ଭୁବନେଶ୍ୱର : ଗହଳ ଚହଳ ଥିଲା ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ ଓ ଗାଇଡ୍ସ୍ର ରାଜ୍ୟ କାର୍ଯ୍ୟାଳୟ। ପଡ଼ିଥିଲା କୁନି ପିଲାଙ୍କ ମିନି ମୀନାବଜାର। ମୁଡ଼ି, ମିକ୍ସଚର୍, ଚଣା, ମୁଡ଼ିକିଠାରୁ ଆରମ୍ଭ କର ଆରିିଷା, ପକୁଡ଼ି ଆଦି ସହ ଆଇସ୍କ୍ରିମ୍ ଓ ଗୁପ୍ଚୁପ୍ର କୁନି ପସରା ଖୋଲି ପିଲାମାନେ ନିଜ ଭାବକୁ ପରିପ୍ରକାଶ କରିବା ଓ ଗ୍ରାହକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାର କୌଶଳ ବି ଶିଖିଥିଲେ। ପ୍ରାୟ ୫୦ଟି ଷ୍ଟଲ୍ ଖୋଲି ପିଲାମାନେ ଆଜି ମେଳାର ପରିବେଶ ସୃଷ୍ଟି କରିଥିଲେ। ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ ଓ ଗାଇଡ୍ସ୍ ସଂଗଠନ ପକ୍ଷରୁ ଆୟୋଜିତ ‘କବ୍ ବୁଲ୍ବୁଲ୍ ଉତ୍ସବ’ର ଦ୍ୱିତୀୟ ଦିନରେ ଏଭଳି ଥିଲା ପରିବେଶ। ଏଥିସହ କୁନି କବ୍ ଓ ବୁଲ୍ବୁଲ୍ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଖାଦ୍ୟକୁ ଚିହ୍ନିବା ପାଇଁ ଆଘ୍ରାଣ ପରୀକ୍ଷା, ସ୍ୱାଦ ପରୀକ୍ଷା, ବିଭିନ୍ନ ଶବ୍ଦକୁ ବାରି ଚିହ୍ନିବା ପାଇଁ ଶବ୍ଦ ପରୀକ୍ଷା ଓ ସ୍ମୃତି ଶକ୍ତି ପରୀକ୍ଷା ଆଦି ମଜାଦାର ଖେଳ କରାଯାଇ ପିଲାଙ୍କୁ ଶିକ୍ଷା ଦିଆଯାଇଥିଲା। ପୁଣି ଗଛ ଚଢ଼ା, କାନ୍ଥ ଚଢ଼ା, ଜାଲ ଓ ଟନେଲ ତଳେ ଗୁରୁଣ୍ଡି ଗୁରୁଣ୍ଡି ଚାଲିବା, ମଙ୍କି କ୍ରଲିଂ ଆଦି ବିଭିନ୍ନ ଦୁଃସାହାସିକ ଖେଳ ମାଧ୍ୟମରେ ପିଲାମାନଙ୍କୁ ଆତ୍ମରକ୍ଷା କୌଶଳ ତାଲିମ ଦିଆଯାଇଥିଲା।
ଆଜିର କାର୍ଯ୍ୟକ୍ରମରେ କଣାସର ବିଇଓ ସୂର୍ଯ୍ୟନାରାୟଣ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସ୍କାଉଟ୍ ଓ ଗାଇଡ୍ସ୍ର ରାଜ୍ୟ ମୁଖ୍ୟ କମିସନର୍ କାଳୀପ୍ରସାଦ ମିଶ୍ର ଓ ରାଜ୍ୟ ସଂପାଦକ ରାମମୂର୍ତ୍ତି ଦୋରା ଏଥିରେ ଉପସ୍ଥିତ ଥିଲେ। ରାଜ୍ୟ ଗାଇଡ୍ ସଂଗଠନର ତାଲିମ କମିସନର୍ ଅନାମିକା ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।