ଖଣ୍ଡଗିରି: ଦୀର୍ଘକାଳ ଧରି ଯୋଜନାରେ ଅଟକି ଥିବା ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ଗବେଷଣା ଚେୟାରଗୁଡ଼ିକର କାର୍ଯ୍ୟ ତ୍ବରାନ୍ବିତ ହୋଇଛି। ଦୁଇଟି ଚେୟାର କାର୍ଯ୍ୟକ୍ଷମ ହୋଇସାରିଛି। ବର୍ତ୍ତମାନ ବାକି ଦୁଇଟି ଚେୟାର ପାଇଁ ଚେୟାର ପ୍ରଫେସର ନିଯୁକ୍ତି ଦିଗରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପଦକ୍ଷେପ ନେଇଛନ୍ତି। ଜଗନ୍ନାଥ ଚେତନା ଚେୟାର ଓ ଗୁରୁମା ସୁନନ୍ଦା ପଟ୍ଟନାୟକ ଚେୟାରରେ ପ୍ରଫେସର ନିଯୁକ୍ତି ପାଇଁ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ ଯୋଗ୍ୟ ପ୍ରଫେସର ଆସିପାରି ନଥିଲେ। ତେଣୁ ବିଶ୍ବବିଦ୍ୟାଳୟ ପକ୍ଷରୁ ଏବେ ପ୍ରଫେସରଙ୍କ ଯୋଗ୍ୟତା ମାନଦଣ୍ଡକୁ କୋହଳ କରାଯାଇଛି। ଆବେଦନ କରିବାକୁ ଥିବା ପ୍ରଫେସରଙ୍କ ବୟସ ସୀମା ୬୫ ବଦଳରେ ୬୮ ବର୍ଷ ହୋଇଛି। ଅର୍ଥାତ୍ ୬୮ ବର୍ଷ ବୟସ ମଧ୍ୟରେ ଆଗ୍ରହୀ ଯୋଗ୍ୟ ପ୍ରଫେସର ମାର୍ଚ୍ଚ ୧୭ ତାରିଖ ମଧ୍ୟରେ ଆବେଦନ କରିପାରିବେ ବୋଲି ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ କହିଛନ୍ତି।
ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ନିୟମ ଅନୁଯାୟୀ ଗବେଷଣା ଚେୟାରରେ ନିୟୋଜିତ ହେବାକୁ ଥିବା ପ୍ରଫେସରଙ୍କ ବୟସ ୭୦ ବର୍ଷ ରଖାଯାଇଛି। ତେବେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ତାହାକୁ ୭୦ ବର୍ଷ ନକରି ଦୁଇ ବର୍ଷ କମ୍ ରଖିଛନ୍ତି। ବୟସ୍କ ଲୋକଙ୍କୁ ସାମିଲ କରାଗଲେ ଗବେଷଣା କାମ ଠିକ୍ ଭାବେ କରିବା ସମ୍ଭବପର ହେବ ନାହିଁ। ତେଣୁ ବୟସ ସୀମା ୬୮ ବର୍ଷ ଧାର୍ଯ୍ୟ ହୋଇଛି। ଚେୟାର ପ୍ରଫେସରଙ୍କ ସହ ଦୁଇ ଜଣ ରିସର୍ଚ ଆସିଷ୍ଟାଣ୍ଟ ଯୋଡ଼ି ହେବେ। ପ୍ରଫେସର ଓ ରିସର୍ଚ ଆସିଷ୍ଟାଣ୍ଟ ଯୋଗଦେବା ପରେ ଏହି ଦୁଇଟି ଚେୟାରରେ ଗବେଷଣା କାର୍ଯ୍ୟ ଆଗେଇବ। ଗବେଷଣା ଚେୟାରଗୁଡ଼ିକ ପକ୍ଷରୁ ବର୍ଷତମାମ ବିଭିନ୍ନ ବିଷୟରେ ଗବେଷଣା, ସମ୍ମିଳନୀ, କର୍ମଶାଳା, ଜାତୀୟସ୍ତରୀୟ ଆଲୋଚନାଚକ୍ର କରାଯିବ ଏବଂ ପୁସ୍ତକ ପ୍ରକାଶ ପାଇବ। ଗବେଷଣାରତ ଛାତ୍ରଛାତ୍ରୀଙ୍କ ଲାଗି ଏହା ବେଶ ସହାୟକ ହେବ।
ଜଗନ୍ନାଥ ଚେତନା ଉପରେ ହେବ ଗବେଷଣା
ଦୁଇ ଜଣ ଲେଖାଏଁ ରିସର୍ଚ ଆସିଷ୍ଟାଣ୍ଟ ରହିବେ
ପ୍ରକାଶ ପାଇବ ସାରଳା ଦାସ ଓ ଭୀମ ଭୋଇଙ୍କ କୃତି
ଅନ୍ୟପକ୍ଷରେ ସାରଳା ଦାସ ଚେୟାର ପ୍ରତିଷ୍ଠା ହେବା ସହ ଏବେ ସେଥିରେ ସମକାଳୀନ ସାହିତ୍ୟ, ସଂସ୍କୃତି, ପରମ୍ପରା ସମ୍ପର୍କରେ ଆଲୋଚନା ଓ ଗବେଷଣା ଚାଲିଛି। ପ୍ରଥମ ପର୍ଯ୍ୟାୟରେ ସାରଳା ଦାସଙ୍କ ଉପରେ ଏକ ଗ୍ରନ୍ଥ ପ୍ରକାଶ କରିବାକୁ ଯୋଜନା ହୋଇଛି। ପ୍ରଥମେ ଗୋଟିଏ ସମ୍ପାଦନା ଗ୍ରନ୍ଥ କରାଯିବ ଯେଉଁଥିରେ ଅନାଲୋଚିତ ହୋଇ ରହିଥିବା ସାରଳା ଦାସଙ୍କ ସାହିତ୍ୟ କୃତି ରହିବ। ସ୍ବାଧୀନତା ପୂର୍ବବର୍ତ୍ତୀ ସମୟର ସାହିତ୍ୟ କୃତିକୁ ଅଧିକ ଧ୍ୟାନ ଦିଆଯିବ। ଦୁର୍ଲଭ ହୋଇଥିବା କିମ୍ବା ପାଠକଙ୍କ ପାଖରେ ପହଞ୍ଚି ନ ଥିବା ସାରଳା ଦାସଙ୍କ ସାହିତ୍ୟ କୃତିକୁ ଲୋକଲୋଚନକୁ ଆସିବ। ଦୁଇଜଣ ରିସର୍ଚ ସ୍କଲାରମାନେ ସାରଳା ଦାସ ଓ ସମକାଳୀନ ସାହିତ୍ୟ ଉପରେ ମଧ୍ୟ ଗବେଷଣା କରିବେ।
ଅନୁରୂପ ଭାବେ ଭୀମଭୋଇ ଚେୟାରରେ ମଧ୍ୟ ଗବେଷଣା ଆରମ୍ଭ ହୋଇଛି। ଚେୟାର ପ୍ରଫେସର ନିଯୁକ୍ତ ହୋଇଥିବାରୁ ଭୀମ ଭୋଇ ଓ ସମକାଳୀନ ସାହିତ୍ୟ, ସଂସ୍କୃତି, ପରମ୍ପରା ଉପରେ ଆଲୋଚନା ସହ ଗ୍ରନ୍ଥ ପ୍ରକାଶ ପାଇବ। ଆସନ୍ତା ୨ରୁ ୩ ମାସ ମଧ୍ୟରେ ପ୍ରଥମ ଗ୍ରନ୍ଥ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସ୍ବାଇଁ କହିଛନ୍ତି। ଏହି ଚେୟାରଗୁଡ଼ିକରେ ରାଜ୍ୟ ସମେତ ବାହାର ରାଜ୍ୟର ପିଲାମାନେ ସାମିଲ ହୋଇ ଗବେଷଣା କରିପାରିବେ। ସେହିପରି ଓଡ଼ିଶାର ଲୋପ ପାଇ ଆସୁଥିବା ଉତ୍ସବଗୁଡ଼ିକୁ ପୁଣିଥରେ ଲୋକଲୋଚନକୁ ଆଣିବାକୁ ବିଶ୍ବବିଦ୍ୟାଳୟରେ ପର୍ବ ଉତ୍ସବ ଅନୁଷ୍ଠିତ ହେଉଛି। ପର୍ବଗୁଡ଼ିକ କିଭଳି ଆମ ଜନମାନସରେ ରହିଛି ତାହାକୁ ଆମେ ଗୀତ, ନୃତ୍ୟ ଓ ଚିତ୍ର ମାଧ୍ୟମରେ ଦର୍ଶାଉଛୁ। ବିଭିନ୍ନ ଉତ୍ସବ ଆୟୋଜନ କରାଯାଇ ବର୍ତ୍ତମାନର ଛାତ୍ରଛାତ୍ରୀଙ୍କୁ ଆମ ସଂସ୍କୃତି ସହ ଯୋଡ଼ିବାକୁ ପ୍ରୟାସ କରୁଛୁ ବୋଲି କୁଳପତି ପ୍ରଫେସର ସ୍ବାଇଁ କହିଛନ୍ତି।