ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ବୈଜ୍ଞାନିକ ତଥା ଔଦୌଗିକୀ ଅନୁସନ୍ଧାନ ପରିଷଦ(ସିଏସଆଇଆର୍)ର ହୀରକ ଜୟନ୍ତୀ ଉତ୍ସବ ଆଜି ଆଇଏମ୍ଏମ୍ଟି ପରିସରରେ ଅନୁଷ୍ଠିତ ହୋଇଛି। ଏଥିରେ ଆଇଏମ୍ଏମ୍ଟିର ନିର୍ଦ୍ଦେଶକ ଏସ୍.କେ. ମିଶ୍ର ଯୋଗଦେଇ କହିଲେ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା ଲାଗି ଆଗ୍ରହ ପ୍ରକାଶ କରିଥିଲେ। ଏଥିପାଇଁ ପ୍ରାୟ ୫୦ କୋଟି ଟଙ୍କା ଖର୍ଚ୍ଚ ହେବ। ତେଣୁ ରାଜ୍ୟ ଓ କେନ୍ଦ୍ର ସରକାର ସାହାଯ୍ୟ ପ୍ରଦାନ କରିବାକୁ ନିବେଦନ କରାଯାଇଛି। ୧୦ କୋଟି ଟଙ୍କା ଅନୁଦାନ ଦେବା ପାଇଁ କେନ୍ଦ୍ରଙ୍କୁ ଅନୁରୋଧ କରାଯାଇଛି। ନୀତି ଆୟୋଗର ଅଟଳ ଇନୋଭେସନ୍ ମିସନ ଯୋଜନା ଅଧୀନରେ ଯୁବପିଢ଼ିଙ୍କୁ ଚମଡ଼ା ଶିଳ୍ପ, ମୂଲ୍ୟଯୁକ୍ତ କୃଷି, ଜଳ ପରିମଳ, ଖାଦ୍ୟ ପ୍ରକ୍ରିୟାକରଣ, ଶକ୍ତି କ୍ଷେତ୍ରରେ ଶିଳ୍ପ ପ୍ରତିଷ୍ଠା ପରି ବିଷୟରେ ଛାତ୍ରଛାତ୍ରୀଙ୍କୁ ତାଲିମ ଦେବାକୁ ଲକ୍ଷ୍ୟ ରଖାଯାଇଛି।
ଉତ୍ସବରେ ରାଜ୍ୟ ସରକାରଙ୍କ ଲଘୁ, କୁଟୀର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମୁଖ୍ୟଅତିଥି ଭାବେ ଯୋଗଦେଇ ଆଇଏମ୍ଏମ୍ଟି ପରିସରରେ ଦକ୍ଷତା ତାଲିମ କେନ୍ଦ୍ର ପ୍ରତିଷ୍ଠା ବାବଦରେ ରାଜ୍ୟ ସରକାର ସହାୟତା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଥିଲେ। ହାଇଦ୍ରାବାଦସ୍ଥିତ ଜାତୀୟ ଖଣି ଉନ୍ନୟନ ନିଗମ ଲିମିଟେଡ୍ର ବୈଷୟିକ ନିର୍ଦ୍ଦେଶକ ଡ. ନରେନ୍ଦ୍ର କୁମାର ନନ୍ଦ ପ୍ରତିଷ୍ଠା ଦିବସର ବକ୍ତବ୍ୟ ରଖିଥିଲେ।
ଏହି ଅବସରରେ ଆଜିଠାରୁ ଏକ ବିଜ୍ଞାନ ପ୍ରଦର୍ଶନୀ ଆରମ୍ଭ ହୋଇଛି। ଆସନ୍ତା ୧୧ ତାରିଖ ପ୍ରତିଦିନ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ଖୋଲା ରହିବ। ଗବେଷଣା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବୈଜ୍ଞାନିକଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ‘ଅଭିବ୍ୟକ୍ତି -୨୦୧୭’ ଉନ୍ମୋଚିତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/csir.jpg)