ଭୁବନେଶ୍ବର: କରୋନାର ଦ୍ବିତୀୟ ଲହରକୁ ରୋକିବା ପାଇଁ ରାଜଧାନୀରେ ଲାଗୁ ହୋଇଥିବା ରାତି କର୍ଫ୍ୟୁ ଷ୍ଟ୍ରିଟ୍‌ ଫୁଡ୍‌ ବ୍ୟବସାୟକୁ ପ୍ରଭାବିତ କରିଛି। ରାତି ୯ଟାରୁ କର୍ଫ୍ୟୁ ଲାଗୁ କରାଯାଉଥିଲେ ହେଁ ବେପାର ପୂରା ମାନ୍ଦା ପଡ଼ିଯାଇଛି। ଫଳରେ ରାସ୍ତା କଡ଼ର ଏହି ଗରିବ ବେପାରୀମାନେ ବ୍ୟବସାୟ ବନ୍ଦ କରିବାକୁ ଚିନ୍ତା କଲେଣି। ବିପୁଳ କ୍ଷତି ହେଉଥିବା ଲକ୍ଷ୍ୟ କରି କିଛି ଉଠା ଦୋକାନୀ ପେଟପାଟଣା ପାଇଁ ବିକଳ୍ପ ଚିନ୍ତ‌ା କଲେଣି। ରାଜଧାନିଆ ଗରାଖଙ୍କ ପାଇଁ ସ୍ବାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରୁଥିବା ଏହି ଷ୍ଟ୍ରିଟ୍‌ ଭେଣ୍ଡରମାନଙ୍କ ଘରେ ଏବେ ଭଲରେ ଚୁଲି ଜଳୁନାହିଁ ବୋଲି କୁହାଯାଉଛି।

Advertisment

ସମ୍ପ୍ରତି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ କେବଳ ସନ୍ଧ୍ୟାରେ ହିଁ ଷ୍ଟ୍ରିଟ୍‌ ଫୁଡ୍‌ କାରବାର ହୁଏ। ୬ଟା ପରେ ବେପାର ଆରମ୍ଭ ହୁଏ ଓ ରାତି ପ୍ରାୟ ସାଢ଼େ ୧୦ଟା ପର୍ଯ୍ୟନ୍ତ ଗରାଖଙ୍କ ଭିଡ଼ ଲାଗି ରହିଥାଏ। ସନ୍ଧ୍ୟାରେ ଛୋଟ ପିଲା ଓ ମହିଳାଙ୍କ ଭିଡ଼ ହେଉଥିବା ବେଳେ ରାତି ୮ଟା ପରେ ଯୁବପିଢ଼ିଙ୍କ ଭିଡ଼ ହୁଏ। ଫଳରେ ସାଧାରଣତଃ ଏହି ବେପାର ରାତି ୮ଟା ପରେ ହିଁ ଜମେ। କିନ୍ତୁ ଏବେ ରାତି କର୍ଫ୍ୟୁ ସବୁ ଓଲଟପାଲଟ କରି ଦେଇଛି। ଯେଉଁ ସମୟରେ ବେପାର ଜମିବା କଥା, ଠିକ୍‌ ସେହି ସମୟରେ ବେପାରୀଟି ପେଡ଼ିପୁଟୁଳା ବାନ୍ଧି ଘରକୁ ଯିବାକୁ ପ୍ରସ୍ତୁତ ହେଉଛି। ଫଳରେ ମସଲା ଠାରୁ ଆରମ୍ଭ କରି ଘରୁ ପ୍ରସ୍ତୁତ କରି ଆଣିଥିବା ବିଭିନ୍ନ ଖାଦ୍ୟ ସାଗମ୍ରୀ ସବୁ ବଳି ପଡ଼ୁଛି ଓ ପରେ ନଷ୍ଟ ହେଉଛି। ଜାଗମରା-ବରମୁଣ୍ଡା ନୂଆ ରାସ୍ତାରେ ଫାଷ୍ଟ ଫୁଡ୍‌ ଷ୍ଟଲ୍‌ କରିଥିବା ଅଜୟ ବେହେରାଙ୍କ କହିବା କଥା, ପୂର୍ବରୁ ସେ ପ୍ରାୟ ୭ କେଜି ଚିକେନ୍‌ରୁ ପକୋଡ଼ା କରୁଥିଲେ ଓ ୧୦୦ ଅଣ୍ଡା ଚପ୍‌ ବିକ୍ରି କରୁଥିଲେ। କିନ୍ତୁ ଏବେ ୨ କେଜି ଚିକେନ୍‌ ପକୋଡ଼ା ଓ ୩୦ ଅଣ୍ଡା ଚପ୍ ବିକ୍ରି ହୋଇପାରୁନାହିଁ। ସେହିଭଳି ଚାଉମିନ୍ ଷ୍ଟଲ୍ କରିଥିବା ଲୋକନାଥ ସାହୁଙ୍କ ସୂଚନାନୁସାରେ ସେ ପୂର୍ବରୁ ୫୦ ପ୍ଲେଟ ଚିକେନ୍‌ ଚାଉମିନ୍‌ ଓ ୭୦ ଅଣ୍ଡା ରୋଲ୍‌ ବିକ୍ରି କରିପାରୁଥିଲେ। କିନ୍ତୁ ରାତି କର୍ଫ୍ୟୁ ଲାଗୁ ହେବା ପରେ ୨୦ ପ୍ଲେଟ ଚ‌ାଉମିନ୍‌ ଓ ୩୦ ଅଣ୍ଡା ରୋଲ୍‌ ବିକିବା ସମ୍ଭବ ହେଉନାହିଁ।

ପ୍ରଥମେ ଦୁଇ ଚାରି ଦିନ ବହୁ କଞ୍ଚାମାଲ ନଷ୍ଟ ହେଲା। ବିପୁଳ କ୍ଷତି ହୋଇଛି। ତେଣୁ ଏବେ ମାଲ୍ କମ୍ କିଣି ଦୋକାନକୁ ଖୋଲୁଛୁ। ରସୁଲଗଡ଼ ଛକସ୍ଥିତ ଫ‌ାଷ୍ଟଫୁଡ଼୍ ବ୍ୟବସାୟୀ କେଶବ ପାତ୍ରଙ୍କ କହିବାନୁସାରେ ଦୁଇଟି କାରଣରୁ ବେପାର ମାନ୍ଦା ହୋଇପଡ଼ିଛି। ପ୍ରଥମତଃ କରୋନା ଭୟରେ ଲୋକେ ବଜାର ଆସିବା କମିଯାଇଛି। ଦ୍ବିତୀୟତଃ ରାତି କର୍ଫ୍ୟୁ ବେପାର ସମୟକୁ ହ୍ରାସ କରିଛି। ପରିସ୍ଥିତି ଏମିତି ହେଲାଣି ଯେ କାମ କରିବାକୁ ରଖିଥିବା ସହାୟକ ପିଲାଙ୍କୁ ଦରମା ଦେବାକୁ ଆଉ ସକ୍ଷମ ହେଉନାହୁଁ। କମ୍ ବିକ୍ରି ହେଲେ ମୂଳଧନ ଉଠିବା କଷ୍ଟକର ହୋଇପଡ଼ିବ। ବିନା ଲାଭରେ କେତେ ଦିନ ବସି ହେବ ‌ବୋଲି କେଶବ କହିଛନ୍ତି। ସହିଦନଗର ହାଟ ନିକଟରେ ଦୋକାନ କରିଥିବା ଦିଗଲ ପରମେଶ୍ବରଙ୍କ କହିବା କଥା ବର୍ତ୍ତମାନ ମୂଳଧନ ମଧ୍ୟ ଆଦାୟ ହେଉନାହିଁ। କେବଳ ଜାଗା ଖଣ୍ଡକି ଜଗି ରଖିବା ପାଇଁ କ୍ଷତି ସହିବାକୁ ପଡ଼ୁଛି।