ଭ୍ୟାନ୍‌ରୁ କଏଦୀ ଚମ୍ପଟ ଘଟଣା : ୨୪ ଘଣ୍ଟା ପରେ ବି ପୁଲିସ ହାତ ଖାଲି

ଭୁବନେଶ୍ବର : ଅତିରିକ୍ତ ଡିସିପିଙ୍କ କୋର୍ଟରେ ହାଜର ହୋଇ ଫେରୁଥିବା ବିଚାରାଧୀନ କଏଦୀ ଚନ୍ଦନ ନାଏକ ପୁଲିସ ହେପାଜତରୁ ଚମ୍ପଟ ମାରିବା ଘଟଣାକୁ ୨୪ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ବିତି ଯାଇଥିଲେ ହେଁ ପୁଲିସ ତା’ର ପତ୍ତା ପାଉନି। ତାକୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିବା କହିଛି। ଅପରପକ୍ଷେ କେଉଁ ପରିସ୍ଥିତି‌ରେ ଅଭିଯୁକ୍ତଜଣଙ୍କ ଫେରାର୍‌ ହୋଇଗଲା, ଏଥିପାଇଁ କିଏ ଦାୟୀ? ସେ ନେଇ ୨୪ ଘଣ୍ଟା ମଧ୍ୟରେ ଏକ ସବିଶେଷ ରିପୋର୍ଟ ଦେବା ପାଇଁ ଡିସିପିଙ୍କର ନିର୍ଦ୍ଦେଶ ଥିଲେ ସୁଦ୍ଧା ସହିଦନଗର ଥାନା ପୁଲିସ ଅଦ୍ୟାବଧି ରିପୋର୍ଟ ପ୍ରସ୍ତୁତ କରିପାରିନାହିଁ।

ବି‌ଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଗତକାଲି ୧୭ଜଣ କଏଦୀ ବିଭିନ୍ନ କୋର୍ଟରେ ହାଜର ହେବା ପାଇଁ ଝାରପଡ଼ା ଜେଲ୍‌ର ବିଚାର ବିଭାଗୀୟ ହାଜତରୁ ଆସିଥିଲେ। ୧୦ଟି ହାତକଡ଼ି ସହ ୧୦ ଜଣ ଏସ୍କର୍ଟ ପୁଲିସ କର୍ମଚାରୀ ସୁରକ୍ଷା ପାଇଁ ରହିଥିଲେ। ଅତିରିକ୍ତ ଡିସିପିଙ୍କ କୋର୍ଟରେ ହାଜର ହୋଇ ଫେରିବା ବାଟରେ ଗାଡ଼ିର ଗତି ଧିମା ହେବାରୁ ଜରୁରୀକାଳୀନ ପ୍ରସ୍ଥାନ ଦ୍ବାର ଦେଇ ଚନ୍ଦନ ଖସି ଯାଇଥିଲା। କୋର୍ଟକୁ ଆସିବା ବେଳେ ସମସ୍ତ ଅଭିଯୁକ୍ତ ପରସ୍ପର ସହ ହାତକଡ଼ି ଯୋଗେ ଛନ୍ଦା ହୋଇଥିଲେ। କିନ୍ତୁ ଭ୍ୟାନ୍‌ ଭିତରେ କିଭଳି ହାତକଡ଼ି ଖୋଲିଗଲା? ଜରୁରିକାଳୀନ ପ୍ରସ୍ଥାନ ଦ୍ବାର କାହିଁକି ଓ କେଉଁ ପରିସ୍ଥିତିରେ ଖୋଲା ରହିଥିଲା? ଏହି ଦ୍ବାର ନିକଟରେ କାହିଁକି ସେ ବସିଥିଲା? ଅପରାହ୍ନ ସାଢ଼େ ଗୋଟାଏ ବେଳେ ଏହି ଅଘଟଣ ଘଟିଥିବା ବେଳେ ପୁଲିସ କର୍ମଚାରୀମାନେ କିଭଳି ତାକୁ ପାଇଲେ ନାହିଁ ସେ ନେଇ ଅନେକ ପ୍ରଶ୍ନ ଏହି ଏସ୍କର୍ଟ ପାର୍ଟି ଉପରେ ଉଠିଛି।

ସୂଚନା ମୁତାବକ, କ୍ୟାପିଟାଲ ଥାନା ଅଧୀନରେ ଘଟିଥିବା ଛିନ୍‌ତାଇ, ହତ୍ୟା ଉଦ୍ୟମ, ଚୋରି, ଡକାୟତି ପ୍ରଭୃତି ବଡ଼ ବଡ଼ ଘଟଣାରେ ସମ୍ପୃକ୍ତ ବାପୁଜୀ ନଗର କେଦାରପଲ୍ଲୀର ଚନ୍ଦନକୁ ଗତ ମାସରେ କୋର୍ଟ ଚାଲାଣ କରା ଯାଇଥିଲା। ଜଣେ ଅଭ୍ୟାସଗତ ଅପରାଧୀ (ଦଫା ୧୧୦) ହୋଇଥିବାରୁ ଅତିରିକ୍ତ ଡିସିପିଙ୍କ କୋର୍ଟରେ ଶୁଣାଣି ପାଇଁ ଗତକାଲି ହାଜର କରାଯାଇଥିଲା। ଏବେ ସେ ଫେରାର ଥିବାରୁ ବିଭିନ୍ନ ଅପରାଧ ଘଟାଇବା ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର