ଓଡ଼ିଆ ସଂସ୍କୃତିକୁ ନେଇ ଗର୍ବ କରୁଥିବା ଲୋକ ଓଡ଼ିଆ: ବିଭୂତି ପଟ୍ଟନାୟକ

ସାଂସ୍କୃତିକ କନ୍‍କ୍ଲେଭ୍‍ ‘ଓଡ଼ିଆ ଅସ୍ମିତା’

ଭୁବନେଶ୍ବର: ଓଡ଼ିଆ ସଂସ୍କୃତି, ଧର୍ମ ଓ ଭାଷାକୁ ନେଇ ଗର୍ବ କରୁଥିବା ପ୍ରତିଟି ଲୋକ ଓଡ଼ିଆ। ଓଡ଼ିଶା‌ରେ ବିଭିନ୍ନ ଜନଜାତି ଓ ବାହାର ରାଜ୍ୟର ବହୁ ଲୋକ ରହୁଛନ୍ତି, ଯାହାଙ୍କ ମାତୃଭାଷା ଓଡ଼ିଆ ନୁହେଁ। କିନ୍ତୁ ସେମାନେ ଓଡ଼ିଆ। ଓଡ଼ିଶାର ଅଧିବାସୀ ହିସାବରେ ସେମାନେ ଆମ ସଂସ୍କୃତି, ଧର୍ମ ଓ ଭାଷାକୁ ନେଇ ଗର୍ବ କରନ୍ତି। ସାଂସ୍କୃତିକ ଅନୁଷ୍ଠାନ ‘ଓଡ଼ିଶା କଲ୍‍ଚରାଲ୍‍ ସର୍କଲ୍‍’ ପକ୍ଷରୁ ରବିବାର ହୋଟେଲ ସ୍ୱସ୍ତି ପ୍ରିମିୟମ୍‌ରେ ଆୟୋଜିତ ସାଂସ୍କୃତିକ କନ୍‍କ୍ଲେଭ୍‍ ‘ଓଡ଼ିଆ ଅସ୍ମିତା’‌କୁ ଉଦ୍‌ଘାଟନ କରି ଏପରି କହିଛନ୍ତି ବିଶିଷ୍ଟ ଔପନ୍ୟାସିକ ବିଭୂତି ପଟ୍ଟନାୟକ।

ଅନୁଷ୍ଠାନର ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ମହାନ୍ତିଙ୍କ ଅଧ୍ୟକ୍ଷତା‌ରେ ଅନୁଷ୍ଠିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗ ଦେଇ ଓଡ଼ିଶାର ନୌବାଣିଜ୍ୟ ପରମ୍ପରାଠାରୁ ଆରମ୍ଭ କରି ଉତ୍କଳୀୟଙ୍କ ବୌଦ୍ଧ ଧର୍ମର ପ୍ରଚାରପ୍ରସାର, ଆମ ମନ୍ଦିରର କଳା ଓ କାରୁକାର୍ଯ୍ୟ, ପାଇକ ବିଦ୍ରୋହଠାରୁ ଆରମ୍ଭ କରି ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଆଦି କାଳେ କାଳେ ଓଡ଼ିଆ ଅସ୍ମିତାକୁ ପ୍ରତିପାଦିତ କରି ଆସିଛି ବୋଲି କହିଥିଲେ। ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ, ଆମେ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟ ବିଷୟରେ ଭାଷଣ ଦେବା ବେଳେ କଟକ, ପୁରୀ, ଗଂଜାମ ଓ ବାଲେଶ୍ବର କଥା ଆଲୋଚନା କରିଥାଉ। କିନ୍ତୁ ପଶ୍ଚିମ ଓଡ଼ିଶାର ଐତିହ୍ୟ ବି ବହୁ ସମୃଦ୍ଧ। ତା’ର ଗଣତାନ୍ତ୍ରିକ ଶାସନ ୯ଶହ ବର୍ଷ ତଳର। ସେତେବେଳେ ବିକଶିତ ଅର୍ଥନୀତି ଥିଲା। ଶିକ୍ଷା ସହ ଐତିହ୍ୟ ସଂପନ୍ନ ହେଉଛି ପଶ୍ଚିମ ଓଡ଼ିଶା। ଏଣୁ ଯେତେବେଳେ ଆମେ ଓଡ଼ିଆ ଅସ୍ମିତା କଥା ଚିନ୍ତା କରୁ, ପଶ୍ଚିମ ଓଡ଼ିଶାକୁ ବାଦ୍‌ ଦିଆଯାଇନପାରେ ବୋଲି ଶ୍ରୀ ମିଶ୍ର କହିଥିଲେ। ଓଡ଼ିଶା କଲ୍‌ଚରାଲ୍‌ ସର୍କଲ୍‌ ଓଡ଼ିଶାର ସାଂସ୍କୃତିକ ଦୁନିଆରେ ନୂଆ ଜାଗରଣ ଆଣିବା ପାଇଁ ଅନବରତ ଉଦ୍ୟମ ଜାରି ରଖିଛି ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ମହାନ୍ତି ସୂଚନା ଦେଇଥିଲେ।

ଅନୁଷ୍ଠାନର ଉପାଧ୍ୟକ୍ଷ ଡ. ଜେନାମଣି ସଞ୍ଜୀବ କୁମାର, ପ୍ରଫେସର୍‌ ଜ୍ୟୋତି ରଞ୍ଜନ ଦାସ ଓ ସମ୍ପାଦକ ଚୌଧୁରୀ ଅମିତାଭ ଦାସ ମଞ୍ଚାସୀନ ଥିଲେ। ଏହି ସମ୍ମିଳନୀରେ ବିଶିଷ୍ଟ ବକ୍ତାଙ୍କ ବକ୍ତବ୍ୟ ବ୍ୟତୀତ ଲବ୍ଧପ୍ରତିଷ୍ଠ କଣ୍ଠଶିଳ୍ପୀଙ୍କ ଦ୍ବାରା ଓଡ଼ିଆ ଦେଶାତ୍ମବୋଧ ସଙ୍ଗୀତ ଓ ସମୃଦ୍ଧ ଲୋକନୃତ୍ୟର ପ୍ରଦର୍ଶନରେ ଓଡ଼ିଆ ଅସ୍ମିତାକୁ ଉପସ୍ଥାପନ କରାଯାଇଥିଲା। ଉଦ୍‍ଘାଟନୀ ସଭା ପରେ ‘ଓଡ଼ିଆ ଅସ୍ମିତା’ ଉପରେ ବିଭିନ୍ନ ପର୍ଯ୍ୟାୟରେ ବିଶିଷ୍ଟ ଲେଖକମାନେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ବିଶିଷ୍ଟ କବି ତଥା ଚିନ୍ତକ ହରପ୍ରସାଦ ଦାସ ‘ଓଡ଼ିଆ ଅସ୍ମିତା’ ଉପରେ ଭିତ୍ତିପ୍ରବନ୍ଧ ଉପସ୍ଥାପନ କରିଥିଲେ। ବିଶିଷ୍ଟ ଲେଖକ ଦାଶ ବେନହୁର ‘ଉତ୍କଳ ଗୌରବ ମଧୁସୂଦନ ଓ ଓଡ଼ିଶାର ସ୍ବାଭିମାନ’, ବିଶିଷ୍ଟ ଲେଖକ ତଥା ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଅସିତ ମହାନ୍ତି ‘ଶ୍ରୀଜଗନ୍ନାଥ ଓ ଓଡ଼ିଆ ଅସ୍ମିତା’ ଏବଂ କଥାକାର ଡ. ଅରବିନ୍ଦ ରାୟ ‘ଉତ୍କଳମଣି ଗୋପବନ୍ଧୁ ଓ ଓଡ଼ିଆ ଅସ୍ମିତା’ ଶୀର୍ଷକ ବିଷୟ ଉପରେ ବକ୍ତବ୍ୟ ରଖିଥିଲେ। ଲବ୍ଧପ୍ରତିଷ୍ଠିତ କଣ୍ଠଶିଳ୍ପୀ ସୁବାସ ଦାସ, ଦେବାଶିଷ ମହାପାତ୍ର, ଶୈଳଭାମା ଓ ସ୍ୱଦେଶ ପ୍ରମୁଖ ଓଡ଼ିଆ ଦେଶାତ୍ମବୋଧ ସଙ୍ଗୀତ ପରିବେଷଣ କରିଥିଲେ।

ଏହି ଅବସରରେ ‘ସପ୍ତମ ଉତ୍କଳ ଲୋକନୃତ୍ୟ ଉତ୍ସବ’କୁ ବିଧାୟକ ଅନନ୍ତ ନାରାୟଣ ଜେନା ଓ ଅଭିନେତା ଆକାଶ ଦାସନାୟକ ଉଦ୍‍ଘାଟନ କରିଥିଲେ। ଏଥିରେ ଆରାଧନା ଡ୍ୟାନ୍ସ ଏକାଡେମି ପକ୍ଷରୁ ଗୋଟିପୁଅ, କଳିଙ୍ଗ ପାଇକ ପକ୍ଷରୁ ପାଇକ ଆଖଡ଼ା ଓ ଅଙ୍ଗରାଗ ପକ୍ଷରୁ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା। ଡ. ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଓଡ଼ିଶା କଲ୍‌ଚରାଲ୍‌ ସର୍କଲ୍‌ର କର୍ମକର୍ତ୍ତା ସାଲୁଟ୍‌ ସାହୁ, ବିଶ୍ବରଞ୍ଜନ ଦାଶ, ବିମଳ ଦାସ, କେଦାରନାଥ ରଣସିଂହ, ଶୀତିକଣ୍ଠ ସେନାପତି, ଅଂଶୁମାନ ପଟ୍ଟନାୟକ, ପରେଶ ମାହୁନ୍ତ ଓ ସଂତୃପ୍ତ ଦଳାଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର