ଖ୍ରୀଷ୍ଟମାସ୍‌ ଅବସରରେ ସାଂସ୍କୃତିକ ସଂଧ୍ୟା ‘ଖ୍ରୀଷ୍ଟମାସ ସାଣ୍ଟାଟା’

ଭୁବନେଶ୍ବର: ପାଖେଇ ଆସୁଛି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଧରାବତରଣ ସମୟ। ଏନେଇ ଆଜି ଉତ୍କଳ ମଣ୍ଡପଠାରେ ‘ଇଣ୍ଟିଗ୍ରାଲ ୟୁଥ୍‌ ଫେଲୋସିପ୍‌ (ଆଇୱାଇଏଫ୍‌)’ ପକ୍ଷରୁ ଏକ ସାଂସ୍କୃତିକ ସଂଧ୍ୟା ‘ଖ୍ରୀଷ୍ଟମାସ ସାଣ୍ଟାଟା’ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଓଡ଼ିଶାର ୩୦ଟି ସହରରେ ଆୟୋଜିତ ହେଉଛି। କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସାରା ଓଡ଼ିଶାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ମନୋନୀତ କରି ସେମାନଙ୍କୁ ନୃତ୍ୟ ପ୍ରଶିକ୍ଷଣ ଦିଆଯାଇଥିଲା। ଆଜି ଏହି ଅବସରରେ କୁନି କୁନି ପିଲାମାନଙ୍କ ଦ୍ବାରା ଆମେରିକାନ୍‌, ସାଉଥ୍‌ ଆମେରିକାନ୍‌ ଓ ଜାମାଇକାର ସାଂସ୍କୃତିକ ନୃତ୍ୟ ଆଦି ପରିବେଷିତ ହୋଇଥିଲା। ଆଜି ସଂଧ୍ୟାରେ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ କୁମାର ସିଆ, ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ଭୂମିକା ଦାସ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଅନୁଷ୍ଠାନର ସାଂଗଠନିକ ସମ୍ପାଦକ ସୁସଜିତ ପ୍ରଧାନ ଓ କାର୍ଯ୍ୟକ୍ରମ ସଂଯୋଜକ ମନହେମ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର