ଲିଙ୍ଗରାଜ ହାଟରେ ବେପାରୀ, ଗ୍ରାହକ ହଟହଟା

ପୁରୁଣା ଭୁବନେଶ୍ୱର: ଏକାମ୍ର କ୍ଷେତ୍ରର ସର୍ବପୁରାତନ ଲିଙ୍ଗରାଜ ହାଟ ଏବେ ଅବହେଳିତ ଅବସ୍ଥାରେ। ପାନୀୟ ଜଳ, ପାର୍କିଂ ବ୍ୟବସ୍ଥା, ଶୌଚାଳୟ ଭଳି ମୌଳିକ ସୁବିଧା ସୁଯୋଗ ନଥିବାରୁ ଏଠାରେ ଉଭୟ ଗ୍ରାହକ ଓ ବେପାରୀ ସବୁବେଳେ ହଟହଟା ହେଉଛନ୍ତି। ସେହିଭଳି ବିଦ୍ୟୁତ୍ ସେବା, ସଫେଇ ଆଦି ବ୍ୟବସ୍ଥା ମଧ୍ୟ ସମସ୍ୟାଘେରରେ ରହିଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହାର ସୌନ୍ଦର୍ଯ୍ୟୀକରଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳି ପାରିନାହିଁ ବୋଲି ବେପାରୀମାନେ ଅଭିଯୋଗ କରିଛନ୍ତି। ତେଣୁ ଐତିହ୍ୟ ହାଟ ଭାବେ ପରିଚିତ ଏହି ହାଟକୁ ନେଇ ଲୋକେ ମନ୍ଦିର ପ୍ରଶାସନକୁ ଦାୟୀ କରୁଛନ୍ତି। ନିଲାମ ବାବଦ ଅର୍ଥ ମନ୍ଦିର ପ୍ରଶାସନ ଖାତାକୁ ଯାଉଥିଲେ ହେଁ ରକ୍ଷଣାବେକ୍ଷଣ କାମ ହେଉନାହିଁ ବୋଲି ବେପାରୀମାନେ ଅଭିଯୋଗ କରିଆସୁଛନ୍ତି।

ଶ୍ରୀଲିଙ୍ଗରାଜ ମନ୍ଦିର ଦକ୍ଷିଣ ପାର୍ଶ୍ବରେ ଥିବା ଏହି ହାଟକୁ ଗତ କିଛି ବର୍ଷ ତଳେ ପର୍ଯ୍ୟଟନ ବିଭାଗ ସୌନ୍ଦର୍ଯ୍ୟୀକରଣ କରିଥିଲା। ପିଣ୍ଡିଗୁଡ଼ିକୁ ଚିକ୍କଣ ମାଙ୍କଡ଼ା ପଥରରେ ନିର୍ମାଣ କରାଯାଇଥିଲା। ସବୁ ପିଣ୍ଡିକୁ ଭୂତଳ ବିଦ୍ୟୁତ୍ ସଂଯୋଗ ଦିଆଯାଇଥିଲା। ହାଟର ଦୁଇଟି ହାଇମାଷ୍ଟଲାଇଟ୍ ଲଗାଯାଇଥିଲା ଓ ହାଟ ଭିତରକୁ ଗୋରୁଗାଈ ପ୍ରବେଶ ଉପରେ ରୋକ୍‌ ଲଗାଇବାକୁ କାଓ କ୍ୟାଚର୍‌ ନିର୍ମାଣ କରାଯାଇଥିଲା। ପର୍ଯ୍ୟଟନ ବିଭାଗର ଏହି ସୁନ୍ଦର ପଦକ୍ଷେପ ବେପାରୀ ଓ ଗ୍ରାହକମାନଙ୍କ ମନରେ ବେଶ୍ ଖୁସି ଦେଇଥିଲା। ହାଟର ବିକାଶ ଦେଖି ମନ୍ଦିର ପ୍ରଶାସନ ପ୍ରତିବର୍ଷ ନିଲାମଧାରୀ ବ୍ୟବସ୍ଥା କରିଥିଲା। ସେଇଠୁ ଆରମ୍ଭ ହେଲା ହାଟ ପରିଚାଳନାରେ ବିଭ୍ରାଟ। ନିଲାମଧାରୀ ବେପାରୀଙ୍କଠାରୁ ଚାନ୍ଦା ନେଲା ସିନା ହାଟ ରକ୍ଷଣାବେକ୍ଷଣ ଓ ମରାମତି ଦିଗକୁ ମୋଟେ ନଜର ଦେଲାନି।

ଶେଷରେ ନିଲାମଧାରୀ ମନ୍ଦିର ପ୍ରଶାସନକୁ ଟଙ୍କା ନ ଦେବାରୁ ମାମଲା ଥାନା ଯାଏ ଗଲା। ତେଣୁ ଏହି ବିବାଦ ପରଠାରୁ ମନ୍ଦିର ପ୍ରଶାସନ ନିଜ ହାତ‌ରେ ପରିଚାଳନା କଲା। ତଥାପି ପ୍ରାୟ ଦେଢ଼ବର୍ଷ ହେଲା ହାଟରେ ଦହଗଞ୍ଜ ହେଉଛନ୍ତି ବ୍ୟବସାୟୀ। ବର୍ଷା ସମୟରେ ହାଟପିଣ୍ଡିରେ ବସୁଥିବା ବ୍ୟବସାୟୀଙ୍କୁ ବିଦ୍ୟୁତ୍ ଆଘାତ ଭୟ ରହିଛି। ଅବଶ୍ୟ ଏବେ ଓଟିଡିସି ପକ୍ଷରୁ ପୁଣି ୨୫ରୁ ୩୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ହେଲେ ହାଇମାଷ୍ଟ ଲାଇଟ୍‌ ଅଚଳ ହୋଇପଡ଼ିଛି। ହାଟ ଭିତର ସଫା କରାଯାଉ ନଥିବାରୁ ଅଳିଆ ଆବର୍ଜନା ଗଦା ହୋଇ ରହିଛି। ସାମାନ୍ୟ ବର୍ଷା ହେଲେ ହାଟ ଭିତର କାଦୁଅ ପଚପଚ। ଏବେ ହାଟ ପାଖରେ ବ୍ୟବସାୟୀଙ୍କ ପାଇଁ ଶୌଚାଳୟ ନିର୍ମାଣ ହୋଇଥିଲେ ମଧ୍ୟ ତାହାକୁ ନିୟମିତ ସଫା କରାଯାଉନି। ବଡ଼ କଥା ହେଉଛି, ଶୌଚାଳୟ ଯିବା ଲାଗି ପାଣିର ସୁବିଧା ନାହିଁ। ସେହିଭଳି କାଓକ୍ୟାଚର୍‌ ଭାଙ୍ଗିରୁଜି ଯାଇଥିବାରୁ ବୁଲା ଗୋରୁଗାଈ ଓ ଷଣ୍ଢ ହାଟ ଭିତରେ ଅବାଧରେ ପଶୁଛନ୍ତି। ସୂଚନାଯୋଗ୍ୟ, ୨୦୧୯ ମସିହାରୁ ରାଜ୍ୟ ସରକାର ଏକାମ୍ର କ୍ଷେତ୍ରର ସୌନ୍ଦର୍ଯ୍ୟୀକରଣ କରୁଛନ୍ତି। ତେଣୁ ବିଏମ୍‌ସି ମାଧ୍ୟମରେ ଏହି ହାଟର ସମସ୍ୟା ଦୂର କରିବାକୁ ବେପାରୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର