ଭୁବନେଶ୍ୱର : ଆମେରିକାର ବୈଷୟିକ ସହର ‘କୁପର୍ଟିନୋ’ର ମେୟର ତଥା ପ୍ରବାସୀ ଭାରତୀୟ ସବିତା ବୈଦ୍ୟନାଥନ୍ ଶିକ୍ଷା ଓ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମରେ ୫ ଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଆସନ୍ତା ୨୩ ତାରିଖରେ ସେ ଭୁବନେଶ୍ୱର ମହାନଗର ନିଗମ ସମ୍ମିଳନୀ କକ୍ଷରେ ବିଏମ୍ସି, ସ୍ମାର୍ଟସିଟି ଏବଂ ବିଡିଏର ବିଭିନ୍ନ ଜନହିତକର ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିବେ। ହାଉସିଂ ଯୋଜନା, ବସ୍ତିବାସିନ୍ଦାଙ୍କୁ ଥଇଥାନ ଏବଂ ଭେଣ୍ଡିଂ ଜୋନ୍ ଭଳି କେତେକ ପ୍ରକଳ୍ପ କାର୍ଯ୍ୟ ଦେଖିବାକୁ ସେ ବିଭିନ୍ନ ୱାର୍ଡ ପରିଦର୍ଶନ କରିବେ। ଏଥିସହ ବସ୍ତି ଲୋକଙ୍କ ସହ ମଧ୍ୟ ଆଲୋଚନା କରିବେ ବୋଲି ବିଏମ୍ସି ମେୟର ଅନନ୍ତ ନାରାୟଣ ଜେନା ସୂଚନା ଦେଇଛନ୍ତି। ଗସ୍ତ ସମୟରେ ସବିତା ବୈଦ୍ୟନାଥନ୍ ସହରର ବିଭିନ୍ନ କୀର୍ତିରାଜି ବୁଲି ଦେଖିବେ। ରାଜ୍ୟ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି।
ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଗଣମାଧ୍ୟମକୁ ସୂଚନା ଦେଇ ସବିତା ବୈଦ୍ୟନାଥନ୍ କହିଛନ୍ତି ଯେ ଭୁବନେଶ୍ୱରର ଐତିହ୍ୟ ସ୍ଥଳୀଗୁଡ଼ିକର ଏକ ରିପୋର୍ଟ ପ୍ରସ୍ତୁତ କରି କୁପର୍ଟିନୋବାସୀଙ୍କୁ ଜଣାଇବେ। ଯାହାଦ୍ୱାରା ଭୁବନେଶ୍ୱରର ପ୍ରାଚୀନ କୀର୍ତିରାଜି ସମସ୍ତଙ୍କ ନିକଟରେ ପହଞ୍ଚିବ। ଓଡ଼ିଶା ସମ୍ପର୍କରେ ଅଧିକ ଜାଣିବା ପାଇଁ କୁପର୍ଟିନୋ ଛାତ୍ରମାନଙ୍କ ଏକ ଦଳ ଭୁବନେଶ୍ୱର ଆସିବେ ବୋଲି ସେ ସୂଚନା ଦେଇଛନ୍ତି। ଗସ୍ତ ସମୟରେ ସେ ପୁରୀ, ଗୋପାଳପୁର ସହ ଅନ୍ୟ ପ୍ରମୁଖ ସ୍ଥାନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ୨୬ ତାରିଖରେ ସେ ପ୍ରତ୍ୟାବର୍ତନ କରିବେ। ବିମାନବନ୍ଦରରେ ପହଞ୍ଚିବା ପରେ ବିଏମ୍ସି ମେୟର ଅନନ୍ତ ନାରାୟଣ ଜେନା, ଡେପୁଟି ମେୟର କେ. ଶାନ୍ତି, ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ।
ସୂଚନାଯୋଗ୍ୟ ଯେ, ୨୦୧୨ ମସିହାରେ କୁପର୍ଟିନୋ ସହର ଭୁବନେଶ୍ୱରକୁ ନିଜର ସିଷ୍ଟର୍ ସହର ଭାବେ ଘୋଷଣା କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/BMC.jpg)