ସଂସ୍କୃତି ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ୍‌ ସାହା

ହସ୍ତାନ୍ତର ହେଉନି ନୂଆ ବିଲ୍‌ଡିଂ, ୩ ବର୍ଷ ହେଲା ପିଏଚ୍‌ଡି ଆଡ୍‌ମିସନ ହୋଇନାହିଁ

୨ ବର୍ଷ ହେଲା ପାଠାଗାରକୁ ଆସିନି ବହି
ଭୁବନେଶ୍ବର: ‌ନୂଆ ଶ୍ରେଣୀ ଗୃହ ବିଲ୍‌ଡିଂ ନିର୍ମିତ ହେଲା। ପାଠ ପଢ଼ିବା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଖଞ୍ଜାଗଲା। ଅଥଚ ଛାତ୍ରଛାତ୍ରୀମାନେ ନୂଆ ଶ୍ରେଣୀ ଗୃହରେ ପଢ଼ିବାର ସୁଯୋଗ ପାଇଲେ ନାହିଁ। ତେଣୁ ଏବେ ବି ହଷ୍ଟେଲ୍‌କୁ ଶ୍ରେଣୀ ଗୃହ ଭାବେ ଆଦରି ସେଇଠି ପଢ଼ିବାକୁ ବାଧ୍ୟ ହେଉଛନ୍ତି ଛାତ୍ରଛାତ୍ରୀ। ଇଏ ହେଉଛି ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟରେ ସଂପ୍ରତି ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ବ୍ୟଥା। ବିଶ୍ବବିଦ୍ୟାଳୟରେ ମୋଟ୍‌ ୨୪ଟି ବିଭାଗ ମଧ୍ୟରୁ ୧୦ରୁ ଅଧିକ ବିଭାଗର ପାଠ ପଢ଼ା ହଷ୍ଟେଲ୍‌ରେ ଚାଲିଛି। ଅଥଚ ଦୀର୍ଘ ୬ ମାସ ତଳୁ ନୂତନ ଶ୍ରେଣୀ ଗୃହ ବିଲ୍‌ଡିଂ ନିର୍ମାଣ କାର୍ଯ୍ୟ ସରି ମଧ୍ୟ ସେଠି ପିଲା ପାଠ ପଢ଼ିବାକୁ ସୁଯୋଗ ପାଉନାହାନ୍ତି। ଏହି ପଥରେ କଣ୍ଟା ସାଜିଛି ବୈଷୟିକ କମିଟି। ଶ୍ରେଣୀ ଗୃହଗୁଡ଼ିକ ଛାତ୍ରଛାତ୍ରୀଙ୍କ ପାଇଁ ଉପଯୋଗୀ ନା ନାହିଁ ତାହା ତାହା ପରଖିବାକୁ ସଂସ୍କୃତି ବିଭାଗ ପକ୍ଷରୁ ବୈଷୟିକ କମିଟି ଗଠନ ସରିଛି। ମାତ୍ର ଏଯାଏ ବୈଷୟିକ କମିଟି ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚିପାରିନାହିଁ। ବାରମ୍ବାର ବୈଷୟିକ କମିଟିକୁ ଶ୍ରେଣୀ ଗୃହ ଯାଞ୍ଚ କରିବାକୁ ବିଶ୍ବବିଦ୍ୟାଳୟ ପକ୍ଷରୁ କୁହାଯାଇଛି। ୨ ମାସ ତଳେ ଶେଷ ବୋର୍ଡ ବୈଠକରେ ମଧ୍ୟ ଶ୍ରେଣୀ ଗୃହ ଯାଞ୍ଚ ନେଇ ନିର୍ଦେଶ ଦିଆଯାଇଥିଲା। ମାତ୍ର ନା କମିଟି ନୂଆ ଶ୍ରେଣୀ ଗୃହ ଯାଞ୍ଚ କଲା ନା ପିଲାମାନଙ୍କୁ ଦେଖାଯାଇଥିବା ନୂତନ ଶ୍ରେଣୀ ଗୃହର ସ୍ବପ୍ନ ସାକର ହେଲା। ‌ଏନେଇ ଅଧ୍ୟୟନରତ ଶେଷବର୍ଷର କିଛି ଛାତ୍ରଛାତ୍ରୀ କହିଛନ୍ତି ଯେ ବୋଧେ ଏଇ ହଷ୍ଟେଲ୍‌ରେ ହିଁ ତାଙ୍କ ପାଠ୍ୟକ୍ରମ ଶେଷ ହେଇଯିବ।

ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର କମଳକାନ୍ତ ମିଶ୍ର ପ୍ରତିକ୍ରିୟା ରଖି କହିଛନ୍ତି ଯେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗର ଯୁଗ୍ମ ସଚିବ ପାହ୍ୟାର ଜଣେ ଅଧିକାରୀଙ୍କ ଅଧ୍ୟକ୍ଷତାରେ ବୈଷୟିକ କମିଟି ଗଠିତ ହୋଇଛି। ମାତ୍ର ଅଧ୍ୟକ୍ଷ ଥିବା ଅଧିକାରୀ ଜଣକ ଛୁଟିରେ ଥିବା ଖବର ମିଳିଛି। ତେଣୁ ସେ ଛୁଟିରୁ ଫେରିବା ପରେ କମିଟି ଯାଞ୍ଚ ପରେ ନୂଆ ଶ୍ରେଣୀ ଗୃହ ଆମକୁ ହସ୍ତାନ୍ତର କରାଯିବ ବୋଲି ପ୍ରଫେସର ମିଶ୍ର କହିଛନ୍ତି। ଖାଲି ଏତିକି ନୁହେଁ, ୩ ବର୍ଷ ହେଲା ଏହି ବିଶ୍ବବିଦ୍ୟାଳୟରେ ପିଏଚ୍‌ଡି ପାଇଁ ନୂଆ ଆଡ୍‌ମିସନ ହୋଇନାହିଁ। ଫଳରେ ଅନେକ ଆଶାୟୀ ଛାତ୍ରଛାତ୍ରୀଙ୍କୁ ନିରାଶ ହେବାକୁ ପଡ଼ିଛି। ଏମିତିକି ୨ ବର୍ଷ ହେଲା ବିଶ୍ବବିଦ୍ୟାଳୟ ପାଠାଗାରକୁ ବହି ଖଣ୍ଡେ ଆସିନାହିଁ। ଏ ବାବଦରେ ପ୍ରତିକ୍ରିୟା ରଖି କୁଳପତି ପ୍ରଫେସର ମିଶ୍ର କହିଛନ୍ତି, ଅଧ୍ୟାପକ ଅଧ୍ୟାପିକାମାନେ ବହି ନାଁ ଲେଖି ଦେଲେ ହିଁ ବହି କିଣା ହେଇପାରନ୍ତା। ମାତ୍ର ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ପାଠାଗାର କମିଟି ବୈଠକ ମଧ୍ୟ ଦୀର୍ଘଦିନ ହେବ ବସିନାହିଁ। ତେଣୁ ବହି ପାଇଁ ଆସୁଥିବା ଲକ୍ଷ ଲକ୍ଷ ଟଙ୍କା ଫେରିଯାଉଛି ବୋଲି ଜଣା ପଡ଼ିଛି।

ସମ୍ବନ୍ଧିତ ଖବର