କଟକ: ବାଲିଯାତ୍ରାରେ ଗତ ୫ ଦିନ ଭିତରେ ଓରମାସ୍ ପକ୍ଷରୁ ଚାଲିଥିବା ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳାରେ ୨୩ କୋଟି ୧୨ଲକ୍ଷ ୬୬ହଜାର ଟଙ୍କାର ବ୍ୟବସାୟ କରିଛି। ପ୍ରଥମ ଦିନ ବେପାର ମାନ୍ଦା ଥିଲା ବେଳେ ୮୯ଲକ୍ଷ ୩୬ହଜାର ଟଙ୍କାର ବ୍ୟବସାୟ ହୋଇଥିଲା। ତେବେ ଏହାପରଠୁ ପ୍ରତ୍ୟେକ ଦିନ ବ୍ୟବସାୟ ବୃଦ୍ଧି ହୋଇଛି। ଗୁରୁବାର ୨କୋଟି ୧୩ଲକ୍ଷ ଟଙ୍କା, ଶୁକ୍ରବାର ୩କୋଟି ୯୧ଲକ୍ଷ ୮୭ହଜାର ଟଙ୍କାର ବେପାର ହୋଇଥିଲା। ଶନିବାର ଓ ରବିବାର ଲୋକଙ୍କ ସଂଖ୍ୟା ଢେର ବୃଦ୍ଧି ପାଇଥିଲା। କେବଳ ଏହି ଦୁଇ ଦିନରେ ପାଖାପାଖି ୧୬ କୋଟି ଟଙ୍କାର ବ୍ୟବସାୟ ହୋଇଛି। ଶନିବାର ୬କୋଟି ୮୩ଲକ୍ଷ ୪୭ହଜାର ଏବଂ ରବିବାର ୯କୋଟି ୩୪ଲକ୍ଷ ୯୬ହଜାର ଟଙ୍କାର ବ୍ୟବସାୟ ହୋଇଛି। ଓରମାସ୍ରେ ଏଥର ପାଖାପାଖି ୫୦୦ ଷ୍ଟଲ୍ ପଡ଼ିଥିଲା ବେଳେ ୨୫ଟି ଫୁଡ୍କୋର୍ଟ ରହିଛି। ଫୁଡ୍କୋର୍ଟରେ ପ୍ରଥମ ଦୁଇ ଦିନ ବେପାର ମାନ୍ଦା ଥିଲା ବେଳେ ସପ୍ତାହନ୍ତରେ କିନ୍ତୁ ପ୍ରବଳ ଜନସମାଗମ ହୋଇଥିଲା।
ସେହିପରି ପଲ୍ଲିଶ୍ରୀ ମେଳାରେ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପକ୍ଷରୁ ହାତତିଆରି ସାମଗ୍ରୀ ସହିତ ଆଚାର, ଶାଢ଼ି, ଝୋଟ ସାମଗ୍ରୀ, କନ୍ଧମାଳ, କୋରାପୁଟ ଆଦି ସ୍ଥାନର ମାଣ୍ଡିଆ ଜାତୀୟ ସାମଗ୍ରୀ, ଚାଉଳ, ହଳଦି, ଘରକରଣା ସାମଗ୍ରୀ ଇତ୍ୟାଦି ଅଧିକ ମାତ୍ରାରେ ବିକ୍ରି ହୋଇଛି। ପୁଣି ୨୫ ରାଜ୍ୟରୁ ହସ୍ତତନ୍ତ ସାମଗ୍ରୀ ଅଣାଯାଇଥିବା ବେଳେ ସେଗୁଡ଼ିକ ମଧ୍ୟ ବେଶ୍ ଆଦୃତ ପାଇଛି। ଏ ସଂକ୍ରାନ୍ତରେ ଓରମାସ୍ର ଯୁଗ୍ମ ସିଇଓ ବିପିନ ରାଉତ କହିଛନ୍ତି, ଘରେ ନିତ୍ୟ ବ୍ୟବହାର କରିବା କିମ୍ବା ସୋ’କେସ୍ରେ ସଜାଇବା ଭଳି ସାମଗ୍ରୀ ଆସିଥିବାରୁ ସେଗୁଡ଼ିକୁ କିଣିବାକୁ ଲୋକମାନେ ପସନ୍ଦ କରୁଛନ୍ତି। ଏଥିସହିତ ମା’ମାନଙ୍କ ଆୟ ବୃଦ୍ଧି ହୋଇଥିଲା ବେଳେ ଏବେ ସେମାନଙ୍କୁ ଡିଜିଟାଲ୍ କ୍ଷେତ୍ରରେ ସାକ୍ଷର କରାଯାଇଛି। ତେଣୁ ସେମାନେ ନିଜ ସାମଗ୍ରୀକୁ ମେଳାରେ ବିକ୍ରି କରିବା ସହିତ ଆଗକୁ ସୋସିଆଲ୍ ମିଡିଆ କିମ୍ବା ୱେବ୍ସାଇଟ୍ ମାଧ୍ୟମରେ ମଧ୍ୟ ବିକ୍ରି କରିପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/11/11/sfhfshfsfshh-2025-11-11-01-30-59.jpg)