ବାଲିପାଟଣା: ଖରା ଦିନରେ ପିଇବା ପାଣି ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି। ନଦୀ, କେନାଲ ଶୁଖିଲା ପଡ଼ିବାରୁ ଭୂତଳ ଜଳସ୍ତର ହ୍ରାସ ପାଉଛି। ବାଲିପାଟଣା, ବନମାଳୀପୁର, ନରିସୋ, ବସନ୍ତମାଳ, ଦରଡ଼ା, ରାଜସ ପ୍ରଭୃତି ଅଞ୍ଚଳରେ ନଳକୂପରୁ ପାଣି ବାହାରୁ ନାହିଁ। ପିଇବା ପାଣି ପାଇଁ ଲୋକେ ସଂଘର୍ଷ କରୁଛନ୍ତି। ସରକାରଙ୍କ ପାନୀୟ ଜଳ ପ୍ରକଳ୍ପ ସବୁ ସ୍ଥାନକୁ ସଂଯୋଗ ହୋଇ ନାହିଁ। ଅପରପକ୍ଷେ ମେଗା ପାନୀୟ ଜଳ ପ୍ରକଳ୍ପ କାମ ମନ୍ଥର ଗତିରେ ହେଉଥିବାରୁ ଏହାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। 

Advertisment

ଭୂତଳ ଜଳ ହ୍ରାସ; ଶୁଖିଲା ପଡ଼ିଛି ନଦୀ, କେନାଲ
ମେଗା ପାନୀୟ ଜଳ ପ୍ରକଳ୍ପର ମନ୍ଥର କାର୍ଯ୍ୟକୁ ନେଇ ଜନ ଅସନ୍ତୋଷ

ସୂଚନା ଅନୁସାରେ, କୁଶଭଦ୍ରା ନଦୀରେ ବ୍ୟାରେଜ କାମ ଚାଲୁଥିବାରୁ ବାଲିଅନ୍ତା ଅଞ୍ଚଳରେ ପାଣି ବନ୍ଦ କରାଯାଇଛି। ସେହିପରି ହଂସପାଳ ଗୋପ କେନାଲ, ନିମାପଡ଼ା ଶାଖା କେନାଲ, ଅଙ୍କୁଶପୁର କେନାଲ ଶୁଖିଲା ପଡ଼ିଛି। ନଦୀ ଓ କେନାଲରେ ପାଣି ରହିଲେ ପ୍ରାୟ ୩୦ ଫୁଟ ପର୍ଯ୍ୟନ୍ତ ପାଣି ଖସେ। ହେଲେ ଏବେ ସେସବୁ ଶୁଖିଯିବାରୁ ୫୦ ଫୁଟ ତଳକୁ ପାଣି ଖସି ଯାଇଥିବା ବ୍ଲକ୍‌ ଗ୍ରାମ୍ୟ ପାନୀୟ ଜଳଯୋଗାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଫଳରେ ସରାଟ, କୁଳନ୍ତିରା, ଦରଡ଼ା, ବଦଳା, ବଦଳା ଶାସନ, ପଣ୍ଡୁଆସାହି, ବସନ୍ତମାଳ, ନରଦା, ତୁରିନ୍ତିରା, ଗୋପଗରଡ଼ା, ବନମାଳୀପୁର, ଶେଖ୍‌ପାଟଣା, ନୂଆସାହି, ଡେରାସାହି, ଦଣ୍ଡାସାହି, ବିଶ୍ୱାଳସାହି, ଅମୃତମଣୋହିପାଟଣା, ରଏତପାଟଣା, ଗୋଲାମହମ୍ମଦପାଟଣା, ମଝିହରା ବସ୍ତି, ମୁଣ୍ଡହଣାପାଟଣା, ଭାକରସାହି, ଜାହାଙ୍ଗୀରପାଟଣା, ବନମାଳୀପୁର ବଜାର, ପ୍ରଧାନପାଟଣା, ଦିୱାନପାଟଣା, ବାଲିକୁଦାପାଟଣା, ବାଘବରାହୀପାଟଣା, ନରିସୋ, କୁରୁଞ୍ଜିପୁର ପ୍ରଭୁତି ସ୍ଥାନରେ ଜଳ ସଙ୍କଟ ଦେଖାଯାଇଛି। ବାଲିପାଟଣା ବ୍ଲକ୍‌ ଗ୍ରାମ୍ୟ ପାନୀୟ ଜଳଯୋଗାଣ ଅଧିକାରୀ ରଞ୍ଜନ ଘଡେଇ କହିଛନ୍ତି, ଏବେ ୪୬ଟି ବସୁଧା ପ୍ରକଳ୍ପ କାର୍ଯ୍ୟକ୍ଷମ ଅଛି। ୨୧୫୧ଟି ନଳକୂଅ ରହିଛି। ବସୁଧା ଯୋଜନାରୁ ବହୁ ବର୍ଷ ହେଲା ଅନେକ ଅଞ୍ଚଳ ବାଦ୍‌ ପଡିଥିଲା। ମେଗା ପାନୀୟ ଜଳ ପ୍ରକଳ୍ପ କାମ ଶେଷ ହେବାକୁ ଆହୁରି ୨ରୁ ୩ବର୍ଷ ଲାଗିବ।