ଭୁବନେଶ୍ବର: ଅଗ୍ରପୂଜ୍ୟ, ବିଘ୍ନ ବିନାଶକ, ସିଦ୍ଧିଦାତା ପାର୍ବତୀ ନନ୍ଦନ ଗଣେଶଙ୍କ ପୂଜାରୁ ଆରମ୍ଭ ହୋଇଛି ପାର୍ବଣ ଋତୁ। ଆଜି ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ସର୍ବତ୍ର ଗଣେଶ ପୂଜା ମହାସମାରୋହରେ ପାଳିତ ହେଉଛି। ଶିକ୍ଷାନୁଷ୍ଠାନରୁ ଆରମ୍ଭ କରି ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଓ କ୍ଲବ୍‌ରେ ଧୁମ୍‌ଧାମରେ ପାଳିତ ହେଉଛି ଏହି ପୂଜା। ଏହି ଅବସରରେ ସମଗ୍ର ରାଜଧାନୀ ଓ ଉପକଣ୍ଠରେ ଉତ୍ସବର ମାହୋଲ। ବାରଙ୍ଗରୁ ପଟିଆ ଦେଇ ଚନ୍ଦ୍ରଶେଖରପୁର, ବାଲିପାଟଣାରୁ ବାଲିଅନ୍ତା, ବାଳକାଟି ଦେଇ ଧଉଳି, ପାହାଳରୁ ହଂସପାଳ ଦେଇ ପଳାସୁଣୀ ଓ ଚନ୍ଦକାରୁ ଭରତପୁର ଦେଇ ଖଣ୍ଡଗିରି ଏବଂ ତମାଣ୍ଡୋରୁ ପାତ୍ରପଡ଼ା ଦେଇ ଡୁମୁଡୁମା ପର୍ଯ୍ୟନ୍ତ ସବୁଠି ବିରାଜିଛନ୍ତି ଅଗ୍ରପୂଜ୍ୟ ଗଜାନନ। ପୁରୁଣା ଭୁବନେଶ୍ବର ତଥା ଏକାମ୍ର କ୍ଷେତ୍ରରୁ କ୍ୟାପିଟାଲ୍‌ ସିଟି ପର୍ଯ୍ୟନ୍ତ ସହର ଭିତରେ ଶୋଭାପାଉଛି ସୁଦୃଶ ତୋରଣ ଓ ବଡ଼ବଡ଼ ପ୍ରତିମା।

Advertisment

 ପ୍ରାୟ ୩ ଶହରୁ ଅଧିକ ମଣ୍ଡପରେ ପୂଜା ପାଉଛନ୍ତି ଶ୍ରୀଗଣେଶ। ରଙ୍ଗିନ୍‌ ଆଲୋକ ମାଳାରେ ଝଲସୁଛି ରାଜଧାନୀ। ସନ୍ଧ୍ୟାରେ ଜମୁଛି ମେଲୋଡି, ଭଜନ ସମାରୋହ ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ। ସହିଦ୍‌ କ୍ଲବ୍‌, ଟଙ୍କପାଣି ‌ରୋଡ୍‌, ବାପୁଜୀନଗର, ବଡ଼ଗଡ଼, ପୁରୁଣା ଭୁବନେଶ୍ବର ପରକରଣସାହି, ୟୁନିଟ୍‌-୧, ୟୁନିଟ୍‌-୪, ଅଶୋକନଗର ଆଦି ସ୍ଥାନରେ ଗଣେଶ ପୂଜା ମାହୋଲ ଦଶହରାର ଭ୍ରମ ସୃଷ୍ଟି କରିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବହୁ ସ୍ଥାନରେ ପୂଜାମଣ୍ଡପ ପକ୍ଷରୁ ପରିବେଶ ସୁରକ୍ଷା ସଚେତନତା ବାର୍ତ୍ତ ପ୍ରଚାର କରାଯାଉଛି। ତେଣୁ ମୃଣ୍ମୟୀ ମୂର୍ତ୍ତି ବଦଳରେ ଏବେ ଗହମ, କୋଳଥ, ଧନିଆ ଭଳି ଶସ୍ୟ ଦାନାରେ ମୂର୍ତ୍ତି ନିର୍ମାଣ କରାଯାଉଛି। ସେହିଭଳି ପଣ୍ଡାକୁଦିଆ ଜଗନ୍ନାଥସାହି ବସ୍ତିରେ ଭଳି କିଛି ସ୍ଥାନରେ ହିନ୍ଦୁ, ମୁସଲିମ୍‌ ଓ ଖ୍ରୀଷ୍ଟିଆନ୍‌ ସମ୍ପ୍ରଦାୟର ‌ଲୋକେ ମିଳିତ ଭାବେ ଏହି ପୂଜା କରୁଛନ୍ତି।