ଏକାମ୍ର କ୍ଷେତ୍ରକୁ ଆଧ୍ୟାତ୍ମିକ ଭାବଧାରାରେ ବାନ୍ଧି ରଖିଲା ଓଁ ନମଃ ଶିବାୟ…

ଏକାମ୍ର କ୍ଷେତ୍ରକୁ ଆଧ୍ୟାତ୍ମିକ ଭାବଧାରାରେ ବାନ୍ଧି ରଖିଥିଲା ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଆୟୋଜିତ ୨୪ ଘଣ୍ଟିଆ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ। ଅବସର ଥିଲା ଜାଗର ରାତିର ବିଶେଷ ଭଜନ କାର୍ଯ୍ୟକ୍ରମ।

ଆକର୍ଷଣ ସାଜିଥିଲେ ପ୍ରଥିତଯଶା କଣ୍ଠଶିଳ୍ପୀ ଅନୁରାଧା ପୌଡ଼ୱାଲ। ଅନୁରାଧାଙ୍କ କଣ୍ଠରେ ‘କେରି କେରି ସୁନା ଦୁବ… ଭଳି ଲୋକପ୍ରିୟ ଓଡ଼ିଆ ସଂଗୀତ ଶୁଣିବା ମାତ୍ରେ ଦର୍ଶକ ତାଳି ବର୍ଷା କରିଥିଲେ। ପରେ ସେ ‘ଓଁ ନମଃ ଶିବାୟ.., ସତ୍ୟମ ଶିବମ ସୁନ୍ଦରମ.. ଭଳି ସଂଗୀତ ପରିବେଷଣ କରି ଶ୍ରଦ୍ଧାଳୁଙ୍କୁ ଆଧ୍ୟାତ୍ମିକ ଭାବଧାରାରେ ବାନ୍ଧି ରଖିଥିଲେ।

ଏହାପରେ ବାପି ଲାହିରି ‘ଜୟ ଶିବ ଶଙ୍କର.., ଭୋଲେ ବାବା ପ୍ୟାର ଦେ…, କ୍ରିଷ୍ଣା ଧରତି ମେ ଆଜା ତୁ.. ଭଳି ଗୀତ ଗାଇ ଶୁଣାଇଥିଲେ। ଆରତି ମୁଖାର୍ଜୀ ମଧ୍ୟ ହିନ୍ଦୀ ଭଜନରେ ଶ୍ରଦ୍ଧାଳୁଙ୍କ ମନୋରଂଜନ କରିଥିଲେ। ଏହା ବ୍ୟତୀତ ମନ୍ମଥ ମିଶ୍ର, ଶ୍ବେତା ମିଶ୍ରଙ୍କ ସମେତ ଅନ୍ୟ କଣ୍ଠଶିଳ୍ପୀବୃନ୍ଦ ଭଜନ ପରିବେଷଣ କରିଥିଲେ। ଭୋର୍‌ ୪ଟାରୁ ଏହି ସାଂସ୍କୃତିକ ମଞ୍ଚରେ ଶଙ୍ଖର ମାଙ୍ଗଳିକ ଧ୍ବନିରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପରେ ବେଦ ପାଠ, ଶିବ ସହସ୍ରନାମ, ଭଗବତ ଗୀତାପାଠ, ଶିବ ଚେତନା, ହରିହର ଭଜନ, ରାମଚରିତ ମାନସ ପାରାୟଣ, ପ୍ରବଚନ ମଧ୍ୟ ହୋଇଥିଲା। ପ୍ରକାଶନୀର ସଭାପତି ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସମୀର ମହାନ୍ତି, ଶିବାନନ୍ଦ ରାୟ, ସନ୍ତୋଷ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ସମ୍ପାଦକ ସନତ ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ମଞ୍ଚରେ ଅତିଥି ଶିଳ୍ପୀଙ୍କୁ ସମ୍ବର୍ଧିତ କରାଯାଇଥିଲା।

ଏହାବ୍ୟତୀତ ସୂଚନା କେନ୍ଦ୍ରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ସମ୍ପର୍କିତ ସୂଚନା ପ୍ରଦାନ ସହ ଜିଲ୍ଲା ସୂଚନା କାର୍ଯ୍ୟାଳୟ ପକ୍ଷରୁ ପ୍ରବଚନ କାର୍ଯ୍ୟକ୍ରମ ହୋଇଥିଲା। ଗୌରଚନ୍ଦ୍ର ମହାପାତ୍ର ଏହାକୁ ପରିଚାଳନା କରିଥିଲେ।

ଭିଆଇପି ପାସ୍‌ ମାଳମାଳ, ପୁଲିସ-ସେବାୟତ ଠେଲାପେଲା
ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ବି ଭାଗଭାଗ କରାଯାଇଥିଲା। ଗୋଟିଏ ପାର୍ଶ୍ବରେ ସାଧାରଣ ଦର୍ଶନାର୍ଥୀ ଘଣ୍ଟା ଘଣ୍ଟା ଛିଡ଼ା ହୋଇ ଭିତରକୁ ପ୍ରବେଶ କରୁଥି‌ଲେ। ଅନ୍ୟପାର୍ଶ୍ବରେ ଉତ୍ତର ଓ ଦକ୍ଷିଣ ଦ୍ବାରରେ ଭିଆଇପି ପାସ୍‌ଧାରୀମାନେ ମଧ୍ୟ ବହୁ ସଂଖ୍ୟାରେ ପ୍ରବେଶ କରୁଥିଲେ। ତେବେ ଭିଆଇପିଙ୍କ ମାତ୍ରା ଏତେ ହେଇଯାଇଥିଲା ଯେ ଧାଡ଼ି ବାନ୍ଧି ଛିଡ଼ା ହୋଇଥିବା ସାଧାରଣ ଭକ୍ତମାନେ ଦର୍ଶନ ପାଇଁ ମନ୍ଦିର ବେଢ଼ାକୁ ପ୍ରବେଶ ବେଳକୁ ପହଡ଼ ପଡ଼ି ଯାଇଥିଲା। ତେଣୁ ଅନେକ ଶ୍ରଦ୍ଧାଳୁ ଏନେଇ ଅସନ୍ତୋଷ ପ୍ରକାଶ କରିବା ସହ ଭିଆଇପି ପାସ୍‌ ବ୍ୟବସ୍ଥା ବନ୍ଦ କରିବାକୁ କହିଥିଲେ। ଭୋର୍‌ରୁ ଭିଆଇପିମାନେ ମନ୍ଦିରକୁ ଦର୍ଶନ କରିବାକୁ ଯାଇଥିଲେ ହେଁ ସେବାୟତ ପରିବାରକୁ ଉତ୍ତରଦ୍ବାର ବାଟେ ଛଡ଼ା ଯାଇନଥିଲା। ଏନେଇ ପୁଲିସ ସେବାୟତଙ୍କ ମଧ୍ୟରେ ଯୁକ୍ତିତର୍କ ସହ ଠେଲାପେଲା ହେବାରୁ ଉତ୍ତେଜନା ଲାଗି ରହିଥିଲା। ପ୍ରାୟ ୧ ଘଣ୍ଟା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା।

ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କଲେ ପାଣ୍ଡିଆନ
ରାଜ୍ୟ ସରକାରଙ୍କ ‘୫-ଟି’ ସଚିବ ଭି.କେ ପାଣ୍ଡିଆନ୍‌ ଆଜି ଭୋର୍‌ ୫ଟାରେ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପାଇଁ ପହଞ୍ଚିଥିଲେ। କମିସନରେଟ୍ ପୁଲିସ ପକ୍ଷରୁ ତାଙ୍କୁ ମନ୍ଦିର ମଧ୍ୟକୁ ସୁରକ୍ଷାର ସହ ନିଆଯାଇଥିଲା। ସିଂହଦ୍ବାର ନିକଟରୁ ବିଭିନ୍ନ ଅଧିକାରୀ ତାଙ୍କୁ ପାଛୋଟି ନେଇଥିଲେ।

ଆନନ୍ଦ ବଜାରରେ ଭିଡ଼, ସ୍ବେଚ୍ଛାସେବୀଙ୍କ ସେବା
ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଆଜି କେତେକ ସ୍ବେଚ୍ଛାସେବୀ ସଂସ୍ଥା ପକ୍ଷରୁ ବିଭିନ୍ନ ପ୍ରକାର ସେବା ଯୋଗାଇ ଦିଆଯାଇଥିଲା। ଆଶିଷ ଯଶୱାଲା ଟ୍ରଷ୍ଟ, ଜୟ ଓଡ଼ିଶା, ସାଇ ଚାରିଟେବୁଲ ଟ୍ରଷ୍ଟ, ଋତୁରାଣୀ ସାମଲଙ୍କ ନେତୃତ୍ବରେ ନିର୍ଭୟା ଚାରିଟେବୁଲ ଟ୍ରଷ୍ଟ ସମେତ ବହୁ ସ୍କାଉଟ୍‌, ଗାଇଡ୍‌, ଏନ୍‌ଏସ୍‌ଏସ୍‌ ଛାତ୍ରଛାତ୍ରୀ ସେବା ଯୋଗାଇ ଦେଇଥିଲେ। ପଣା, ଫଳ, ପାଣି ସିଞ୍ଚନଠୁ ଆରମ୍ଭ କରି ମନ୍ଦିର ସଫା କାର୍ଯ୍ୟରେ ସେମାନେ ନିୟୋଜିତ ହୋଇଥିଲେ। ଏଥିସହ ଆଜି ଦୂର ଦୂରାନ୍ତରରୁ ଆସିଥିବା ଶ୍ରଦ୍ଧାଳୁମାନେ ମଧ୍ୟାହ୍ନଭୋଜନ ପାଇଁ ଆନନ୍ଦ ବଜାରରେ ଭିଡ଼ ଜମାଇଥିଲେ। ଜାଗରରେ ଅବଢ଼ା, ଡାଲମା ଓ ବେସର ବହୁତ ସ୍ବାଦିଷ୍ଟ ଲାଗେ ବୋଲି ଭକ୍ତ ନଗେନ ସେଠୀ କହିଛନ୍ତି।

ସମ୍ବନ୍ଧିତ ଖବର