ଭୁବନେଶ୍ୱର : ସବୁଜ ବିପ୍ଳବ ପରେ ଆମ ଦେଶ ବିଶ୍ୱର ଦ୍ୱିତୀୟ ବୃହତ୍‌ ଖାଦ୍ୟ ଉତ୍ପାଦନକାରୀ ଦେଶରେ ପରିଣତ ହୋଇଛି। ମାତ୍ର ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭାରତର ସ୍ଥାନ ୬୭ରେ ରହିଛି। ସାମାଜିକ ଅସମତା କାରଣରୁ ୧୯ କୋଟି ଭାରତୀୟ ଏବଂ ୨୨ % ପାଞ୍ଚ ବର୍ଷରୁ କମ୍‌ ବୟସର ଶିଶୁ ଅପପୁଷ୍ଟି ଓ ମନ୍ଦପୁଷ୍ଟିର ଶିକାର ହେଉଛନ୍ତି। ତେଣୁ ଦାରିଦ୍ର୍ୟ ପ୍ରପୀଡ଼ିତ ଲୋକଙ୍କ ପୁଷ୍ଟି ଓ ଖାଦ୍ୟ ନିରାପତ୍ତାର ଆବଶ୍ୟକତା ରହିଛି। ଏ କ୍ଷେତ୍ରରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବ ବୋଲି କହିଛନ୍ତି କେନ୍ଦ୍ରୀୟ ମଧୁର ଜଳ ମତ୍ସ୍ୟ ଚାଷ ପ୍ରତିଷ୍ଠାନ (ସିଫା)ର ନିର୍ଦେଶକ ଡ.ଜିତେନ୍ଦ୍ର କୁମାର ସୁନ୍ଦରାୟ।

Advertisment

ଓଡ଼ିଶା ପରିବେଶ ସମିତି ଆନୁକୂଲ୍ୟରେ ‘ଭାରତରେ ପୁଷ୍ଟି ଓ ଖାଦ୍ୟ ନିରାପତ୍ତା ପ୍ରଦାନରେ ମତ୍ସ୍ୟ ଚାଷର ଭୂମିକା’ ଶୀର୍ଷକ ବିଷୟ ଉପରେ ମତ ରଖି ଡ.ସୁନ୍ଦରାୟ କହିଲେ, ଛୋଟ ମାଛରେ ପୁଷ୍ଟିସାର ସମେତ ଓମେଗା୩ ପରି ଚର୍ବି ଅମ୍ଳ, ଭିଟାମିନ୍‌ ଏ, ଲୌହ, ଦସ୍ତା ଓ କ୍ୟାଲ୍‌ସିୟମ ଥାଏ। ତେଣୁ ସାଧାରଣ ଲୋକଙ୍କ ନିକଟବର୍ତୀ ଅଞ୍ଚଳରେ ଥିବା ଛୋଟଛୋଟ ଜଳ ଉତ୍ସରେ ମତ୍ସ୍ୟ ଚାଷର ପ୍ରସାର କରି କିଛି ପରିମାଣରେ ପୁଷ୍ଟି ଅଭାବଜନିତ ସମସ୍ୟା ଦୂର କରାଯାଇପାରିବ। ତେବେ ଦେଶର ସ୍ଥିତି ଏମିତି ଯେ, ଆମ ଦେଶରେ ବ୍ୟକ୍ତି ପିଛା ବାର୍ଷିକ ୩୧ କିଲୋଗ୍ରାମର ମାଛ ଆବଶ୍ୟକ ପଡ଼ୁଥିବା ବେଳେ ଓଡ଼ିଶାରେ ଏହାର ପରିମାଣ ୧୨ କିଲୋଗ୍ରାମ ରହିଛି। ତେଣୁ ଏ ଦିଗରେ ଯଥେଷ୍ଟ ପଦକ୍ଷେପ ନିଆଯିବା ଉଚିତ୍‌ ବୋଲି ସେ କହିଥିଲେ। ପରିବେଶ ସମିତିର ସଭାପତି ଡ.ସୁନ୍ଦର ନାରାୟଣ ପାତ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ପ୍ରାରମ୍ଭରେ ସମ୍ପାଦକ ଡ.ଜୟକୃଷ୍ଣ ପାଣିଗ୍ରାହୀ ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟର ଭୂତତ୍ତ୍ୱ ବିଭାଗର ପୂର୍ବତନ ପ୍ରଫେସର ଡ.ନବକିଶୋର ମହାଳିକଙ୍କୁ ସମିତିର ‘ଫେଲୋ ଉପାଧି’ ପ୍ରଦାନ କରାଯାଇଥିଲା। ଶେଷରେ ଉପସଭାପତି ଡ.ଲାଲା ଏକେ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ।