ସଂସ୍କୃତି ବିଶ୍ବବିଦ୍ୟାଳୟ ପରିସରରେ ହେବ ‘ଭାଷା ଉତ୍କର୍ଷ କେନ୍ଦ୍ର’

ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତିର ୫ ବର୍ଷ ପୂର୍ତ୍ତି

ଭୁବନେଶ୍ବର, : ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ପରେ ଓଡ଼ିଆ ଭାଷା ଉପରେ ଅଧିକ ଗବେଷଣା ତଥା ଏହାର ପ୍ରଚାର ପ୍ରସାର ପାଇଁ ଖୁବଶୀଘ୍ର ଓଡ଼ିଶାରେ ‘ଭାଷା ଉତ୍କର୍ଷ କେନ୍ଦ୍ର’ ବା ‘ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କ୍ଲାସିକାଲ୍‌ ଓଡ଼ିଆ’ ପ୍ରତିଷ୍ଠା ହେବ। ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ପରିସରରେ ଏହା ଖୋଲିବ। ‘ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆନ୍‌ ଲାଙ୍ଗୁଏଜ୍‌’ ଅଧୀ‌ନରେ ଏହା କାର୍ଯ୍ୟ କରିବ। ତାମିଲ ଭାଷାର ନିଜସ୍ବ ଭବନ ଥିବା ଭଳି ‘ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କ୍ଲାସିକାଲ୍‌ ଓଡ଼ିଆ’ର ନିଜସ୍ବ କ୍ୟାମ୍ପସ ରହିବ। ଏହା ଫଳରେ ଓଡ଼ିଆ ଭାଷାରେ ଭଲ ବହିଟିଏ କରିବାକୁ କିମ୍ବା ଅଧିକରୁ ଅଧିକ ଗବେଷଣା ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ।

ଆଜି ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତିର ୫ ବର୍ଷ ପୂର୍ତ୍ତି ଉପଲକ୍ଷେ ‘ଓଡ଼ିଆ ଭାଷା ପ୍ରତିଷ୍ଠାନ’ ପକ୍ଷରୁ ସଂସ୍କୃତି ଭବନଠାରେ ଆୟୋଜିତ ‘ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ’ ପାଳନ ଅବସରରେ ଶ୍ରୀ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି। ସେ ଆହୁରି କହିଲେ, ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ଫଳରେ ଏହାର ଖ୍ୟାତି ଓ ଜନାଦୃତି ବଢ଼ିଛି। ଓଡ଼ିଶା ବାହାରେ ଏହାର ଖ୍ୟାତି ବଢ଼ାଇବା ତଥା ଅଧିକ ଗବେଷଣା ପାଇଁ ଭାରତର ଶ୍ରେଷ୍ଠ ବିଶ୍ବବିଦ୍ୟାଳୟଗୁଡ଼ିକରେ ଓଡ଼ିଆ ଚେୟାର ଖୋଲାଯାଇଛି।

ଏହି କାର୍ଯ୍ୟକ୍ରମ ଅବସରରେ ‘ଓଡ଼ିଆ ଭାଷା ସାହିତ୍ୟର ଶାସ୍ତ୍ରୀୟ କାଳ ନିର୍ଣ୍ଣୟ’ ଶୀର୍ଷକ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଲା ସତ, କିନ୍ତୁ ଓଡ଼ିଆ ସାହିତ୍ୟର କେଉଁ କାଳ ଶାସ୍ତ୍ରୀୟ ମାନ୍ୟତା ପାଇବା ଯୋଗ୍ୟ ସେ ନେଇ ଅଧିକରୁ ଅଧିକ ଗବେଷଣା ହେବା ସହ ଏହା ନିରୂପଣ କରିବାକୁ ଅତିଥିମାନେ ମତବ୍ୟକ୍ତ କରିଥିଲେ। ନୀଳାଦ୍ରି ଭୂଷଣ ହରିଚନ୍ଦନଙ୍କ ସଭାପତିତ୍ବରେ ଆୟୋଜିତ ଏହି ଆଲୋଚନାଚକ୍ରରେ ବିବୁଧେନ୍ଦ୍ର ନାରାୟଣ ପଟ୍ଟନାୟକ, ବସନ୍ତ କୁମାର ପଣ୍ଡା ଓ କୀର୍ତ୍ତନ ନାରାୟଣ ପାଢ଼ୀ ପ୍ରମୁଖ ଅତିଥି ଭ‌ାବେ ଯୋଗ ଦେଇଥିଲେ। ଏହି ଅବସରରେ ‘ଓଡ଼ିଆ ଭାଷା ଦୀପିକା’ ପୁସ୍ତକ ଉନ୍ମୋଚିତ ହୋଇଛି। ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକା ତମସାରାଣୀ ଦାସ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଉପନିର୍ଦ୍ଦେଶକ ଦେବାନନ୍ଦ ବରିହା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର