ଭୁବନେଶ୍ବର: ବିଭିନ୍ନ କାର୍ଯ୍ୟକ୍ରମକୁ ସାଂସ୍କୃତିକ ଦଳ ପ୍ରେରଣ ପାଇଁ ଆରମ୍ଭ ହୋଇଥିବା ‘କମ୍ପ୍ୟୁଟରୀକୃତ ସାଂସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥା (ସିଟିଏମ୍‌ଏସ୍‌)’ରେ ବହୁ ଅଣପେଶାଦାର କଳାକାର ପଶିଆସିଥିବା ନେଇ ଗଦା ଗଦା ଅଭିଯୋଗ ପହଞ୍ଚୁଛି। ଏହାକୁ ଗୁରୁତ୍ବର ସହ ନେଇଛି ସଂସ୍କୃତି ବିଭାଗ। ଅଣପେଶାଦାର ଆଚରଣ ଓ ନିମ୍ନ ମାନର କଳା ପରିବେଷଣକୁ ଆଉ ବର୍‌ଦାସ୍ତ କରାଯିବନି ବୋଲି ବିଭାଗ ଚେତାବନୀ ଦେଇଛି। ଆଜି ବିଭିନ୍ନ ଗଣମାଧ୍ୟମରେ ଏ ସମ୍ପର୍କରେ ବିଜ୍ଞାପନ ଜାରି କରାଯାଇଛି।

Advertisment

‘ସିଟିଏମ୍‌ଏସ୍‌’ରୁ ବାଦ୍‌ ପଡ଼ିପାରନ୍ତି ସାଂସ୍କୃତିକ ଦଳ
ଉତ୍କୃଷ୍ଟ ପରିବେଷଣ ବାଧ୍ୟତାମୂଳକ

ସିଟିଏମ୍‌ଏସ୍‌ରେ ନାମ ପଞ୍ଜୀକରଣ କରି ଆୟୋଜକ ସଂସ୍ଥା ଦ୍ବାରା ବୁକ୍‌ ହେଲେ ମଧ୍ୟ କିଛି ସାଂସ୍କୃତିକ ଦଳ କାର୍ଯ୍ୟକ୍ରମ ପରିବେଷଣ ପାଇଁ ଯାଉ ନାହାନ୍ତି। ସେମାନଙ୍କ ନାଁ ତାଲିକାରୁ କଟୁ ନଥିବାରୁ ପରବର୍ତ୍ତୀ ଦଳର ନାଁ ତାଲିକାକୁ ଆସିପାରୁନି। ଏବେ ସଂସ୍କୃତି ବିଭାଗର ବିଜ୍ଞପ୍ତି ଅନୁସାରେ, କୌଣସି ଆୟୋଜକ ଅନୁରୋଧକାରୀ ସଂସ୍ଥା ଯଦି ଏକ ସାଂସ୍କୃତିକ ଦଳକୁ ଚୟନ କରିଥିବେ, କିନ୍ତୁ ସେହି ଦଳ ସର୍ବାଧିକ ୩ ଥର କାର୍ଯ୍ୟକ୍ରମ କରିବାକୁ ଅରାଜି ହୁଅନ୍ତି ବା ଆୟୋଜକ ସଂସ୍ଥା‌କୁ ଓଟିପି ନ ଦିଅନ୍ତି, ତେବେ ସଂପୃକ୍ତ ସାଂସ୍କୃତିକ ଦଳଙ୍କ ନାମ ପଞ୍ଜୀକୃତ ତାଲିକାରୁ ବାଦ୍‌ ଦିଆଯିବ। ଏଥିସହ ଆୟୋଜକ ଦଳ ବିଭାଗର ହ୍ବାଟ୍‌ସ୍‌ ଆପ୍‌ ନମ୍ବର ୬୩୭୨୯-୦୧୯୦୭କୁ ଉକ୍ତ ଦଳଗୁଡ଼ିକ ସମ୍ପର୍କରେ ବିଷଦ୍‌ ବିବରଣୀ ତୁରନ୍ତ ପଠାଇବାକୁ ସଂସ୍କୃତି ବିଭାଗ କହିଛି। ଖାଲି ସେତିକି ନୁହେଁ, ସାଂସ୍କୃତିକ ଦଳଗୁଡ଼ିକର ଗୁଣାତ୍ମକ ମାନ ଉପରେ ମଧ୍ୟ ଅନେକ ସମୟରେ ପ୍ରଶ୍ନ ଉଠୁଥିବାରୁ, ବର୍ତ୍ତମାନ ପଞ୍ଜୀକୃତ ସାଂସ୍କୃତିକ ଦଳମାନଙ୍କ ପରିବେଷଣର ମାନକୁ ବିଭିନ୍ନ ସମୟରେ ସମୀକ୍ଷା କରାଯିବ। ନିମ୍ନମାନର ପରିବେଷଣ କରିଥିବା ଦଳଙ୍କୁ ଚିହ୍ନଟ କରାଯିବ। ସେମାନଙ୍କୁ ଉନ୍ନତ ପରିବେଷଣ ପାଇଁ ପ୍ରଥମେ ପରାମର୍ଶ ଦିଆଯିବ ଓ ଆବଶ୍ୟକ ସ୍ଥଳେ ସେମାନଙ୍କୁ ସିଟିଏମ୍‌ଏସ୍‌ରୁ ବାଦ୍‌ ଦିଆଯିବ।