁ ୧୨୦ଟଙ୍କା, ଜାମୁରୋଳ ଗୋଟା ୫ଟଙ୍କାରୁ ୧୦ଟଙ୍କା, ଅଙ୍ଗୁର ୧୦୦ରୁ ୧୨୦ଟଙ୍କା, ସେଓ ୧୬୦ରୁ ୨୦୦ ଓ କମଳା ୧୦୦-୧୨୦ ଟଙ୍କା ଲେଖାଏଁ ରହିଛି। ୟୁନିଟ୍‌-୧ ହାଟର ଫଳ ବ୍ୟବସାୟୀ ସୂର୍ଯ୍ୟମଣି ସାହୁ କହିଛନ୍ତି, ଲକ୍‌ଡାଉନ୍‌ ଯୋଗୁଁ ଫଳ ଆମଦାନୀରେ ନାନା ଅସୁବିଧା ଉପୁଜିଛି। ଯାହା ଯେତିକି ଫଳ ଆସିଲା ତାକୁ ବିକ୍ରି କରୁଛୁ। ପ୍ରତିବର୍ଷ ସାବିତ୍ରୀ ୩/୪ ଦିନ ପୂର୍ବରୁ ଭଲ ବେପାର ହୁଏ। କିନ୍ତୁ ଚଳିତ ବର୍ଷ କରୋନା ଓ ପରେ ବାତ୍ୟା ‘ଅମ୍ଫାନ’ ସବୁ ବରବାଦ କରିଦେଲା।

‌ଭୋଗଥାଳି ପିଛା ୫୦
ପୂଜକମାନେ ପୂଜା କରିବା ପାଇଁ ରାଜି ହୋଇଥିବା ବେଳେ କରୋନାକୁ ଦୃଷ୍ଟିରେ ରଖି ସେମାନେ ବିଭିନ୍ନ ସର୍ତ୍ତ ରଖିଛନ୍ତି। ପ୍ରତି ଡାଲା ବା ଥାଳି ପିଛା ୫୦ ଟଙ୍କା ନେବା ସହ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ଗୋଟେ ସ୍ଥାନରେ ସର୍ବାଧିକ ୧୦ ଜଣ ମହିଳାଙ୍କୁ ନେଇ ପୂଜା କରିବେ ବୋଲି କହିଛନ୍ତି। ତେବେ ଏନେଇ ସିଆର୍‌ପିରେ ରହୁଥିବା ସ୍ବପ୍ନାରାଣୀ ନାୟକ କହିଛନ୍ତି, ପାଖ ମନ୍ଦିର ବନ୍ଦ ଥିବାରୁ ଆମେ ଜଣେ ପୂଜକଙ୍କୁ ଡାକିଛୁ। ସ୍ଥାନୀୟ କିଛି ମହିଳାଙ୍କୁ ନେଇ ଆମ ଘର ଛାତରେ ପୂଜା ହେବ ବୋଲି ସ୍ଥିର କରିଛୁ। ନନା କହିଛନ୍ତି ଯେ ଭୋଗ ଥାଳି ପିଛା ୫୦ ଟଙ୍କା ନେବେ। ସେହିଭଳି ଡୁମୁଡୁମାର ନମିତା ପାଣିଗ୍ରାହୀ କହିଛନ୍ତି ଯେ ଏଥର କରୋନା ପାଇଁ ସେ କୌଣସି ମନ୍ଦିର ନଯାଇ ଘରେ ଏକୁଟିଆ ପୂଜା କରିବେ। ଘରେ ଶିଳପୁଆ ପାଖରେ ଲକ୍ଷ୍ମୀନାରାୟଣ ଫଟୋ ଥୋଇ ସ୍ବାମୀଙ୍କ ଦୀର୍ଘାୟୁ ପାଇଁ ଓଷା ରଖିବେ ବୋଲି କହିଛନ୍ତି। ସେହିଭଳି ରସୁଲଗଡ଼ରେ ରହୁଥିବା କ୍ଷୀରୋଦିନୀ ନାୟକ କହିଛନ୍ତି ଯେ ଏଠାରେ ଆମେ ସମସ୍ତେ ତୁଳସୀ ଚଉରା ମୂଳରେ ସାମାଜିକ ଦୂରତା ରକ୍ଷା କରି ପୂଜା କରିବୁ। ଏଥିପାଇଁ ଆମେ ଗଲା ସପ୍ତାହରୁ ଯୋଜନା ମଧ୍ୟ କରିଥିଲୁ ବୋଲି ସେ କହିଛନ୍ତି। ତେବେ ସମାଜରେ ବର୍ତ୍ତମାନ ଆମ ପରମ୍ପରା ଓ ବିଶ୍ବାସକୁ ଜୀବିତ ରଖିବା ପାଇଁ ରାଜଧାନୀର ଲୋକେ ନିଜ ନିଜ ଜୀବନଧାରାରେ ପରିବର୍ତ୍ତନ ଅପରିହାର୍ଯ୍ୟ ବୋଲି ଗ୍ରହଣ କରିଛନ୍ତି।

ପୂଜା ସାମଗ୍ରୀ ପାଇଁ ଲମ୍ବା ଲାଇନ୍
ସାବିତ୍ରୀ ପୂଜା ପାଇଁ ଆବଶ୍ୟକ ସାମଗ୍ରୀର ଦାମ୍‌ ମଧ୍ୟ ଗତ ବର୍ଷ ଅପେକ୍ଷା ୫-୧୦ ଟଙ୍କା ବଢ଼ିଛି ବୋଲି ଜନପଥରେ ପୂଜା ସାମଗ୍ରୀ ପସରା ଖୋଲିଥିବା ବେପାରୀ କେଦାର ନାଥ ସାହୁ କହିଛନ୍ତି। ପୂଜା ବ୍ରତ, ପାଟ ଫୁଲି, ଗୁଆ, ହରିଡ଼ା, ବାହାଡ଼ା, ମଥା ବସା, ସିନ୍ଦୂର, କାଠ ପାନିଆ, ଦର୍ପଣ, କଳାମାଳି, ତୁଳା ଅଳତା, ସାଲୁ କନା ଓ ବ୍ରତ ବହି ଆଦିର ଏକ ସେଟ୍‌ ୬୦ଟଙ୍କା ଲେଖାଏ ରହିଛି। ଗତ ବର୍ଷ ଏହା ୫୦-୫୫ ଟଙ୍କା ଲେଖାଏ ରହିଥିଲା। ଏହି ସବୁ ସାମଗ୍ରୀ ଅଲଗା ଅଲଗା କିଣିଲେ ଗୋଟିକ ୨-୫ ଟଙ୍କା ଅଧିକ ପଡ଼ୁଛି ବୋଲି ସେ କହିଛନ୍ତି। ସେହିପରି ଶାଢ଼ି ବଜାରରେ ଗତ କିଛି ଦିନ ହେଲା ବେଶ୍‌ ଭିଡ଼ ପରିଲକ୍ଷିତ ହେଉଛି। ଲକ୍‌ଡାଉନ୍‌ ଯୋଗୁ ବାହାରୁ ମାଲ୍‌ ଆସି ପାରି ନାହିଁ। ସାବିତ୍ରୀରେ ନୂଆ ଶାଢ଼ି ପିନ୍ଧିବାର ପରମ୍ପରା ଥିବାରୁ ମହିଳାମାନେ ସେହି ପୁରୁଣା ଷ୍ଟକ୍‌ରୁ ଶାଢ଼ି କିଣିବାକୁ ବାଧ୍ୟ ହେଉଛନ୍ତି। ମନ ପସନ୍ଦର ଶାଢ଼ି ନ ମିଳିଲେ ବି ନୂଆ ଶାଢ଼ି ଖଣ୍ଡେ ପାଇଁ ବଜାରରେ ଭିଡ଼ ଜମିଛି। ପ୍ରତିବର୍ଷ ସାବିତ୍ରୀଠାରୁ ରଜ ପର୍ଯ୍ୟନ୍ତ ପୋଷାକ ବଜାର ବେଶ୍‌ ଚଳଚଞ୍ଚଳ ହୋଇ ଉଠେ। ଏହି ସମୟରେ ଅଫର୍‌ ଧମାକା ବିଭିନ୍ନ ମଲ୍‌ ଓ ସପିଂ କମ୍ପ୍ଲେକ୍ସରେ ଲାଗୁଥିବା ବେଳେ ଚଳିତ ବର୍ଷ ଲକ୍‌ଡାଉନ୍‌ ଏ ସବୁରେ ଭଟ୍ଟା ପକାଇଛି। କିନ୍ତୁ ରିହାତି ନ ଥିବା ସତ୍ତ୍ବେ ଆଜି ରାଜଧାନୀର ସମସ୍ତ ଦୋକାନ ବଜାରରେ ଜନ ସମୁଦ୍ର ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର