ସିଆରପିଏଫ୍‌ କ୍ୟାମ୍ପସ ଡାକଘର, ୪ ଖାତାରୁ ୯ ଲକ୍ଷ ଗାଏବ୍‌

ଭୁବନେଶ୍ବର: ନୟାପଲ୍ଲୀ ଥାନା ଅଧୀନ ସିଆରପିଏଫ୍‌ କ୍ୟାମ୍ପସ ଡାକଘରୁ ୪ ଜମାଖାତାରୁ ୯ ଲକ୍ଷ ୨୦ ହଜାର ଟଙ୍କା ଗାଏବ୍‌ ହୋଇ ଯାଇଛି। ଜାଲ ଦସ୍ତଖତ ବଳରେ ଏହି ଅର୍ଥ ହଡ଼ପ ହୋଇଥିବ‌ା ଅଭିଯୋଗ ହୋଇଛି। ସବୁଠାରୁ ଅଧିକ ଜମା ଅର୍ଥ ହରାଇଥିବା ଜମାକାରୀ ହେଉଛନ୍ତି ଅବସରପ୍ରାାପ୍ତ କର୍ମଚାରୀ ବୀରଭଦ୍ର ପ୍ରଧାନ। ସେ ତାଙ୍କ ପତ୍ନୀ ଆରତି ପ୍ରଧାନଙ୍କ ସହ ଯୁଗ୍ମ ଭାବରେ ୨୦୧୭ ମସିହା ଜୁନ୍‌ ୨୦ ତାରିଖରେ ଏକ ଖାତା ‌େଖାଲିଥିଲେ। ଏଥିରେ ସେ ପାଇଥିବା ଅବସରକାଳୀନ ଅର୍ଥରୁ ୫ ଲକ୍ଷ ୧ ହଜାର ଟଙ୍କା ଜମା (ଟର୍ମଡିପୋଜିଟ୍‌-୩୭୦୨୩୭୮୭୯୮) କରିଥିଲେ। ଗତ ମାସରେ ସେ ଜାଣିବାକୁ ପାଇଲେ ଯେ ଏହି ସମସ୍ତ ଅର୍ଥ ଉଠାଣ ହୋଇଯାଇଛି। ଏନେଇ ସେ ଡାକ ବିଭାଗରେ ଅଭିଯୋଗ କରିଥିଲେ। ‘ଅଡିଟ୍ ଚାଲିଛି, ସରିଲେ ମିଳିବ’ ବୋଲି ତାଙ୍କୁ ଦୀର୍ଘ ଦିନ ହେବ ଏହି ଉତ୍ତର ମିଳିବାରୁ ସେ ହତାଶ ହୋଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି। ଆଉ ଜଣେ ଅବସରପ୍ରାପ୍ତ ସିଆରପିଏଫ୍‌ ଅଧିକାରୀ ହେଉଛନ୍ତି ଦୀନବନ୍ଧୁ ସାହୁ। ସେ ତାଙ୍କ ପତ୍ନୀଙ୍କ ସହ ମିଶି ୨୦୧୧ ମସିହାରେ ଏକ ଖାତା ଖୋଲି ୨ଲକ୍ଷ ୧ ହଜାର ଟଙ୍କା ଜମା କରିଥିଲେ। ହେଲେ ଜମାର ସର୍ତ୍ତ ଅବଧି ଶେଷ ହେବା ପୂର୍ବରୁ ୨୦୧୭ ମସିହାରେ ଅର୍ଥ ଉଠାଣ ହୋଇ ଯାଇଥିଲା। ସେହିଭଳି ଆଉ ଦୁଇଜଣ ଜମାକାରୀ ହେଉଛନ୍ତି ସିଆରପିଏଫ୍‌ କର୍ମଚାରୀଙ୍କ ପତ୍ନୀ ନିରୁପମା ଜେନା ଓ ଶାନ୍ତି ପାଢ଼ୀ। ନିରୁପମା ଜେନା ୨୦୧୩ ମସିହାରେ ଖାତା (ରିକରିଂ ଡିପୋଜିଟ୍‌) ଖୋଲିଥିଲେ। ଏଥିରେ ମାସିକ ୨ ହଜାର ଟଙ୍କା ଜମା କରୁଥିବା ବେଳେ ୨୦୧୮ ମସିହା ଜୁଲାଇ ମାସରେ ତାଙ୍କୁ ୧ ଲକ୍ଷ ୪ ହଜାର ଟଙ୍କା ମିଳିବାକୁ ଥିଲା। ସେ ଜୁଲାଇ ମାସରେ ତାଙ୍କ ପାସ୍‌ବୁକ୍‌ ଜମା କରିବା ପରେ ସମୁଦାୟ ଅର୍ଥ ହଡ଼ପ ହୋଇ ଯାଇଥିଲା। ଅନୁରୂପ ଢଙ୍ଗରେ ଶାନ୍ତି ପାଢ଼ୀ ମଧ୍ୟ ୨୦୧୩ ମସିହାରେ ଖାତା ‌ଖେଲି ମାସିକ ୧ ହଜାର ଟଙ୍କା ଜମା କରି ଆସୁଥିଲେ। ଗତ ଫେବ୍ରୁଆରି ମାସରେ ତାଙ୍କୁ ୭୪ ହଜାର ୪୦୦ ମିଳିବାକୁ ଥିଲା। ସେ ଜାନୁଆରି ଶେଷ ସପ୍ତାହରେ ଖାତା ଜମା କରିବା ପରେ ଏହି ଅର୍ଥ ଉଠାଣ ହୋଇ ଯାଇଥିଲା। ଏହି କେଳେଙ୍କାରୀ ସମୟରେ ଡାକପାଳ ଭାବରେ ସଚ୍ଚିଦାନନ୍ଦ ପଟ୍ଟନାୟକ କାମ କରୁଥିଲେ। ହଡ଼ପ ଅଭିଯୋଗ ଆସିବା ପୂର୍ବରୁ ହିଁ ୨୦୧୭ ମସିହାରେ ତାଙ୍କର ବଦଳି ହୋଇଛି। ତେବେ ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ନାହିଁ। ଅଭିଯୋଗ ପରେ ଭୁବନେଶ୍ବର ଉତ୍ତର ଉପଖଣ୍ଡ ଡାକ ଅଧୀକ୍ଷକ ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର