ରାଜ୍ୟ ପୁଲିସ ଡିଜିଙ୍କୁ ଭେଟିଲେ ସିଆରପିଏଫ୍‌ ଡିଜି : ମାଓ ମୁକାବିଲା ପାଇଁ ଯୋଜନା ପ୍ରସ୍ତୁତ

କନ୍ଧମାଳ, ରାୟଗଡ଼ା ଓ କଳାହାଣ୍ଡିରେ ସିଆର୍‌ପିଏଫ୍‌ ପୁନଃମୁତୟନ ପ‌ାଇଁ ପ୍ରସ୍ତାବ

ଭୁବନେଶ୍ବର : ରାଜ୍ୟାୀ ସିଆରପିଏଫ୍‌ ମୁତୟନ ହୋଇଥିବା ନକ୍ସଲ ପ୍ରଭାବିତ ୧୫ ଜିଲ୍ଲା ଭିତରୁ କୋରାପୁଟ ଓ ମାଲାକାନାଗିରି ମାଓବାଦୀ ଗତିବିଧି ଦୃଷ୍ଟିରୁ ସମ୍ବେଦନଶୀଳ ରହିଛି। ଦମନ ପାଇଁ ସମସ୍ତ ବ୍ୟବସ୍ଥା ସତ୍ବେ ମାଓବାଦୀଙ୍କର କାର୍ଯ୍ୟକଳାପ ଜାରି ରହିଛି। ମାଓ ମୁକାବିଲା ପାଇଁ ଚାଲିଥିବା କାର୍ଯ୍ୟରେ ସିଆରପିଏଫ୍‌ର ସହଯୋଗ ପ୍ରସଂଶନୀୟ। ତେବେ ଏହି ମିଳିତ କାର୍ଯ୍ୟକ୍ରମ ଆହୁରି କିଭଳି ଫଳପ୍ରଦ ହୋଇପାରିବ ସେ ନେଇ ସିଆରପିଏଫ୍‌ ଡିଜି ରାଜୀବ ରାୟ ଭଟ୍ଟନାଗରଙ୍କ ସହ ଆଲୋଚନା କରାଯାଇଛି ‌ବୋଲି କହିଛନ୍ତି ରାଜ୍ୟ ପୁଲିସ ଡିଜି ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା।

ଆଜି ଭୁବନେଶ୍ବର କ୍ୟାମ୍ପ ଅଫିସ୍‌ରେ ଦୀର୍ଘ ଏକଘଣ୍ଟା ଧରି ମାଓବାଦୀଙ୍କ ମୁକାବିଲା ନେଇ ଉଭୟ ଡିଜିଙ୍କର ରୁଦ୍ଧଦ୍ବାର ବୈଠକ ବସିଥିଲା। ଡିଜି ଡା. ଶର୍ମା କହିଥିଲେ, ରାଜ୍ୟରେ ସିଆରପିଏଫ୍‌ର ୮ ବାଟାଲିୟନ କାର୍ଯ୍ୟରତ ଅଛି। ରାଜ୍ୟରେ ମାଓବାଦୀମାନେ ଆପରାଧିକ କାର୍ଯ୍ୟକଳାପ ଘଟାଇ ସୀମାନ୍ତ ରାଜ୍ୟକୁ ଚାଲି ଯାଉଥିବାରୁ ଅପରେସନରେ ସମସ୍ୟା ହେଉଛି। ସୁରକ୍ଷା ଯେତେ ବଢ଼ାଇଲେ ମଧ୍ୟ ଗୁଇନ୍ଦା ଖବର ସଂଗ୍ରହ ନ ହେଲେ ମାଓ କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲଗାଇବା ସମ୍ଭବ ହେଉ ନାହିଁ। ଏଣୁ ଏହି ଗୁଇନ୍ଦା ଖବର ସଂଗ୍ରହ ପାଇଁ ସୀମାନ୍ତ ରାଜ୍ୟ ସହ ସମନ୍ବୟ ଜରୁରୀ। ଏବେଠୁ ଏହି ସମନ୍ବୟକୁ ପ୍ରାଥମିକତା ଦିଆଯାଇ କାମ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ୧୧ ଜିଲ୍ଲାରେ ସିଆରପିଏଫ୍‌ କାମ କରୁଥିଲେ ମଧ୍ୟ କନ୍ଧମାଳ, ରାୟଗଡ଼ା ଓ କଳାହାଣ୍ଡିରେ ଅଧିକ ସୁରକ୍ଷାର ଆବଶ୍ୟକତା ରହିଛି। ଏଣୁ ଯେଉଁଠି ଖାଲି ଅଛି ସେଠାରେ ସୁରକ୍ଷା ବଳ ପୁନଃମୁତୟନ ନେଇ ସିଆରପିଏଫ୍‌ ଡିଜିଙ୍କୁ ପ୍ରସ୍ତାବ ଦିଆଯାଇଛି।

ସିଆରପିଏଫ୍‌ ଡିଜି ଶ୍ରୀ ରାୟ ଭଟ୍ଟନାଗର କହିଥିଲେ, ଗୁଇନ୍ଦା ଖବର ସଂଗ୍ରହ ପାଇଁ ବିଭିନ୍ନ ରାଜ୍ୟର ଯେଉଁ ସମନ୍ବୟ ଆବଶ୍ୟକତା ରହିଛି ତାହା ଉପରେ ଆଲୋଚନା ହୋଇଛି। ପୂର୍ବରୁ ଓଡ଼ିଶା ପୁଲିସ ସହ ଉତ୍ତମ ସମନ୍ବୟ ରହିଛି। ସେଥିପାଇଁ ଓଡ଼ିଶାରେ ମାଓବାଦୀ କାର୍ଯ୍ୟକଳାପ କମିଛି। ଏହାକୁ ଶୂନ କରିବା ପାଇଁ ଉଦ୍ୟମ ଅବ୍ୟାହତ ରହିଛି। ଏଠାକୁ ଆସି କାମ କରୁଥିବା ଯବାନମାନେ ରାଜ୍ୟ ବାହାରର। ଏଣୁ ସେମାନେ କିଭଳି ଏହି ରାଜ୍ୟରେ ନିଜ ନିଜର ଦଖଲ ହାସଲ କରିବେ ଓ ରାଜ୍ୟ ଭିତର ଓ ବାହାରର ମାଓବାଦୀ ଦମନରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ତାହାକୁ ପ୍ରାଥମିକତା ଦିଆଯାଇଛି। ତା ସହିତ ସ୍ବତନ୍ତ୍ର ଭାବେ ୩ଟି ଟିମ୍‌ ଓଡ଼ିଶା ପୁଲିସ ସହ କାମ କରୁଛି। ଏଣୁ ମାଓ ଦମନ ଆମ ପାଇଁ ଚାଲେଞ୍ଜ ହେବ ନାହିଁ ବୋଲି ଆଶା କରାଯାଉଛି।

ବୈଠକରେ ସିଆରପିଏଫ୍‌ ଆଇଜି, ଡିଆଇଜି, ଗୁଇନ୍ଦା ନିର୍ଦ୍ଦେଶକ ସୁନୀଲ ରଏ, ଏଡିଜି(ଅପରେସନ) ଆରପି କୋଚେ, ଆଇଜି(ଏସ୍‌ଆଇଡବ୍ଲ୍ୟୁ) ଘନଶ୍ୟାମ ଉପାଧ୍ୟାୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର