ଭୁବନେଶ୍ବର: ନୂଆପଲ୍ଲୀ ସିଟି କ୍ଲବ୍ ଆନୁକୂଲ୍ୟରେ ଚାଲିଥିବା ରାଜ୍ୟସ୍ତରୀୟ ତୃତୀୟ ନନ୍ଦକିଶୋର ପଟ୍ଟନାୟକ ସ୍ମାରକୀ ମହିଳା ଫୁଟ୍ବଲ୍ ପ୍ରତିଯୋଗିତାର ସେମିଫାଇନାଲ୍ ଲାଇନ୍ ଅପ୍ ଚୂଡ଼ାନ୍ତ ହୋଇଛି। ବୁଧବାର ପ୍ରଥମ ସେମିଫାଇନାଲ୍ରେ ଓଡ଼ିଶା ପୁଲିସ ଓ କେନ୍ଦୁଝରର ତାରିଣୀ ଫୁଟ୍ବଲ୍ ଏକାଡେମୀ ମୁହାଁମୁହିଁ ହେବେ। ଗୁରୁବାର ଦ୍ବିତୀୟ ସେମିଫାଇନାଲ୍ରେ ନୀତା ଫୁଟ୍ବଲ୍ ଏକାଡେମୀ ଭେଟିବ ରାଉରକେଲାର କୁଆରମୁଣ୍ଡା ଏଫ୍ସିକୁ।
ମଙ୍ଗଳବାର ଖେଳାଯାଇଥିବା ଅନ୍ତିମ କ୍ବାର୍ଟର୍ଫାଇନାଲ୍ରେ କୁଆରମୁଣ୍ଡା ଏଫ୍ସି ୩-୨ ଗୋଲ୍ରେ କଟକ ଏକାଦଶକୁ ପରାସ୍ତ କରିଥିଲା। ଜ୍ୟୋସ୍ନା ଲାକ୍ରା, ପୁଷ୍ପା କିଷାନ ଓ ଜାହ୍ମବୀ କିଷାନ ବିଜୟୀ ଦଳ ପାଇଁ ଗୋଲ ଦେଇଥିବା ବେଳେ କଟକ ପାଇଁ ଶୀଲା ସିଂହ ଉଭୟ ଗୋଲ୍ ଦେଇଥିଲେ। ଜ୍ୟୋସ୍ନାଙ୍କୁ ସାମାଜିକ କର୍ମୀ ରଜତ କୁମାର ପାଢ଼ୀ ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ। ଆଲୋକ ଦେହୁରୀ, ଏମ୍ଏସ୍ ବେଗ୍, ଶିବ ପ୍ରସାଦ ସାମନ୍ତରାୟ, ସୁଜିତ କୁମାର ପାତ୍ର ମ୍ୟାଚ୍ ପରିଚାଳନା କରିଥିଲେ। ଶିବ ଶଙ୍କର ପଣ୍ଡା ମ୍ୟାଚ୍ କମିସନର୍ ଏବଂ ସୁଦୀପ୍ତା ଦାଶ ମ୍ୟାଚ୍ ସମୀକ୍ଷକ ଥିଲେ। କର୍ପୋରେଟର୍ ଅମରେଶ ଜେନା ଅନ୍ୟତମ ଅତିଥି ଥିଲେ। ଗିରିଜା ଦାଶ, ବନୋଜ ପ୍ରଧାନ, ତିଳୋତ୍ତମା ଦଳେଇ, ଦୀପକ କୁମାର ରାଉତରାୟ ସହଯୋଗ କରିଥିବା ବେଳେ ଆୟୋଜକ ସିଟି କ୍ଲବ୍ର ସମ୍ପାଦକ ପ୍ରଦୀପ କୁମାର ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/29/untitled-5-2025-10-29-07-01-43.jpg)
