ଝାରପଡ଼ା ଜେଲ୍‌ରେ ବିଚାରାଧୀନ କଏଦୀର ମୃତ୍ୟୁ

ଭୁବନେଶ୍ୱର : ଝାରପଡ଼ା ଜେଲ୍‌ରେ ଜଣେ ବିଚାରାଧୀନ କଏଦୀର ମୃତ୍ୟୁ ଘଟିଛି। ମୃତକ ହେଉଛି ଢେଙ୍କାନାଳ ଗଁଦିଆ ଥାନା ବାଇଁସିଆ ଗାଁର ଅଖିଳ ବେହେରା। ଆଜି ପୂର୍ବାହ୍ନରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କର ଚିକିତ୍ସା କରାଯାଇଥିଲା। ହେଲେ ଅବସ୍ଥା ଗୁରୁତର ହେବାରୁ ତାକୁ କ୍ୟାପିଟାଲ ହସ୍‌ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଏ ନେଇ ଲକ୍ଷ୍ମୀସାଗର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଖବର ପାଇ ଢେଙ୍କାନାଳରୁ ତାଙ୍କ ପରିବାର ଲୋକ ଭୁବନେଶ୍ବରରେ ପହଞ୍ଚିଛନ୍ତି। ତାଙ୍କର ପୂର୍ବରୁ କୌଣସି ରୋଗ ନଥିବାରୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ସେମାନେ ଅଭିଯୋଗ ଆଣିଛନ୍ତି। ଗତ ଶନିବାର ପରିବାର ଲୋକେ ତାଙ୍କୁ ଜେଲ୍‌ରେ ଭେଟିଥିଲେ। ସେଦିନ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ବେଳେ ଅସୁସ୍ଥତା ନେଇ କୌଣସି ସୂଚନା ଦେଇନଥିଲେ। ୪୮ ଘଣ୍ଟା ଭିତରେ କ’ଣ ଏମିତି ହେଲା ଯେ ସେ ମରିଗଲେ ବୋଲି ପରିବାର ସଦସ୍ୟ ପ୍ରଶ୍ନ କରିଛନ୍ତି। ଲକ୍ଷ୍ମୀସାଗର ଥାନାରେ ହତ୍ୟା ଅଭିଯୋଗ ହୋଇନଥିବାରୁ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି। ଅଖିଳ ଏଠାରେ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। ଗତ ୧୩ ତାରିଖରେ ଚୋରି ଅଭିଯୋଗ‌ରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେ ଝାରପଡ଼ା ଜେଲ୍‌ର ବିଚାର ବିଭାଗୀୟ ହାଜତରେ ରହୁଥିଲେ। ସୂଚନାଯୋଗ୍ୟ, ଝାରପଡ଼ା ଜେଲରେ ଗତ ୫ ବର୍ଷ ମଧ୍ୟରେ ୬ ଜଣଙ୍କର ମୃତ୍ୟୁ ହେଲାଣି।

ସମ୍ବନ୍ଧିତ ଖବର