ରେଳ ଧାରଣାରୁ ମିଳିଥିବା କଟାପାଦ କାହାର?

୩ ଜିଆରପିକୁ ଦିଆଗଲା ସୂଚନା, ସବୁ ଥାନାକୁ ପଠାଗଲା ଫଟୋ

ଭୁବନେଶ୍ବର : ଭୁବନେଶ୍ବର ରେଳ ଷ୍ଟେସନ୍‌ ନିକଟରେ ଥିବା କୋଚ୍‌-ୟାର୍ଡ ରେଳଟ୍ରାକ୍‌ରୁ ଗତକାଲି ମିଳିଥିବା କଟାପାଦକୁ ନେଇ ତନାଘନା ଆରମ୍ଭ କରିଛି ଭୁବନେଶ୍ବର ଜିଆର୍‌ପି । କାହାର ଏହି କଟାପାଦ, ଏଠାକୁ କେମିତି ଆସିଲା, ଯଦି କେହି ବ୍ୟକ୍ତି ଟ୍ରେନ୍‌ରେ କଟି ଯାଇଛନ୍ତି, ତେବେ ତାଙ୍କ ମୃତଦେହ କେଉଁଠି ରହିଲା, ଏହା ଏକ ଦୁର୍ଘଟଣା ନା ଯୋଜନାବଦ୍ଧ ହତ୍ୟାକୁ ଦୁର୍ଘଟଣାର ରୂପ ଦେବା ପାଇଁ ଏମିତି ଷଡଯନ୍ତ୍ର କରାଯାଇଛି; ଆଦି ବିଭିନ୍ନ ଦିଗକୁ ନେଇ ଜିଆର୍‌ପି ତଦନ୍ତ ଆରମ୍ଭ କରିଛି। ଜିଆର୍‌ପି ପକ୍ଷରୁ ଆଜି ଉଭୟ ଭୁବନେଶ୍ବର ଓ କଟକ କମିସନରେଟ୍‌ ପୁଲିସର ସମସ୍ତ ଥାନାକୁ କଟାପାଦର ଫଟୋ ପଠାଯାଇଛି। ଯଦି ସେଭଳି କିଛି ମୃତଦେହ କେଉଁ ଅଞ୍ଚଳରେ ମିଳେ, ତାହେଲେ ତୁରନ୍ତ ଖବର ଦେବା ପାଇଁ ଜିଆର୍‌ପି ପକ୍ଷରୁ କୁହାଯାଇଛି। ସେହିପରି ସେହି ରୁଟ୍‌ରେ ଥିବା ସମସ୍ତ ଜିଆରପି ଥାନାକୁ ମଧ୍ୟ ଅବଗତ କରାଯାଇଛି। ଏଥିସହ ହାୱଡ଼ା, ରାଇପୁର ଏବଂ ବିଶାଖାପାଟଣା ଜିଆର୍‌ପି ଥାନା ସହ ମଧ୍ୟ ଯୋଗାଯୋଗ କରାଯାଇଥିବା ଭୁବନେଶ୍ବର ଜିଆର୍‌ପି ପକ୍ଷରୁ ସୂଚନା ଦିଆଯାଇଛି। କିନ୍ତୁ ଶେଷ ଖବର ଲେଖା ହେବା ସୁଦ୍ଧା ସେମିତି କୌଣସି ସୁରାକ୍ ମିଳିପାରି ନାହିଁ।

ଏହି କଟାପାଦକୁ କ୍ୟାପିଟାଲ ହସ୍ପିଟାଲ ଶବ ସଂରକ୍ଷିତ ଗୃହରେ ରଖାଯାଇଛି। ଯଦି କୌଣସି ସ୍ଥାନରୁ ଗୋଡ଼ କିମ୍ବା ଅନ୍ୟ ଅଙ୍ଗପ୍ରତ୍ୟଙ୍ଗ ମିଳେ, ତେବେ ସେହି ପାଦ ସହ ମେଳ କରାଯିବ। ଶବ ବ୍ୟବଚ୍ଛେଦ ହେବା ପରେ ଡିଏନ୍ଏ ସଂଗ୍ରହ ଲାଗି ରାଜ୍ୟ ଫୋରେନସିକ୍ ଲାବରେଟୋରିକୁ କଟାପାଦ ପଠାଯିବ ବୋଲି ଜଣାପଡ଼ିଛି। ଏ ସଂକ୍ରାନ୍ତରେ ଜିଆର୍‌ପି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର