ଦିଲ୍ଲୀରେ କଟକ ଦହିବରା: ଜାତୀୟ ଷ୍ଟ୍ରିଟ୍‌ଫୁଡ଼୍‌ ଷ୍ଟଲ ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ବାବୁଲା

କଟକ: ଦହିବରା କଟକିଆଙ୍କ ପସନ୍ଦ। ଏହି ଦହିବରା ଖାଇବା ପାଇଁ ଲୋକେ କାହିଁ ଦୂରରୁ ଧାଇ ଆସିଥାନ୍ତି କଟକ ସହରକୁ। ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ଖୁବ୍‌ ଚାହିଦା ରହିଛି। ଏବେ କଟକର ପ୍ରଦୀପ୍ତ କୁମାର ସାହୁ (ବାବୁଲା) ଦହିବରା ବିକି ଜାତୀୟ ସ୍ତରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଚଳିତବର୍ଷ ଦିଲ୍ଲୀ ଜବାହାରଲାଲ ନେହରୁ ଷ୍ଟାଡିୟମ୍‌ଠାରେ ଆୟୋଜିତ ୧୧ତମ ଜାତୀୟ ଷ୍ଟ୍ରିଟ୍‌ ଫୁଡ୍‌ ଫେଷ୍ଟିଭାଲରେ ଭାଗ ନେଇଥିଲେ ବାବୁଲା। ଦେଶ‌ର ୨୯ଟି ରାଜ୍ୟରୁ ପ୍ରାୟ ୨୫୦ରୁ ଅଧିକ ଷ୍ଟ୍ରିଟ୍‌ଫୁଡ୍‌ ପ୍ରତିଯୋଗୀଙ୍କୁ ପଛରେ ପକାଇ ବାବୁଲାଙ୍କ ଦହିବରା ଶ୍ରେଷ୍ଠ ଷ୍ଟ୍ରିଟ୍‌ଫୁଡ୍‌ ବ୍ୟବସାୟୀ ଭାବେ ଜାତୀୟସ୍ତରରେ ମାନ୍ୟତା ପାଇଛି। କଟକ ଦହିବରା ପ୍ରଣାଳୀକୁ ତାଙ୍କଠାରୁ ଶିଖିବା ପାଇଁ ଏବେ ବାହାର ରାଜ୍ୟରୁ ମଧ୍ୟ ବାବୁଲାଙ୍କୁ ନିମନ୍ତ୍ରଣ ଆସୁଛି।

ବାବୁଲା ୩୦ବର୍ଷ ହେବ ଦହିବରା ଆଳୁଦମ କଟକର ସେଲ୍ଟର ଛକରେ ବିକ୍ରି କରି ଆସୁଛନ୍ତି। ୧୪ ବର୍ଷ ବୟସରୁ ସେ ଏହି କାମ କରିବା ଆରମ୍ଭ କରିଛନ୍ତି। ପ୍ରତ୍ୟେକ ଦିନ ୧ ହଜାରରୁ ୨ ହଜାର ଲୋକଙ୍କ ପାଇଁ ଦହିବରା ପ୍ରସ୍ତୁତି କରୁଥିବା ବେଳେ ବେପାର ହାରାହାରି ୮ ହଜାର ଟଙ୍କା ହୋଇଥାଏ। ୨୦୦୪ ମସିହାରେ କଟକଠାରେ ଆୟୋଜିତ ଅଭିନବ ଦହିବରା ଆଳୁଦମ୍‌ ପ୍ରତିଯୋଗିତାରେ ସେ ପ୍ରଥମ ସ୍ଥାନରେ ରହିଥିଲେ। ଚଳିତବର୍ଷ ଦିଲ୍ଲୀ ଜବାହାରଲାଲ ନେହରୁ ଷ୍ଟାଡିୟମ୍‌ଠାରେ ଆୟୋଜିତ ୧୧ତମ ଜାତୀୟ ଷ୍ଟ୍ରିଟ୍‌ ଫୁଡ୍‌ ଫେଷ୍ଟିଭାଲରେ ଭାଗ ନେଇ ଏଭଳି ସଫଳତା ପାଇଛନ୍ତି। ଇଣ୍ଟରନେଟ୍‌ରୁ ଦହିବରାର ଚାହିଦା ଦେଖି ଏହି ପ୍ରତିଯୋଗିତାରେ ଭାଗ‌ ନେବା ପାଇଁ ଦିଲ୍ଲୀରୁ ଗଲା ଅକ୍ଟୋବର ମାସରେ ଖବର ଆସିଥିଲା। ଏହି ଦହିବରା ପ୍ରଣାଳୀ ଶିଖିବା ପାଇଁ ବେଙ୍ଗାଲୁରୁ, କୋଲକାତା ଇତ୍ୟାଦି ସ୍ଥାନରେ ଥିବା ହୋଟେଲକୁ ଯାଇ ତାଲିମ ଦେଇ ଦହିବରା ପ୍ରଣାଳୀ ଶିଖାଇଛି। ପ୍ରତିଯୋଗିତା ‌ଜିତିବା ପରେ ମଧ୍ୟ ବହୁ ଜାଗାରୁ ଏହି ଦହିବରା ପ୍ରଣାଳୀ ଶିଖିବା ପାଇଁ ଖବର ଆସୁଛି। କଟକିଆଙ୍କ ପସନ୍ଦ ଏହି ଦହିବରା ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରସ୍ତୁତ କରି ଲୋକଙ୍କୁ ଖୁଆଇ ପାରିଛି ସେଥିଲାଗି ବହୁତ ଗର୍ବ ଅନୁଭବ କରୁଛି ବୋଲି ବାବୁଲା କହିଛନ୍ତି।

ସମ୍ବନ୍ଧିତ ଖବର