ଭୁବନେଶ୍ୱର: ବ୍ୟବସାୟିକ ପ୍ରତିଷ୍ଠାନ ବ୍ୟବସାୟ କରିବେ। ବ୍ୟବସାୟରୁ କୋଟି କୋଟି ଲାଭ ଉଠାଇବେ। ଅଥଚ ଯେଉଁ ଗ୍ରାହକମାନେ ଏହି ବ୍ୟବସାୟିକ ପ୍ରତିଷ୍ଠାନକୁ ଲାଭବାନ କରୁଛନ୍ତି, ସେମାନେ ପାର୍କିଂ ଫି’ ଗଣିବେ। ଭୁବନେଶ୍ବରର ଜଣାଶୁଣା ବଡ଼ ସପିଂ ମଲ୍ ‘ନେକ୍ସସ ଏସ୍ପ୍ଲାନେଡ୍’ରେ ଏଭଳି ଅଜବ ନିୟମ ଦେଖିବାକୁ ମିଳିଛି। ଗ୍ରାହକଙ୍କଠାରୁ ପାର୍କିଂ ଫି’ ନାଁରେ ଶୋଷଣ ଆରମ୍ଭ ହୋଇଯାଇଛି। ବାଇକ୍ ପିଛା ୧୦ ଟଙ୍କା ଓ କାର୍ ପିଛା ୨୦ ଟଙ୍କା ପାର୍କିଂ ଫି’ ଆଦାୟ କରାଯାଉଛି। ପ୍ରାୟ ଦେଢ଼ ମାସ ହେଲାଣି ଏଭଳି ଶୋଷଣ ଚାଲିଛି। ଯାହାକୁ ନେଇ ଗ୍ରାହକଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଭଳି ଜୋର ଜବରଦସ୍ତ ପାର୍କିଂ ଫି’ ଆଦାୟ ତୁରନ୍ତ ବନ୍ଦ କରାଯାଉ ବୋଲି ଦାବି କରିଛନ୍ତି।
ସେପଟେ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଓ ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି)ର ନିରବତା ସନ୍ଦେହ ସୃଷ୍ଟି କରିଛି। ଯେଉଁଠି ଭୁବନେଶ୍ବରର ଅନ୍ୟ ବଡ଼ ବଡ଼ ସପିଂ ମଲ୍ରେ ମାଗଣାରେ ଗ୍ରାହକ ଗାଡ଼ି ପାର୍କିଂ କରୁଛନ୍ତି, ସେଠି ଏସ୍ପ୍ଲାନେଡ୍ କାହିଁକି ଗ୍ରାହକଙ୍କଠାରୁ ପାର୍କିଂ ଫି’ ନେବ ବୋଲି ଗ୍ରାହକମାନେ ପ୍ରଶ୍ନ କରିଛନ୍ତି। ଭବିଷ୍ୟତରେ ଯେଉଁ ଅପ୍ରୀତିକର ପରିସ୍ଥିତି ଉପୁଜିବ, ସେଥିପାଇଁ ବିଡିଏ/ ବିଏମ୍ସି ଦାୟୀ ରହିବେ ବୋଲି କହିଛନ୍ତି।
ବାଇକ୍ ୧୦ ଟଙ୍କା, କାର୍ ୨୦ ଟଙ୍କା
ରାତିରେ ଗାଡ଼ି ରଖିଲେ ୫୦୦ ଟଙ୍କା, ଟିକେଟ୍ ହଜିଗଲେ ୫୦ ଟଙ୍କା
ସପିଂ ମଲ୍ ପାର୍କିଂ ଫି’ ସଂପର୍କିତ ଅଭିଯୋଗ ଆସିବା ପରେ ଆଜି ଆମେ ଭୁବନେଶ୍ବରର ଜଣାଶୁଣା ସପିଂ ମଲ୍ ରସୁଲଗଡ଼ସ୍ଥିତ ଏସ୍ପ୍ଲାନେଡ୍ର ସ୍ଥିତି ପରଖିଥିଲୁ। ଏସ୍ପ୍ଲାନେଡ୍ରେ ପ୍ରବେଶ ମାତ୍ରେ ଗ୍ରାହକଙ୍କଠାରୁ ପାର୍କିଂ ଫି’ ଆଦାୟ କରାଯାଉଥିବା ଦେଖିବାକୁ ମିଳିଥିଲା। ବାଇକ୍ ପାର୍କିଂ କଲେ ୧୦ ଟଙ୍କା ଓ କାର ପାର୍କିଂ କଲେ ୨୦ ଟଙ୍କାର ଟିକେଟ୍ କାଟିବାକୁ ପଡ଼ୁଥିଲା। ନ ହେଲେ ପାର୍କିଂରେ ପ୍ରବେଶ ନିଷେଧ ଥିଲା। ଯଦି କେହି ଟିକଟ ନ କାଟି ପଶିଯାଇଛି, ପ୍ରସ୍ଥାନ ବେଳେ ସେମାନଙ୍କଠାରୁ ଟିକେଟ୍ ଟଙ୍କା ଆଦାୟ କରାଯାଉଥିଲା। ଏଥିପାଇଁ ଗ୍ରାହକଙ୍କ ସହ ପାର୍କିଂ ଫି’ ଆଦାୟକାରୀଙ୍କ ଭିତରେ ଯୁକ୍ତିତର୍କ ହେଉଥିବା ବି ଦେଖିବାକୁ ମିଳିଥିଲା। ସେପଟେ ଯଦି କେହି ଟିକେଟ୍ ହଜେଇ ଦେଉଛି, ତାଙ୍କଠାରୁ ୫୦ ଟଙ୍କା ଓ ରାତିସାରା ଗାଡ଼ି ରଖିଲେ ୫୦୦ ଟଙ୍କା ଦେବାକୁ ପଡ଼ିବ ବୋଲି ଉଲ୍ଲେଖ କରାଯାଇଛି।
ପାର୍କିଂ ଫି’ ସଂପର୍କରେ ଏସ୍ପ୍ଲାନେଡ୍ର ପାର୍କିଂ ଫି’ ଆଦାୟରେ ନିୟୋଜିତ କର୍ମଚାରୀଙ୍କୁ ପଚାରିବାରେ, ଆଜି ନୁହେଁ, ଗତ ସେପ୍ଟେମ୍ବର ୮ ତାରିଖଠାରୁ ପାର୍କିଂ ଫି’ ଆଦାୟ କରାଯାଉଛି ବୋଲି କହିଛନ୍ତି। ଆମେ କିଛି ଜାଣିନୁ, ଏସ୍ପ୍ଲାନେଡ୍ କର୍ତ୍ତୃପକ୍ଷଙ୍କ ଯାହା ନିର୍ଦ୍ଦେଶ, ତାକୁ ଅନୁପାଳନ କରୁଛୁ ବୋଲି କହିଥିଲେ। ନେକ୍ସସ ଏସ୍ପ୍ଲାନେଡ୍ ମ୍ୟାନେଜର ଶ୍ରାବଣୀ ଦାଶ କହିଛନ୍ତି, ପାର୍କିଂ ଫି’ ଆଦାୟ କରିବାକୁ ଆମ ପାଖରେ ଆଦେଶ ରହିଛି। କିନ୍ତୁ ଏହା କୋର୍ଟଙ୍କ ଆଦେଶ କି ସରକାରୀ ଆଦେଶ, ସେ ସଂପର୍କରେ କିଛି ସ୍ପଷ୍ଟ କରିନାହାନ୍ତି। ବିଡିଏ କର୍ତ୍ତୃପକ୍ଷ ପାର୍କିଂ ଫି’ ଆଦାୟ ସଂପର୍କରେ ସେଭଳି କୌଣସି ଆଦେଶ ଦେଇନଥିବା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/24/addagdgazcvcvvc-2025-10-24-03-52-05.jpg)