ବଂଶଧାରାକୁ ନେଇ ବ୍ୟାପକ ପ୍ରତ୍ନତାତ୍ତ୍ୱିକ ଅଧ୍ୟୟନର ଆବଶ୍ୟକତା ରହିଛି

ସଂସ୍କୃତି ବିଭାଗ ପକ୍ଷରୁ ‘ସଂସ୍କୃତି ଚର୍ଚ୍ଚା’

ଭୁବନେଶ୍ୱର: ଓଡ଼ିଶାର ପ୍ରତ୍ନତାତ୍ତ୍ୱିକ ଉପରେ ମହତ୍ତ୍ୱପୂର୍ଣ୍ଣ ଅତୀତ ପ୍ରମାଣ ଦେବା ସହିତ ଆମ ଭବିଷ୍ୟତକୁ ସମୃଦ୍ଧ କରିବାକୁ ପ୍ରେରଣା ଦେବ। ଓଡ଼ିଶାରେ ବଂଶଧାରା ନଦୀ ସମୃଦ୍ଧ ସଭ୍ୟତାକୁ ନେଇ ବିଧିବଦ୍ଧ ଓ ଶୃଙ୍ଖଳିତ ପ୍ରତ୍ନତାତ୍ତ୍ୱିକ ଅଧ୍ୟୟନ ଓ ଗବେଷଣାର ଆବଶ୍ୟକତା ରହିଛି ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ ବିଭାଗର ପ୍ରାକ୍ତନ ମୁଖ୍ୟ ପ୍ରଫେସର ଡ.କିଶୋର କୁମାର ବଶା ଉଲ୍ଲେଖ କରିଛନ୍ତି। ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଅଭିଲେଖାଗାରରେ ଅନୁଷ୍ଠିତ ‘ସଂସ୍କୃତି ଚର୍ଚ୍ଚା’ କାର୍ଯ୍ୟକ୍ରମରେ ‘ଓଡ଼ିଶାର ଅତୀତର ଭବିଷ୍ୟତ:ଏକ ପ୍ରତ୍ନତାତ୍ତ୍ୱିକ ଦୃଷ୍ଟିକୋଣ’ ପ୍ରସଙ୍ଗ ଉପରେ ବକ୍ତବ୍ୟ ରଖି ଡ.ବଶା କହିଲେ ଯେ, ପ୍ରତ୍ନତତ୍ତ୍ୱର ଅନୁଭବସିଦ୍ଧ ଓ ଦର୍ଶନ ସମ୍ବଳିତ ଆଭିମୁଖ୍ୟ ରହିଛି। ଓଡ଼ିଶାରେ ପ୍ରତ୍ନତତ୍ତ୍ୱର ଗବେଷଣା ଏହାର ଅତୀତକୁ ଦର୍ଶାଇବା ସହିତ ଭବିଷ୍ୟତ ନିମନ୍ତେ ମାର୍ଗଦର୍ଶନ ଦେଉଛି। ପ୍ରତ୍ନତତ୍ତ୍ୱ ସାଧାରଣ ଭାବରେ ମାନବ ବିଜ୍ଞାନ, ଇତିହାସ ଓ ନୃତତ୍ତ୍ୱ ସହିତ ସଂଯୋଜିତ ଏବଂ ଏହା ଭବିଷ୍ୟତର ବିଶ୍ୱ ପାଇଁ ଜରୁରୀ। ପୁରାତନ ପ୍ରସ୍ତର ଯୁଗ, ନୂତନ ପ୍ରସ୍ତର ଯୁଗ, ମଧ୍ୟଯୁଗୀୟ ଗବେଷଣା, ବନ୍ଦର, ମନ୍ଦିର ସ୍ଥାପତ୍ୟ, ଶିଳାଲେଖ ଓ ପ୍ରସ୍ତର ଚିତ୍ର ଇତ୍ୟାଦି ଉପରେ ଓଡ଼ିଶାରେ ହୋଇଥିବା ପ୍ରତ୍ନତାତ୍ତ୍ୱିକ ଅଧ୍ୟୟନ ଉପରେ ଆଲୋକପାତ କରି ଓଡ଼ିଶାରେ ହାତୀଦାନ୍ତ ଓ ବସ୍ତ୍ରଶିଳ୍ପର ରପ୍ତାନୀ ସମ୍ପର୍କରେ ଗବେଷଣା ହେବା ଦରକାର। ଏହା ସହିତ ମାଟିପାତ୍ର, ଗୋଲାକାର ଗୃହ ସମ୍ବଳିତ ଗ୍ରାମୀଣ ସଭ୍ୟତା, ବର୍ଗାକାର ଅଞ୍ଚଳ ତଥା ନଗରୀକରଣ ଆଦିର ପ୍ରମାଣ ଓଡ଼ିଶାର ପ୍ରତ୍ନତାତ୍ତ୍ୱିକ ଅଧ୍ୟୟନରୁ ଉପଲବ୍ଧ ବୋଲି ସେ କହିଥିଲେ। ସଂସ୍କୃତି ବିଭାଗର କମିସନର ତଥା ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ତାଙ୍କ ବକ୍ତବ୍ୟରେ ଏଭଳି କାର୍ଯ୍ୟକ୍ରମର ମହତ୍ତ୍ୱ ଉପରେ ଆଲୋକପାତ କରିବା ସହିତ ଗବେଷକମାନଙ୍କର ସହଯୋଗ କାମନା କରିଥିଲେ। ନିର୍ଦ୍ଦେଶକ ବିଜୟ କୁମାର ନାୟକଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମରେ ଡ.ବଶା ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ଶେଷରେ ଅଧୀକ୍ଷକ ସୂଚିସ୍ମିତା ମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ଗବେଷକ, ସଂସ୍କୃତିକର୍ମୀ ଓ ସାହିତ୍ୟିକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର