କଟକ-ଭୁବନେଶ୍ବରର ସବୁ ୱାର୍ଡ ବିଶୋଧନ ପ୍ରସଙ୍ଗ: ଜବାବ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: କରୋନା ସଂକ୍ରମଣ ରୋକିବାକୁ ଦ୍ବୈତ ନଗରୀର ସବୁ ୱାର୍ଡ ବିଶୋଧନ ଓ ଉପଯୁକ୍ତ ଡାକ୍ତରୀସେବା ପ୍ରଦାନ ପ୍ରସଙ୍ଗରେ ସରକାରଙ୍କୁ ହାଇକୋର୍ଟ ଜବାବ ତଲବ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ୍ ବି.ଆର. ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ବିଜୟ କୁମାର ରଗଡ଼ଙ୍କ ଆବେଦନର ଶୁଣାଣି କରି ସେପ୍ଟେମ୍ବର ୩୦ ସୁଦ୍ଧା ୱାର୍ଡ ବିଶୋଧନ ପ୍ରସଙ୍ଗରେ ଜବାବ ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭିତ୍ତିଭୂମି ସହିତ ମେଡିକାଲ ଓ ପାରାମେଡିକାଲ କର୍ମଚାରୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ କେଉଁ ସ୍ଥାନରେ କେତେ ସଂଖ୍ୟକ କୋଭିଡ୍‌ କେନ୍ଦ୍ର ପ୍ରତିଷ୍ଠା କରାଯିବ, ସେ ସଂପର୍କିତ ନିଷ୍ପତ୍ତି ସରକାରଙ୍କ ଉପରେ ଛାଡ଼ି ଦିଆଯାଉ ବୋଲି ଖଣ୍ଡପୀଠ କହିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆବେଦନକାରୀ ‌ସିଏମ୍‌ସି ଓ ବିଏମ୍‌ସିର ପ୍ରତି ଦୁଇଟି ୱାର୍ଡରେ ଗୋଟିଏ କୋଭିଡ୍‌ କେନ୍ଦ୍ର ଖୋଲିବାକୁ ଦାବି କରିଥିଲେ। ସେ ଦର୍ଶାଇଛନ୍ତି, କଟକ ଓ ଭୁବନେଶ୍ବର ମହାନଗର ଅଞ୍ଚଳରେ କରୋନା ସଂକ୍ରମଣଜନିତ ପରିସ୍ଥିତିର ମୁକାବିଲା ପାଇଁ ଗ୍ରହଣ କରାଯାଉଥିବା ପଦକ୍ଷେପ ଯଥେଷ୍ଟ ନୁହେଁ। ଏହି ଦୁଇ ସହରରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି। କଟକ ଓ ଭୁବନେଶ୍ବରକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଲୋକମାନେ ବହୁ ସଂଖ୍ୟାରେ ଆସୁଛନ୍ତି। ଏହି ଦୁଇ ସହରରେ ସଂକ୍ରମଣ ହାର ଏବେ ବହୁ ଅଧିକ। ଏବେ ପରିସ୍ଥିତି ଗମ୍ଭୀର ହୋଇ ପଡ଼ିଥିବା ବେଳେ ଆଗକୁ ଆଉ ଅଧିକ ଗୁରୁତର ରୂପ ଧାରଣ କରିବ। ଏପରି ପରିସ୍ଥିତିରେ ସିଏମ୍‌ସି ଓ ବିଏମ୍‌ସିକୁ ପ୍ରତି ଦୁଇଟି ‌ୱାର୍ଡ ପାଇଁ ଗୋଟିଏ କୋଭିଡ‌୍ କ୍ଲିନିକ୍ ପ୍ରତିଷ୍ଠା ସହିତ ଏଥିଲାଗି ଆବଶ୍ୟକ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦିଆଯିବା ଆବଶ୍ୟକ। ସିଏମ୍‌ସି ଓ ବିଏମ୍‌ସିରେ ନିର୍ବାଚିତ ପ୍ରତିନିଧି ନଥିବାବେଳେ ଲୋକମାନେ ସେମାନଙ୍କ ସମସ୍ୟା କାହାକୁ ଜଣାଇବେ ତାକୁ ନେଇ ପ୍ରଶ୍ନ ଉଠିଛି। ସବୁ ୱାର୍ଡ ପାଇଁ ଆଡଭୋକେଟ କମିସନର ନିଯୁକ୍ତ କରାଯାଉ। ଏଥିସହିତ ଆଡଭୋକେଟ କମିସନରଙ୍କୁ ସିଧାସଳଖ କୋର୍ଟରେ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉ। କରୋନା ମୁକାବିଲା ପାଇଁ ଆଡଭୋକେଟ କମିସନରଙ୍କ ରିପୋର୍ଟ ସହାୟକ ହେବ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର