ଲୋକସେବା ଭବନକୁ ସ୍ଥାନାନ୍ତର ହେବ ସଂସ୍କୃତି ବିଭାଗ କାର୍ଯ୍ୟାଳୟ ! ହନ୍ତସନ୍ତ ହୋଇପାରନ୍ତି ଶହଶହ ସାଂସ୍କୃତିକ ଅନୁଷ୍ଠାନ

ଭୁବନେଶ୍ବର: ସରକାରୀ ସ୍ତରରୁ ସାଂସ୍କୃତିକ ଭାବଧାରାର ରିମୋଟ୍‌ ଚଳାଉଥିବା ସଂସ୍କୃତି ବିଭାଗ କାର୍ଯ୍ୟାଳୟ ସଂସ୍କୃତି ଭବନରେ ରହିବ ନାହିଁ। ଏହା ଲୋକସେବା ଭବନକୁ ଉଠିଯିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଏହା ଶୁଣିବା ପରେ ରାଜ୍ୟର ସାଂସ୍କୃତିକ ସଂଗଠକ ଓ ଅନୁଷ୍ଠାନ ସଦସ୍ୟମାନଙ୍କ ମୁଣ୍ଡ ଘୂରାଇ ଦେଇଛି। ଲୋକସେବା ଭବନ ପରିସରକୁ ସଂସ୍କୃତି ନିର୍ଦେଶାଳୟ ଉଠିଗଲେ, ସାଂସ୍କୃତିକ ଅନୁଷ୍ଠାନ ସମୂହକୁ କାର୍ଯ୍ୟକ୍ରମଟିଏ ପାଇବା ପାଇଁ ଦହଗଞ୍ଜ ହେବାକୁ ପଡ଼ିବ। ତେଣୁ ଅନ୍ତତଃ ସାଂସ୍କୃତିକ ଅନୁଷ୍ଠାନର ସ୍ବାର୍ଥ ଦୃଷ୍ଟିରୁ ସରକାର ସଂସ୍କୃତି ବିଭାଗକୁ ସ୍ଥାନାନ୍ତର ନ କରିବାକୁ କିଛି ସାଂସ୍କୃତିକ ଅନୁଷ୍ଠାନର ମୁଖ୍ୟମାନେ ଅନୁରୋଧ କରିଛନ୍ତି। ବା‌ସ୍ତବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସମସ୍ତ କାର୍ଯ୍ୟ କଳ୍ପନା ଛକ ଭଂଜ କଳାମଣ୍ଡପ ପଛପାର୍ଶ୍ବରେ ଥିବା ସଂସ୍କୃତି ଭବନରୁ ପରିଚାଳିତ ହୁଏ। ତେଣୁ ପ୍ରତ୍ୟେକ ଦିନ ରାଜ୍ୟର ବହୁ ସାଂସ୍କୃତିକ ଅନୁଷ୍ଠାନ ଏଇଠି ଆସି ଡେରା ପକାନ୍ତି। କାର୍ଯ୍ୟକ୍ରମଟିଏ ପାଇବା ଆଶାରେ ଅଧିକାରୀଙ୍କ ଦ୍ବାରସ୍ଥ ‌ହୁଅନ୍ତି।

ଆରାଧନା ଡ୍ୟାନ୍‌ସ ଏକାଡେମିର ଚିତ୍ର‌ସେନ୍‌ ସ୍ବାଇଁଙ୍କ କହିବା ମୁତାବକ, ସଂସ୍କୃତି ବିଭାଗ ଆମ ପାଇଁ ଭାତ ହାଣ୍ଡି ସଦୃଶ। ଘରୋଇ ସଂସ୍ଥା ପକ୍ଷରୁ ଆମେ କିଛି କାର୍ଯ୍ୟକ୍ରମ ପାଇଁ ସୁଯୋଗ ପାଉଥିଲେ ହେଁ ଅଧିକାଂଶ କାର୍ଯ୍ୟକ୍ରମ ଆମେ ସଂସ୍କୃତି ବିଭାଗ ଜରିଆରେ ପାଉ। ତେଣୁ ତା’ ଭରସାରେ ଆମ ଅନୁଷ୍ଠାନ ଚାଲିଛି। କିଛି ପିଲାଙ୍କୁ ପାଖରେ ରଖି ଆମେ ନୃତ୍ୟ ତାଲିମ ଦେଉ। ମାତ୍ର ସଂସ୍କୃତି ନି‌ର୍ଦ୍ଦେଶାଳୟ ଏଠାରୁ ଉଠିଗଲେ ଲୋକସେବା ଭବନ ଦୌଡ଼ିବା ଆମ ପକ୍ଷେ ସମ୍ଭବ ହେବ ନାହିଁ। ସେଥିପାଇଁ ପାସ୍‌ ଲୋଡ଼ା ପଡ଼ୁଥିବାରୁ ଆଉ ସେଠାକୁ ବାରମ୍ବାର ଯିବା ସମ୍ଭବ ହେବନାହିଁ। ସମ୍ଭବତଃ ମାର୍ଚ ମାସ ପୂର୍ବରୁ ସଂସ୍କୃତି ବିଭାଗକୁ ଉଠାଇ ନେବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଫଳରେ ସଂସ୍କୃତି ବିଭାଗ ଅଧୀନ ଏକାଡେମି ଓ ଉପ ବିଭାଗଗୁଡ଼ିକୁ ଛାଡ଼ି ଅନ୍ୟ ସେକ୍ସନଗୁଡ଼ିକ ଲୋକସେବା ଭବନକୁ ସ୍ଥାନାନ୍ତର ହେବ ବୋଲି ସୂଚନା ମିଳିଛି। ଜଣେ ବିଭାଗୀୟ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଏହି ବିଭାଗର ପରିଚାଳନା ପାଇଁ ଜାଗା ଅଣ୍ଟୁ ନାହିଁ। ତେଣୁ ଏଭଳି ନିଷ୍ପତ୍ତି ନିଆଯାଉଥିବା ଆଲୋଚନା ହେଉଛି। ମାତ୍ର ଏନେଇ କିଛି ସ୍ପଷ୍ଟ ହୋଇନାହିଁ। ବାସ୍ତବରେ ସଂସ୍କୃତି ବିଭାଗ ସଂସ୍କୃତି ଭବନରେ ରହୁ ଅବା ଲୋକସେବା ଭବନରେ; ଏଥିରେ ସାଧାରଣ ଲୋକଙ୍କର କିଛି ସମସ୍ୟା ହେବାର ନାହିଁ। ମାତ୍ର ରାଜ୍ୟର ଶହଶହ ସାଂସ୍କୃତିକ ଅନୁଷ୍ଠାନ ଏହା ଦ୍ବାରା କାମ ପାଇବାରେ ସମସ୍ୟା ଉପୁଜିବ।

ମିଳିଥିବା ସୂଚନା ମୁତାବକ, ରାଜ୍ୟର ୫ ଶହରୁ ଅଧିକ ସାଂସ୍କୃତିକ ଅନୁଷ୍ଠାନ ସଂସ୍କୃତି ବିଭାଗ ପକ୍ଷରୁ ଉପକୃତ ହୋଇଥାଆନ୍ତି। ସଂସ୍କୃତି ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଲଗାତାର କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ସାଂସ୍କୃତିକ ଦଳ ଯୋଗାଇ ଦିଆଯାଏ। ଫଳରେ ସାଂସ୍କୃତିକ ଅନୁଷ୍ଠାନମାନେ ଏହାଦ୍ବାରା ବିଶେଷ ଉପକୃତ ହୋଇଥାଆନ୍ତି। ମାତ୍ର ଏହା ଯେବେ ଲୋକସେବା ଭବନକୁ ସ୍ଥାନାନ୍ତର ହେବ ସେତେବେଳ ସେଠାକୁ ଯିବା‌ ନେଇ କଟକଣା ରହିଥିବାରୁ ବାରମ୍ବାର ଯିବାକୁ ପଡ଼ୁଥିବା ସାଂସ୍କୃତିକ ଅନୁଷ୍ଠାନର ମୁଖ୍ୟମାନଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରିବ। ଏନେଇ ସାଂସ୍କୃତିକ ଅନୁଷ୍ଠାନ ସମୂହ ପରସ୍ପର ସହ ଯୋଡ଼ି ହୋଇ ସଂସ୍କୃତି ବିଭାଗ କାର୍ଯ୍ୟାଳୟକୁ ଏଠାରୁ ନ ଉଠାଇବାକୁ ଦାବି କରିବା ପାଇଁ ଯୋଗାଯୋଗ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର