ଭୁବନେଶ୍ବର: ଆଜି ଜଣେ ସିଆର୍‌ପିଏଫ୍ ଅଧିକାରୀଙ୍କ ପତ୍ନୀ ଲୁଟ୍‌ର ଶିକାର ହୋଇଛନ୍ତି। କ୍ୟାମ୍ପସ ନିକଟରେ ଚାଲିଚାଲି ଯାଉଥିବା ବେଳେ ଦୁଇ ଲୁଟେରା ତାଙ୍କୁ ମାଡ଼ ମାରି ବେକରୁ ସୁନାଚେନ୍‌ ଛିଣ୍ଡାଇ ଜମ୍ପଟ ମାରିଛନ୍ତି। ଭରତପୁର ଥାନା ପୁଲିସ ତଦନ୍ତ ଚଳାଇଥିଲେ ବି ଲୁଟେରାଦ୍ବୟଙ୍କ ଟେର୍‌ ପାଇନାହିଁ।

Advertisment

ସୂଚନାନୁସାରେ ସିଆରପିଏଫ୍ ଅଧିକାରୀ ବିଏମ୍ ଗିରିଙ୍କ ପତ୍ନୀ ବି ଇଶ୍ବରୀ ଆଜି ସକାଳେ ଫାୟାର୍‌ ଷ୍ଟେସନ ଦିଗରୁ ରେଣ୍ଟାଲ କଲୋନି ରାସ୍ତାରେ ଚାଲିଚାଲି କ୍ୟାମ୍ପସ୍‌ ଭିତରକୁ ଯାଉଥିଲେ। ସେ ମୁଖ୍ୟ ଗେଟ୍‌ ନିକଟରୁ କିଛି ଦୂରରେ ପହଞ୍ଚିଥିବା ବେଳେ ହଠାତ୍ ଏକ ବାଇକ୍‌ରେ ଥିବା ଦୁଇ ଲୁଟେରା ତାଙ୍କ ସମ୍ମୁଖକୁ ଆସି ତାଙ୍କ ବେକରୁ ଗହଣା ଝାମ୍ପି ନେବାକୁ ଉଦ୍ୟମ କରିଥିଲେ। ଇଶ୍ବରୀ ପ୍ରତିରୋଧ କରିବାରୁ ସେମାନେ ତାଙ୍କୁ ମାଡ଼ ମାରି ଭୟଭୀତ କରାଇଥିଲେ ଏବଂ ବେକରୁ ସୁନା ଚେନ୍ ଓ ମଙ୍ଗଳସୂତ୍ର ଛିଣ୍ଡାଇ ନେଇଥିଲେ। ଦୁଇ ଗହଣାର ଓଜନ ପ୍ରାୟ ସାଢ଼େ ୪୫ ଗ୍ରାମ୍‌ ହେବ ବୋଲି ସେ ଅଭିଯୋଗ କରିଛନ୍ତି।