ଚନ୍ଦ୍ରଶେଖରପୁର : ନେଟ୍ଓ୍ଵର୍କ ସମସ୍ୟା ଯୋଗୁଁ ଫର୍ଚ୍ୟୁନ୍ ଟାଓ୍ଵାରସ୍ଥିତ ଏୟାରସେଲ୍ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରେ ଆଜି ଶତାଧିକ ଗ୍ରାହକ ଏକାଠି ହୋଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଗ୍ରାହକଙ୍କ ଅଭିଯୋଗ ଅନୁଯାୟୀ ଉକ୍ତ ଟେଲିକମ୍ କମ୍ପାନି ଗତ ପ୍ରାୟ ୧ମାସ ହେବ ହଠାତ୍ ସିଗ୍ନାଲ୍ କାଟିଦେଇ ରାଜ୍ୟର ଲକ୍ଷାଧିକ ଗ୍ରାହକଙ୍କୁ ଠକୁଛନ୍ତି। ଏନେଇ କଷ୍ଟମର୍ କେୟାର୍ରୁ ସନ୍ତୋଷଜନକ ଉତ୍ତର ମିଳୁନାହିଁ। ତେଣୁ ଆଜି ଅସନ୍ତୁଷ୍ଟ ଗ୍ରାହକମାନେ ଏୟାର୍ସେଲ୍ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ନିକଟରେ ଜମା ହେବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ତେବେ ଗଣ୍ଡଗୋଳ ଆଶଙ୍କାରେ କାର୍ଯ୍ୟାଳୟରେ ୨ପ୍ଲାଟୁନ୍ ପୁଲିସ ମୁତୟନ କରାଯାଇଛି। ଏ ନେଇ ଏୟାରସେଲ୍ କଷ୍ଟମର୍ କେୟାର୍ର କହିବା କଥା ହେଲା, କାର୍ଯ୍ୟ ଚାଲିଛି। କିଛି ଦିନ ମଧ୍ୟରେ ସିଗ୍ନାଲ ଆସିବ। ମାତ୍ର ଗତ ୧ତାରିଖଠାରୁ କମ୍ପାନିର ଭାଉଚର୍ ଆଉ କାମ କରୁ ନ ଥିବା ଅଭିଯୋଗ ହୋଇଛି। ଏହାକୁ ନେଇ କୋଟି କୋଟି ଟଙ୍କାର ଭାଉଚର୍ ରିଟେଲର୍ମାନଙ୍କ ନିକଟରେ ଏବେ ପଡ଼ି ରହିଛି। ଦୋକାନୀଙ୍କ କହିବା ଅନୁଯାୟୀ କମ୍ପାନି ତା’ର ପୁରୁଣା ଭାଉଚର୍ ଫେରସ୍ତ ନେଇ ଟଙ୍କା ଦେଉ ଓ ଗ୍ରାହକଙ୍କୁ କିଛି ଦିନ ଅବଧି ଦେଇ ପୋର୍ଟିଂ ପାଇଁ ସମୟ ଦେଉ। ମାତ୍ର ଏୟାରସେଲ୍ ରାଜ୍ୟରୁ ତାର ବ୍ୟବସାୟ ବନ୍ଦ କରିବା ନେଇ ସୂଚନା ମିଳୁଥିବା ବେଳେ ଏବେ ଗ୍ରାହକମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp