ତୁଟୁନି ଚାଇନା ମୋବାଇଲ୍‌ର ମୋହ, ବିକଳ୍ପ ଖୋଜୁଛି ଗ୍ରାହକ

ଭୁବନେଶ୍ବର: ସୀମାରେ ଭାରତ ଚୀନ୍‌ ବିବାଦ ଘନେଇବାରେ ଲାଗିଥିବା ବେଳେ ଦେଶରେ ଚୀନ୍‌ ସାମଗ୍ରୀ ବର୍ଜନ ପାଇଁ ଆନ୍ଦୋଳନ ଆରମ୍ଭ ହୋଇଯାଇଛି। ଲୋକେ ରାସ୍ତାଘାଟରେ ଚୀନ୍‌ ସାମଗ୍ରୀ ପୋଡ଼ି ପକାଉଥିବା ଦେଖିବାକୁ ମିଳୁଛି। କିନ୍ତୁ ମୋବାଇଲ୍‌ ବଜାରରେ ପୂର୍ବ ସ୍ଥିତି ସେମିତି ଅତୁଟ ରହିଛି। ଚୀନ୍‌ ମୋବାଇଲ୍‌ ଫୋନ୍‌ କମ୍ପାନିମାନେ ଭାରତ ବଜାରକୁ କବ୍‌ଜା କରି ରଖିଛନ୍ତି। ବିକଳ୍ପ ନଥିବାରୁ ଚୀନ୍‌ ପ୍ରସ୍ତୁତ ମୋବାଇଲ୍‌ ଫୋନ୍‌ ଏବେ ବି ଗ୍ରାହକମାନଙ୍କ ପ୍ରଥମ ପସନ୍ଦ ହୋଇ ରହିଛି। ଫଳରେ ଭାରତ ବଜାରରେ ଚୀନ୍‌ ପ୍ରସ୍ତୁତ ମୋବାଇଲ୍‌ ବିକ୍ରି‌ରେ କୌଣସି ପ୍ରଭାବ ପଡ଼ି ନଥିବା ଦେଖିବାକୁ ମିଳୁଛି। ଏବେ ବି ଚୀନ୍‌ କମ୍ପାନିଗୁଡ଼ିକର ମୋବାଇଲ୍‌ ଫୋନ୍‌ ଓଡ଼ିଶା ବଜାରରେ ୮୦ ଶତକଡ଼ାରୁ ଅଧିକ ବିକ୍ରି ହେଉଛି।

ଭୁବନେଶ୍ବର ବଜାରରୁ ମିଳିଥିବା ତଥ୍ୟ ଅନୁସାରେ, ଗ୍ରାହକଙ୍କ ପ୍ରଥମ ପସନ୍ଦ ହେଉଛି ଭିଭୋ, ଓପୋ, ସାଓମି ଭଳି ଚୀନ୍‌ ପ୍ରସ୍ତୁତ ମୋବାଇଲ୍‌ ଫୋନ୍‌। ଖଣ୍ଡଗିରିରେ ମୋବାଇଲ୍‌ ଦୋକାନ କରିଥିବା ଅର୍ମଦା ନାୟକଙ୍କ ସୂଚନାନୁସାରେ, ଗତ ସପ୍ତାହରେ ସେ ୧୮୬ଟି ମୋବାଇଲ୍‌ ବିକ୍ରି କରିଥିଲେ। ସେଥିରେ ଚାଇନା ନିର୍ମିତ ମୋବାଇଲ୍‌ ଥିଲା ୧୫୧ଟି। ସେଥିମଧ୍ୟରୁ ସର୍ବାଧିକ ୭୦ଟି ସେଟ୍‌ ଓପୋ କମ୍ପାନିର ଥିଲା। ଏହା ପଛକୁ ଭିଭୋ କମ୍ପାନିର ସେଟ୍‌ ଓ ବହୁ କମ୍ ସଂଖ୍ୟକ ସାମ୍‌ସଙ୍ଗ ସେଟ୍‌ ବିକ୍ରି କରିଥିଲେ। ସେହିଭଳି ରାଜଧାନୀର ଅନ୍ୟ ବଜାରରୁ ମଧ୍ୟ ଅନୁରୂପ ତଥ୍ୟ ମିଳିଛି। ‌ବିକ୍ରି ହେଉଥିବା ମୋବାଇଲ୍‌ ମଧ୍ୟରେ ଶତକଡ଼ା ୭୦ରୁ ୮୦ ଭାଗ ହେଉଛି ଚୀନ୍‌ ପ୍ରସ୍ତୁତ ସେଟ୍। ଚୀନ୍‌ ମୋବାଇଲ୍‌ ଫୋନ୍‌ର ବର୍ଦ୍ଧିତ ଚାହିଦା ଉପରେ ‌ବ୍ୟବସାୟୀମାନଙ୍କ କହିବା କଥା ଚୀନ୍‌ କମ୍ପାନିମାନଙ୍କର ଗ୍ରାହକ ସେବା ବଡ଼ ପ୍ରସଙ୍ଗ ହୋଇ ରହିଛି। କୌଣସି ଉତ୍ପାଦରେ ଜଣେ ଗ୍ରାହକ ବିନିଯୋଗ କରୁଥିବା ଅର୍ଥରୁ କିଭଳି ଭଲ ସେବା ପାଇବ, ତାହାକୁ ଚୀନ୍‌ କମ୍ପାନିମାନେ ଅଧିକ ଧ୍ୟାନରେ ରଖି କାରବାର କରୁଛନ୍ତି। କମ୍‌ ମୂଲ୍ୟରେ ବା ସମାନ ମୂଲ୍ୟରେ ଗ୍ରାହକକୁ ଅଧିକ ଉନ୍ନତ ଜ୍ଞାନକୌଶଳ ସହିତ ଉନ୍ନତ ସେବା ଯୋଗାଇବାକୁ ଚୀନ୍ କମ୍ପାନିମାନେ ଗୁରୁତ୍ବ ଦେଉଛନ୍ତି। ତେଣୁ ଦକ୍ଷିଣ କୋରିଆ ପ୍ରସ୍ତୁତ ସାମ୍‌ସଙ୍ଗ ସେଟ୍‌ କିଣି ଜଣେ ଗ୍ରାହକ ଯେତିକି ସେବା ପାଇ ପାରୁଛି, ତା’ଠାରୁ କମ୍ ଅର୍ଥ ବିନିଯୋଗ କରି ଚୀନ୍‌ କମ୍ପାନି ଭିଭୋ, ଓପୋ ବା ସାଓମି ସେଟ୍‌ କିଣି ଗ୍ରାହକ ଜଣକ ଅଧିକ ସେବା ପାଇପାରୁଛି। ତେଣୁ କମ୍ ମୂଲ୍ୟରେ ଅଧିକ ବୈଶିଷ୍ଟ୍ୟଯୁକ୍ତ ମୋବାଇଲ୍ ଯୋଗାଉଥିବାରୁ ଚୀନ୍ କମ୍ପାନିମାନେ ଭାରତ ବଜାରକୁ ମାଡ଼ି ବସିବାରେ ସକ୍ଷମ ହୋଇଛନ୍ତି।

ସହିଦନଗରକୁ ମୋବାଇଲ୍ କିଣିବାକୁ ଆସିଥିବା ଜୀବନ ରାଉତଙ୍କ କହିବା କଥା, ଭାରତ ବଜାରରେ ବର୍ତ୍ତମାନ ୪/୫ଟି କମ୍ପାନି ୫ଜି ମୋବାଇଲ୍ ଲଞ୍ଚ୍ କରିଛି। ସେଗୁଡ଼ିକ ମଧ୍ୟରୁ ୪ଟି ମୋବାଇଲ୍ ଫୋନ୍‌ ସେଟ୍‌ ହେଉଛି ଚୀନ୍‌ କମ୍ପାନି ପ୍ରସ୍ତୁତ ଓ ଗୋଟିଏ କୋରିଆ ପ୍ରସ୍ତୁତ ସାମ୍‌ସଙ୍ଗ। ତେବେ ସମସ୍ତ ସେଟ୍‌ର ମୂଲ୍ୟ ଓ ଫିଚର୍‌କୁ ତୁଳନା କରାଗଲେ, ଦେଖାଯାଉଛି ଯେ ଦକ୍ଷିଣ କୋରିଆର ସାମ୍‌ସଙ୍ଗ୍ ଫୋନ୍‌ର ମୂଲ୍ୟ ପାଖାପାଖି ଏକ ଲକ୍ଷ ଟଙ୍କା‌ ହୋଇଥିବା ବେଳେ ଚୀନ୍‌ ମୋବାଇଲ୍‌ ଫୋନ୍‌ର ଦାମ୍ ୩୦ ହଜାର ଟଙ୍କାରୁ ୬୦ ହଜାର ଟଙ୍କା ମଧ୍ୟରେ ରହିଛି। ତେଣୁ ଜଣେ ଗ୍ରାହକ ୬୦ହଜାର ଟଙ୍କା ବିନିଯୋଗ ନ କରି ଏକ ଲକ୍ଷ ଟଙ୍କା ବ୍ୟୟ କରିବାକୁ କଦାପି ପସନ୍ଦ କରିବ ନାହିଁ। ସାଧାରଣତଃ ପ୍ରତି ଦୁଇ ବର୍ଷ ଅନ୍ତରରେ ଏହି ଫୋନ୍‌ ସେଟ୍‌ ଗୁଡ଼ିକର ସଫ୍ଟୱେୟାର ବଦଳୁଥିବାରୁ ଗ୍ରାହକମାନେ ଫୋନ୍‌ ସେଟ୍‌ ବଦଳାଇବାକୁ ବାଧ୍ୟ ହୁଅନ୍ତି। ତେଣୁ ଅଯଥାରେ ଅଧିକ ବିନିଯୋଗ କରିବାକୁ କେହି ନ ଚାହିଁବା ଏକ ସ୍ବାଭାବିକ କଥା ବୋଲି ଶ୍ରୀ ରାଉତ କହିଛନ୍ତି। ଏହି ସବୁ କାରଣରୁ ଗ୍ରାହକମାନଙ୍କ ଭିତରେ ଚୀନ୍‌ ପ୍ରସ୍ତୁତ ମୋବାଇଲ୍‌ ଫୋନ୍‌ର ମୋହ ଅତୁଟ ରହୁଛି ବୋଲି ସେ ମତ ଦେଇଥିଲେ। ତେଣୁ ଯେତେବେଳ ପର୍ଯ୍ୟନ୍ତ ବଜାର ଗ୍ରାହକମାନଙ୍କୁ ବିକଳ୍ପ ସାମଗ୍ରୀ ଯୋଗାଇ ପାରୁନଥିବ, ଚୀନ୍‌ ସାମଗ୍ରୀର ଚାହିଦା ସେମିତି ଅତୁଟ ରହୁଥିବ ବୋଲି କିଛି ବ୍ୟବସାୟୀ କହିଛନ୍ତି। ଆଉ କିଛି ବ୍ୟବସାୟୀମାନଙ୍କ କହିବା କଥା ଭିଭୋ, ଓପୋ ଭଳି ବହୁ ଚୀନ୍‌ ମୋବାଇଲ୍‌ ଫୋନ୍‌ କମ୍ପାନି ଏବେ ଭାରତରେ ଉତ୍ପାଦନ କରୁଛନ୍ତି। ତେଣୁ ଏହି କମ୍ପାନିମାନେ ନିଯୁକ୍ତି କ୍ଷେତ୍ରରେ ଭାରତ ପାଇଁ ଅବଦାନ ମଧ୍ୟ ରଖିଛନ୍ତି। ତେଣୁ ଚୀନ୍‌ ସାମଗ୍ରୀ ବର୍ଜନ ଭଳି ନିଷ୍ପତ୍ତି ନେବା ପୂର୍ବରୁ ଭାରତ ପକ୍ଷରୁ ସବୁ ଦିଗରୁ ଚିନ୍ତା କରିବାକୁ ପଡ଼ିବ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର