ଭୁବନେଶ୍ବର: ମୋ ଘର, ଗାଁ ସବୁ ହଜିଯାଇଛି। କିନ୍ତୁ ମୋ ହୃଦୟରେ ଜଗନ୍ନାଥ ଅଛନ୍ତି। ସେଇ ଜଗନ୍ନାଥଙ୍କ ସୂତ୍ରରେ ମୁଁ ପୁଣିଥରେ ମୋର ମୂଳଭୂମି ଓଡ଼ିଶା ମାଟି ସହ ଯୋଡ଼ି ହେବାକୁ ଚାହୁଁଛି। ଜଗନ୍ନାଥଙ୍କୁ ମଧ୍ୟ ମରିସସ୍କୁ ଆଣିବାକୁ ଚାହୁଁଛି ବୋଲି କହିଛନ୍ତି ମରିସସରେ ରହୁଥିବା ଓଡ଼ିଆ ମୂଳ ବାସିନ୍ଦା ରାମରୂପ ଜଗନ୍ନାଥ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ରାଜ୍ୟ ଅଭିଲେଖାଗାର ସମ୍ମିଳନୀ କକ୍ଷରେ ଆୟୋଜିତ ‘ସଂସ୍କୃତି ଚର୍ଚ୍ଚା’ କାର୍ଯ୍ୟକ୍ରମରେ ସୁଦୂର ମରିସସ୍ରୁ ସ୍କାଇପ୍ ଜରିଆରେ ନିଜର ଏହି ଆବେଗିକ ଅନୁଭବକୁ ଉପସ୍ଥିତ ଓଡ଼ିଆ ବୁଦ୍ଧିଜୀବୀଙ୍କ ସାମ୍ନାରେ ବ୍ୟକ୍ତ କରିବା ଥିଲା ଆଜିର ମୁଖ୍ୟ ଆକର୍ଷଣ। ଏହି ଅବସରରେ ‘ମରିସସ୍ରେ ଓଡ଼ିଆ ବଂଶୋଦ୍ଭବ: ଗିର୍ମିଟିୟା’ ଶୀର୍ଷକ ବକ୍ତୃତା ପ୍ରଦାନ କରି ଜାତୀୟ ଅଭିଲେଖାଗାର, ଭୁବନେଶ୍ବରର ସହ ନିର୍ଦେଶକ ଡ. ଲଲାଟେନ୍ଦୁ ଦାସ ମହାପାତ୍ର କହିଲେ, ଓଡ଼ିଶାରୁ ସାଢ଼େ ୩ ହଜାର କିଲୋମିଟର ଦୂରରେ ଥିବା ମରିସସ୍ରେ ଓଡ଼ିଆ ବଂଶୋଦ୍ଭବଙ୍କ ଅସ୍ତିତ୍ବ ଅକ୍ଷୁର୍ଣ୍ଣ ରହିଛି। ତେବେ ସେମାନେ ନିଜ ମାଟିର ମହକକୁ ଭୁଲି ନାହାନ୍ତି। ୟୁରୋପୀୟ ଉପନିବେଶଗୁଡ଼ିକରେ ଦାସପ୍ରଥା ବିଲୋପ ପରେ ଚୀନ୍ ଓ ଭାରତରୁ ଚୁକ୍ତିବଦ୍ଧ ଶ୍ରମିକମାନେ ଆଖୁ କ୍ଷେତରେ କାମ କରିବାକୁ ମରିସସ ଯିବା ଆରମ୍ଭ କରିଥିଲେ। ଏବେ ମରିସସ୍ରେ ଥିବା ଓଡ଼ିଆ ବଂଶୋଦ୍ଭବମାନେ ଓଡ଼ିଶାର କଳା ସଂସ୍କୃତି ପ୍ରତି ଆକର୍ଷିତ ହେବା ସହ ଓଡ଼ିଶାର କୀର୍ତି ମରିସସରେ ସ୍ଥାପନ ପାଇଁ ଆଗ୍ରହ ଦେଖାଉଛନ୍ତି ବୋଲି ସେ କହିଥିଲେ। ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିବିଶେଷ ଦେବୀପ୍ରସନ୍ନ ପଟ୍ଟନାୟକ, ପଞ୍ଚାନନ କାନୁନ୍ଗୋ, ସଂଜୀବ ହୋତା, ନିବେଦିତା ମହାନ୍ତି ଓ ଅସିତ ମହାନ୍ତି ପ୍ରମୁଖ ରାମରୂପ ଜଗନ୍ନାଥଙ୍କ ସହ ସ୍କାଇପ୍ ଜରିଆରେ ଆଲୋଚନା କରିଥିଲେ। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ତାଙ୍କ ସହିତ ଆଲୋଚନା କରି ମରିସସ ଓ ଓଡ଼ିଶା ମଧ୍ୟରେ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ ଆରମ୍ଭ କରାଯିବା ନେଇ ସୂଚନା ଦେଇଥିଲେ। ଅଭିଲେଖାଗାରର ଅଧୀକ୍ଷକ ଶୁଚିସ୍ମିତା ମନ୍ତ୍ରୀ ସ୍ବାଗତ ଭାଷଣ ଦେଇଥିଲେ।
ସଂସ୍କୃତି ଚର୍ଚ୍ଚା; ସ୍କାଇପ୍ରେ ଭାଗନେଲେ ମରିସସ୍ ବାସିନ୍ଦା ରାମରୂପ ଜଗନ୍ନାଥ
/sambad/media/post_attachments/wp-content/uploads/2019/10/fsdhfsdhf54sdh15sf6hsf65h1465sfh41sf65h49sf8h4sf9874hf9shfshfshhs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)