୩୫୦ ଟଙ୍କା ପାଇଁ ସାଥୀ ଶ୍ରମିକର ବେକ କାଟିଦେଲା

ଭୁବନେଶ୍ବର : ଟଙ୍କା ପାଇଁ ସାଥୀ ଶ୍ରମିକର ବେକ କାଟିଦେଲା ଆଉ ଜଣେ ଶ୍ରମିକ। ଏକ ପରିବା କଟା ଛୁରିରେ ବେକକୁ କାଟି ଦେବାରୁ ଯୁବକ ଗୁରୁତର ହୋଇଥିବା ଜଣାପଡ଼ିଛି। ରେଣ୍ଟାଲ କଲୋନି ବେହେରା ବସ୍ତିରେ ଆଜି ଏହି ଅଭାବନୀୟ ଘଟଣା ଘଟିଛି। ଆହତ ଯୁବକ ହେଉଛି ରେଣ୍ଟାଲ୍‌ କଲୋନି ବେହେରା ବସ୍ତିର ଲକ୍ଷ୍ମଣ ସ୍ବାଇଁ। ସେ ଗୁରୁତର ହୋଇ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଆକ୍ରମଣକାରୀ ଅଭିଯୁକ୍ତ ସହିଦ ଲକ୍ଷ୍ମଣ ନାୟକ ବେହେରା ବସ୍ତିର ଅଜୟ ନାୟକ ଓରଫ ଅଜୁକୁ ନୂଆପଲ୍ଲୀ ପୁଲିସ ଗିରଫ କରିଛି। ମିଳିଥିବା ସୂଚନା ମୁତାବକ ଅଜୁ ପାଖରୁ ପ୍ରାୟ ମାସକ ତଳେ ଲକ୍ଷ୍ମଣ ୩୫୦ଟଙ୍କା ଧାର ନେଇଥିଲା। ଅନେକ ବାର ଟଙ୍କା ମାଗୁଥିଲେ ସୁଦ୍ଧା ଲକ୍ଷ୍ମଣ ଟଙ୍କା ଫେରସ୍ତ କରୁନଥିଲା। ସେଥିପାଇଁ ଅଜୁ ଆଜି ଉତ୍ୟକ୍ତ ହୋଇ ଘରେ ଥିବା ଏକ ପରିବା କଟା ଛୁରି ନେଇ ଲକ୍ଷ୍ମଣକୁ ଟଙ୍କା ମାଗିବାକୁ ଯାଇଥିଲା। ଲକ୍ଷ୍ମଣ ପାଖରେ ଟଙ୍କା ନଥିବା କହି ଅଜୁକୁ ସନ୍ଧ୍ୟା ଆସିବାକୁ କହିଥିଲା। ମାତ୍ର ଲକ୍ଷ୍ମଣର ନା’ ଶବ୍ଦ ଅଜୁକୁ ହଜମ ନ ହେବାରୁ ପାଖର ଥିବା ପରିବା କଟା ଛୁରିରେ ତା’ ବେକକୁ କାଟି ପକାଇଥିଲା। ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ପରେ ଲକ୍ଷ୍ମଣ ହସ୍ପିଟାଲ୍ ଯାଇଥିବା ବେଳେ ଅଜୁକୁ ନୂଆପଲ୍ଲୀ ପୁଲିସ ଗିରଫ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର